Advertisment

ବର୍ଷା, ବିଜୁଳି, ପବନ ସହିତ କୁଆପଥର ମାଡ଼; ଜାଣନ୍ତୁ, କେଉଁ ସବୁ ଜିଲ୍ଲା ପାଇଁ ଜାରି ହେଲା ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ

ଆଗାମୀ ୪-୫ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Lightning

Lightning

Advertisment

ଗତ ୨୪ ଘଣ୍ଟାରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆସନ୍ତାକାଲିଠାରୁ ମଙ୍ଗଳବାର ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରୁ ତେଲଙ୍ଗାନା ଯାଏଁ ଯାଇଥିବା ଏକ ଟ୍ରଫ୍ ଲାଇନ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି, ବିଜୁଳି ଓ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି। ଏହା ସହିତ କିଛି ସ୍ଥାନରେ ପବନ ହେବାର ସମ୍ଭାବନା ଥିବା ସେ କହିଛନ୍ତି।

Advertisment

ଆସନ୍ତାକାଲି (୨୦ ଫେବ୍ରୁଆରୀ) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକର ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ସହିତ ବିଜୁଳି ମାରିବାର ସମ୍ଭାବନା ରହିଛି। ଏହା ସହିତ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ଥିବା ବେଳେ କୁଆପଥର ବର୍ଷା ମଧ୍ୟ ହୋଇପାରେ। ସେହିପରି ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ ଜତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ସବୁ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି।

ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ଶୁକ୍ରବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତା’ସହିତ ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାଗୁଡ଼ିକ ମଧ୍ୟରୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଯାଜପୁର ଓ ଢେଙ୍କାନାଳକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହି ସବୁ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ମାରିବାର ସମ୍ଭାବନା ରହିଛି। ସେହିପରି ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବା ସହିତ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବିଜୁଳି ମାରିବା ସହିତ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Advertisment

ଶୁକ୍ରବାର (୨୧ ଫେବ୍ରୁଆରୀ) ସକାଳ ସାଢ଼େ ୮ଟାରୁ ଶନିବାର (୨୨ ଫେବ୍ରୁଆରୀ) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ବିଜୁଳି ମାରିବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଦୁଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ଶନିବାର ସକାଳ ସାଢ଼େ ୮ଟାରୁ ରବିବାର (୨୩ ଫେବ୍ରୁଆରୀ) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବିଜୁଳି, ପବନ ଓ କୁଆପଥର ସହିତ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ରବିବାର (୨୩ ଫେବ୍ରୁଆରୀ) ସକାଳ ସାଢ଼େ ୮ଟାରୁ ସୋମବାର (୨୪ ଫେବ୍ରୁଆରୀ) ସକାଳ ସାଢ଼େ ୮ଟା ମଧ୍ୟରେ ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝରଗଡ଼, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବାକି ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ସୋମବାର ସକାଳ ସାଢ଼େ ୮ଟାରୁ ମଙ୍ଗଳବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତା’ପରେ ପାଗ ଶୁଖିଲା ରହିପାରେ।

ଅନ୍ୟପକ୍ଷରେ ଆଗାମୀ ୪-୫ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ବାଲେଶ୍ୱରର ଗୋବିନ୍ଦପୁରରେ ୩୧ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱର ସହରରେ ୧୭.୬ ମିମି ବର୍ଷା ହୋଇଛି। ସେହିପରି ମୟୂରଭଞ୍ଜର ଜି.ବି ନଗରରେ ୧୮ ମିମି ବର୍ଷା ହୋଇଥିବା ବେଳେ ବାଲିମୁଣ୍ଡଳୀରେ ୧୬.୨ ଓ ଶୁଳିପଦାରେ ୧୧.୫ ମିମି ବର୍ଷା ହୋଇଛି।

Rain Alert Weather Update Weather Forecast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe