Advertisment

ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଓ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତଟି ଖେପୁପଡ଼ାରୁ ୧୬୦, ଦୀଘାରୁ ୪୨୦ କିମି ଦୂରରେ ରହିଛି।

author-image
Niharika Rout
ଅଦ୍ୟତନ ହୋଇଛି
waterlogging

waterlogging

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତଟି ଖେପୁପଡ଼ାରୁ ୧୬୦, ଦୀଘାରୁ ୪୨୦ କିମି ଦୂରରେ ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁ ହେବ । ଆଜି ସନ୍ଧ୍ୟା ସୁଦ୍ଧା ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବ । ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି  ବର୍ଷା।

Advertisment

ଅନ୍ୟପକ୍ଷରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୧୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି-  ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ ଓ ବାଲେଶ୍ୱର। ଆସନ୍ତାକାଲି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। 

Advertisment

କେନ୍ଦ୍ରାପଡ଼ା, ଜଗତସିଂହପୁର, ବରଗଡ଼, ଝାରସୁଗୁଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ଗତକାଲିଠୁ ଲାଗି ରହିଥିବା ଲଗାଣ ବର୍ଷା ହେତୁ ଟୁଇନ ସିଟି ଅବସ୍ଥା ବେହାଲ ହୋଇ ପଡ଼ିଛି । ଲୋକଙ୍କ ଆସବାବ ପତ୍ରଠୁ ଆରମ୍ଭ କରି ଦୋକାନରେ ଥିବା ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବର୍ଷା ପାଣିର ବିପର୍ଯ୍ୟୟ ଭିତରୁ ଏବେ ଲୋକେ ନିଜ ନିଜର ସାମଗ୍ରୀ ଖୋଜୁଛନ୍ତି । କେମିତି ପୁଣି ସ୍ୱାଭାବିକ ହେବ ସ୍ଥିତି ସେନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଚିନ୍ତାରେ । କେବଳ କଟକ, ଭୁବନେଶ୍ୱର ଜିଲ୍ଲା ନୁହଁ ଲଗାଣ ବର୍ଷା ହେତୁ ରାଜ୍ୟର ବହୁ ଜିଲ୍ଲାର ଅବସ୍ଥା ଅସମ୍ଭାଳ ହୋଇ ପଡ଼ିଛନ୍ତି । ଘରେ ପାଣି ପଶିଯିବାରୁ ଲୋକେ କଲବଲ ହେଉଛନ୍ତି। 

ଗତ ୨୪ ଘଣ୍ଟାରେ ରାଜ୍ୟରେ ଭୁବନେଶ୍ୱରରେ ସବୁଠୁ ଅଧିକ ୨୫୯ ମିଲିମିଟର ବର୍ଷା ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ପୁରୀର ସତ୍ୟବାଦୀରେ ୧୦୬ ମିମି ବର୍ଷା ହୋଇଥିବା ବେଳେ କଟକର କଣ୍ଟାପଡ଼ାରେ ୧୦୧, ଭଦ୍ରକର ତିହିଡ଼ିରେ ୯୭, ଢେଙ୍କାନାଳର ଭୁବନରେ ୯୬, ଭଦ୍ରକର ଭଣ୍ଡାରିପୋଖରୀରେ ୯୩, ପୁରୀ ସହରରେ ୯୦, ଭଦ୍ରକାର ଚାନ୍ଦବାଲିରେ ୮୮.୯, ପିପିଲିରେ ୮୫, ଖୋର୍ଦ୍ଧାର ଜଟଣୀରେ ୮୫, କଟକରେ ୮୩.୨, ମୟୂରଭଞ୍ଜର ରାଇରଙ୍ଗପୁରରେ ୮୨, କେନ୍ଦ୍ରାପଡ଼ାର ରାଜକନିକାରେ ୮୧ ଓ ବରଗଡ଼ର ବରପାଲିରେ ୭୨ ମିମି ବର୍ଷା ରେକର୍ଡ କରାଯାଇଛି।

Heavy Rain Low Pressure