Advertisment

ତୁହାକୁ ତୁହା ବର୍ଷାରେ ଲୋକେ କଲବଲ, SRC କହିଲେ- ରାସ୍ତା କ୍ଲିଅର ରଖ

ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ଚିନ୍ତାଜନକ ଅବସ୍ଥାରେ ଥିବା ବେଳେ ଏହାର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

author-image
Niharika Rout
Meeting

Meeting

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ଫଲରେ ଗତକାଲିଠୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଦେଖାଦେଇଛି ବନ୍ୟା ସ୍ଥିତି। କେଉଁଠି ନଦୀ ଫୁଲିବାରେ ଲାଗିଛି ତ କେଉଁଠି ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ଚିନ୍ତାଜନକ ଅବସ୍ଥାରେ ଥିବା ବେଳେ ଏହାର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

Advertisment

SRC ସତ୍ୟବ୍ରତ ସାହୁ ଆଜି ଲଗାଣ ବର୍ଷା ନେଇ ରାଜ୍ୟରେ ଉପୁଜିଥିବା ସ୍ଥିତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଏହି ବୈଠକରେ ବର୍ଷା ଯୋଗୁ ବିଭିନ୍ନ ଜିଲ୍ଲାରେ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆବଶ୍ୟକ ସ୍ଥଳେ ରାସ୍ତା କ୍ଲିଅର କରିବାକୁ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି।

ଲଗାଣ ବର୍ଷା ହେତୁ ବୈତରଣୀ ଓ ବଂଶଧାରା ଫୁଲିବାକୁ ଲାଗିଛନ୍ତି। ବୌଦ୍ଧରେ ମହାନଦୀ ବନ୍ୟା ନିରୋଧୀ ପାଚେରୀ ଭାଙ୍ଗି ଯାଇଛି। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୧୦ଟା ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୫ଟିକୁ ଅରେଞ୍ଜ ଓ ୬ଟିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅତ୍ୟଧିକ ବର୍ଷା ହେତୁ ବିଭିନ୍ନ ସ୍ଥାନରେ ଫ୍ଲାଶଫ୍ଲଡର ଆଶଙ୍କା ରହିଛି। ତେଣୁ ଅଫିସରଙ୍କୁ ଜିଲ୍ଲା ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି। ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସୋନପୁରରେ ୨୧୩.୬, ଫୁଲବାଣୀରେ ୨୦୫.୬ ମିଲିମିଟର ବର୍ଷା ହୋଇଛି। ସେହିପରି ବଲାଙ୍ଗିରରେ ୧୭୩, କେନ୍ଦୁଝରରେ ୧୫୦.୨, ଅନୁଗୁଳରେ ୧୫୦ ମିଲିମିଟର, ତାଳଚେରରେ ୧୪୭, ଭବାନୀପାଟଣାରେ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ରାଜ୍ୟରେ ଅତ୍ୟଧିକ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ୧୪ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ଆସନ୍ତାକାଲି ବି ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। 

Heavy Rain