Advertisment

ଆହୁରି ଛେଚିବ; ଆଜି ଓ ଆସନ୍ତାକାଲି କେଉଁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ ଜାଣନ୍ତୁ

ଗତ ୨୪ ଘଣ୍ଟାରେ ବାଲେଶ୍ୱରର ଭୋଗରାଇରେ ସର୍ବାଧିକ ୧୨୫ ମିମି ବର୍ଷା ରେକର୍ଡ କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Rain

Rain

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି। ଏହା ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରୁଛି। ଗଭୀର ଅବପାତ ଭାବେ ଏହାର ତୀବ୍ରତା ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ। ତା’ ପରବର୍ତ୍ତୀ ୪୮ ଘଣ୍ଟାରେ ଧୀରେ ଧୀରେ ଦୁର୍ବଳ ହୋଇ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅବପାତରେ ପରିଣତ ହୋଇ ଏହା ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ।

Advertisment

ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ (୭ରୁ ୨୦ ସିଏମ୍‌) ବର୍ଷା ହେବାର ସମ୍ଭାବନା ଥିବା ବେଳେ ସ୍ଥାନେ ସ୍ଥାନେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ କେନ୍ଦୁଝର, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାରେ ପ୍ରବଳ (୭ରୁ୧୧ ସିଏମ୍‌) ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ମଙ୍ଗଳବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Advertisment

ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ରାତି ପର୍ଯ୍ୟନ୍ତ ବର୍ଷା ସହିତ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହିବ ଏବଂ ଝଟକା ପବନର ବେଗ ଘଣ୍ଟା ପ୍ରତି ୭୦ କିମି ରହିପାରେ। ପରେ ପବନର ଗତି ଧୀରେ ଧୀରେ କମିବାର ସମ୍ଭାବନା ରହିଛି। ଆଜି ରାତିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସମୁଦ୍ର ଅତି ଅଶାନ୍ତ ରହିବାର ସମ୍ଭାବନା ରହିଛି। ସେଥିପାଇଁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ୧୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗତ ୨୪ ଘଣ୍ଟାରେ ବାଲେଶ୍ୱରର ଭୋଗରାଇରେ ସର୍ବାଧିକ ୧୨୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଜଘାଟରେ ୧୧୮.୮ ମିମି ଓ ଜଳେଶ୍ୱରରେ ୯୭ ମିମି ବର୍ଷା ରେକର୍ଡ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦାରେ ୧୦୮ ମିମି ବର୍ଷା ହୋଇଥିବା ବେଳେ ରାସଗୋବିନ୍ଦପୁରରେ ୮୩, ବେତନଟୀରେ ୮୨, ଚାନ୍ଦୁଆରେ ୮୨, କପ୍ତିପଦାରେ ୮୧, ଜାମସୋଳାଘାଟରେ ୮୦, ବାଙ୍ଗିରିପଷିରେ ୭୬, ସାରସକଣାରେ ୭୫ ଓ ବିଜତଳାରେ ୭୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ର ଟେନସାରେ ୮୬.୮ ମିମି ବର୍ଷା ରେକର୍ଡ ହୋଇଛି।

Heavy Rain Rain Alert Weather Update Weather News Weather Forecast