Advertisment

୫ ତାରିଖ ଯାଏ ବର୍ଷା: ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି; ଜାଣନ୍ତୁ, କେଉଁଠି ପ୍ରବଳ ଓ କେଉଁଠି ଅତି ପ୍ରବଳ ବର୍ଷିବ

କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

author-image
Jitendra Garnayak
Rain

Rain

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜରେ କୁହାଯାଇଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ (କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ) ଓ ୟେଲୋ (ସତର୍କ ରୁହନ୍ତୁ) ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ଆଜି ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ହେଉଥିବା ବେଳେ ଆସନ୍ତାକାଲି (ଜୁନ୍‌ ୨) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତା’ସାଙ୍ଗକୁ ବିଜୁଳି ମାରିବ ଓ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିପାରେ। ସେଥିପାଇଁ ଏହି ତିନି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିଭଳି ଏହି ସମୟ ମଧ୍ୟରେ ବରଗଡ଼, ମୟୂରଭଞ୍ଜ, ନବରଙ୍ଗପୁର, ବଲାଙ୍ଗିର, ସୋନପୁର, ବୌଦ୍ଧ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କଳାହାଣ୍ଡି, ନୂଆପଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ବରଗଡ଼ ଜିଲ୍ଲାରେ ବିଜୁଳି ଓ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ସହିତ ବର୍ଷା ହୋଇପାରେ। ତେଣୁ ଏହି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୩ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ତା’ ସହିତ ଘଡ଼ଘଡ଼ି ଓ ବିଜୁଳି ମାରିପାରେ ଏବଂ ଝଟକା ପବନ ବହିପାରେ। ସେଥିପାଇଁ ଏହି ସବୁ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ବରଗଡ଼, ଅନୁଗୁଳ, ଝାରସୁଗୁଡ଼ା, ଢେଙ୍କାନାଳ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ଝଟକା ପବନ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୩ ତାରିଖ ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ଏହି ସମୟ ମଧ୍ୟରେ ନୂଆପଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୪ ତାରିଖ ସକାଳ ସାଢ଼େ ୮ଟାରୁ ୫ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୫ ତାରିଖ ସକାଳ ସାଢ଼େ ୮ଟାରୁ ୬ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Weather Report Weather Update Weather Forecast