Advertisment

ଆହୁରି ୫ ଦିନ ଜାଳିବ, ୭ରୁ କମିବ ତାତି!

୬ ତାରିଖ ପରେ ଅର୍ଥାତ୍ ୭ ତାରିଖ ବେଳକୁ ପୂରା ରାଜ୍ୟରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।

author-image
Jitendra Garnayak
Manorama Mohanty

Manorama Mohanty

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମଧ୍ୟ ଏହା ଜାରି ରହିବ। ତା’ ମଧ୍ୟରୁ ଦୁଇ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ତେବେ ୭ ତାରିଖ ବେଳକୁ କାଳବୈଶାଖୀର ପ୍ରଭାବରେ ପୂରା ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲ୍‌ସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।

Advertisment

ସେ କହିଛନ୍ତି, ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଦୁଇ ଦିନ ପାଇଁ ଟ୍ୱିଟ୍ ସିଟି- ଭୁବନେଶ୍ୱର ଓ କଟକ ସମେତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ବୌଦ୍ଧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଉ କିଛି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨ ତାରିଖ ପରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। କିନ୍ତୁ ୬ ତାରିଖ ପରେ ଅର୍ଥାତ୍ ୭ ତାରିଖ ବେଳକୁ ପୂରା ରାଜ୍ୟରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।

ଦୁଇ ଦିନ (ଆଜି ଓ କାଲି) ସିଭିୟର ହିଟ୍‌ୱେଭ୍ ସ୍ଥିତି ରହିବାକୁ ଥିବା ବେଳେ ଆସନ୍ତାକାଲିଠାରୁ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହିଟ୍‌ୱେଭ ସ୍ଥିତି ରହିବାର ସମ୍ଭାବନା ରହିଛି। ତାପମାତ୍ରା ଧୀରେ ଧୀରେ କମିବ। କିନ୍ତୁ ୫ ଦିନ ପାଇଁ ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ। ୬ ଓ ୭ ତାରିଖ ଆଡ଼କୁ କାଳବୈଶାଖୀର ସମ୍ଭାବନା ରହିଛି। ତେଣୁ ୬ ତାରିଖ ପରେ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ। ୬ ତାରିଖରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବ। ବର୍ଷା ଯୋଗୁ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି।

Advertisment

ଗତକାଲି ବାରିପଦାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୬,୪ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ବାଲେଶ୍ୱରରେ ୪୬ ଓ ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଗତକାଲି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୪ ଡିଗ୍ରୀ ବା ତା’ଠୁ ଅଧିକ ରହିଥିଲା। ଆଜି ଏଥିରେ ବିଶେଷ କିଛି ଫରକ ଦେଖିବାକୁ ମିଳିବ ନାହିଁ। ଏକ କିମ୍ବା ଦୁଇ ଡିଗ୍ରୀ ଏପଟ ସେପଟ ହୋଇପାରେ। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ତାପମାତ୍ରା ୩୮.୪ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୩୭.୪, ବାରିପଦାରେ ୩୬.୪, ବଲାଙ୍ଗିର ୩୬.୨, ଟିଟିଲାଗଡ଼ରେ ୩୬, ବାଲେଶ୍ୱରରେ ୩୬, ହୀରାକୁଦରେ ୩୫.୬ ଓ ଝାରସୁଗୁଡ଼ାରେ ୩୫.୪ ଡିଗ୍ରୀ ରହିଥିଲା।

Heat Wave Heat Wave In Odisha Weather Report Weather Update Weather Forecast