Advertisment

ଆଶ୍ଚର୍ଯ୍ୟ! ଦୀର୍ଘ ୫୦ ବର୍ଷ ମଧ୍ୟରେ ସାହାରା ମରୁଭୂଇଁରେ ବନ୍ୟା

ଦୀର୍ଘ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ବର୍ଷା ହୋଇଯାଇଛି ଯେ, ସାହାରାର ମରୁଭୂମି ପାଣି-ପାଣି ହୋଇଯାଇଛି।

author-image
Debibandita Barick
Sahara Desert

Sahara Desert

ଆଫ୍ରିକାର ସାହାରା ମରୁଭୂମିରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଯେଉଁଠି ପାଣି ବୁନ୍ଦାଏ ମିଳିବା ସ୍ୱପ୍ନ ସେଠାରେ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଆଉ ମରୁଭୂମି ପାଣି-ପାଣି ହୋଇଯାଇଛି। ଦୀର୍ଘ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Advertisment

ବର୍ଷା ପରେ ସାଟେଲାଇଟ୍ ମାଧ୍ୟମରେ ଉତ୍ତୋଳନ କରାଯାଇଥିବା ଚିତ୍ର ବେଶ୍ ମନ ମୁଗ୍ଧକର ହୋଇଛି। ଦୀର୍ଘ ମରୁଭୂଇଁ, ପ୍ରାଚୀନ ଦୁର୍ଗର ଏହି ଅଞ୍ଚଳରେ ନୀଳର ଚାଦର ବିଛାଇ ହୋଇଯାଇଛି। ଖଜୁରୀ ଗଛ ଆଉ ତା ତଳେ କିଛି ପାଣି ନିର୍ଜଳ ସାହାରାକୁ ଶବୁଜମୟ କରିଦେଇଛି। 

ଦକ୍ଷିଣପୂର୍ବ ମୋରୋକୋରେ ସାଧାରଣତଃ ଗ୍ରୀଷ୍ମର ଶେଷ ଭାଗରେ ବର୍ଷା ହୁଏ ନାହିଁ। ଏଠାରେ ବର୍ଷକୁ ୨୫୦ ମିଲିମିଟରରୁ କମ୍ ବର୍ଷା ହୋଇଥାଏ। କିନ୍ତୁ ସେପ୍ଟେମ୍ବରରେ ଦୁଇ ଦିନ ଏପରି ବର୍ଷା ହୋଇଛି, ଯାହା ସାହାରା ମରୁଭୂଇଁକୁ ଜଳମଗ୍ନ କରିଦେଇଛି। ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ଅଞ୍ଚଳ ମଧ୍ୟରେ ଟାଟା ରହିଛି।

Advertisment

ସେହିପରି ରାବତଠାରୁ ପ୍ରାୟ ୪୫୦ କିଲୋମିଟର ଦକ୍ଷିଣରେ ଥିବା ଟାଗୋନିଟ୍ ଗାଁରେ ୨୪ ଘଣ୍ଟା ମଧ୍ୟରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା। ମୋରୋକୋର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି, ଖୁବ୍ କମ୍ ସମୟ ମଧ୍ୟରେ ଆମେ ଏତେ ବର୍ଷା କେବେ ଦେଖିନଥିଲୁ। ଦୀର୍ଘ ୩୦ରୁ ୫୦ ବର୍ଷ ମଧ୍ୟରେ ଏପରି ବର୍ଷା ହେବାର ଦେଖିବାକୁ ମିଳିଛି।

ପାଣିପାଗ ବିଜ୍ଞାନୀମାନେ ଏହାକୁ ଅତିରିକ୍ତ ଝଡ଼ ବୋଲି କହିଛନ୍ତି। ଆସନ୍ତା ମାସ ଏବଂ ବର୍ଷ ମଧ୍ୟରେ ଏହି ବର୍ଷା ଏହି ଅଞ୍ଚଳର ପାଣିପାଗକୁ ପରିବର୍ତ୍ତନ କରିପାରେ ବୋଲି ସେମାନେ ଆକଳନ କରିଛନ୍ତି।  

Sahara Desert ସାହାରା ମରୁଭୂମି

ଲଗାତାର ଛଅ ବର୍ଷ ଧରି ଏହି ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଲାଗି ରହିଥିଲା। ଫଳରେ କୃଷକମାନେ ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କେବଳ କୃଷକମାନେ ନୁହଁନ୍ତି ପ୍ରବଳ ଉତ୍ତାପ କାରଣରୁ ମୋରୋକୋ ଏବଂ ଆଲଗେରିଆର 20ରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ଏହାକୁ ଦୃଷ୍ଟିରେ ରଖି ମୋରୋକୋ ସରକାର ଜରୁରୀକାଳୀନ ରିଲିଫ୍ ପାଣ୍ଠି ଆବଣ୍ଟନ କରିଛନ୍ତି। 

ଏସବୁ ମଧ୍ୟରେ ଚଳିତ ବର୍ଷ ଯେଉଁପରି ହଠାତ୍ ବର୍ଷା ହୋଇଛି, ତାହା ମରୁଭୂଇଁରେ ଆଶାର ସଂଚାର ଖେଳାଇ ଦେଇଛି। ଏହାର ପ୍ରଭାବରେ ଆଗାମୀ କିଛି ଦିନ ମଧ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାହ ପୂର୍ବାନୁମାନ କରିଛି। ଏହା ନିଶ୍ଚିତ ରୂପେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଆଶ୍ୱାସନାର ଖବର। 

Sahara Desert Rain In Sahara Desert