Advertisment

‘ଦାନା’ ପାଇଁ ନଗର ଉନ୍ନୟନ ବିଭାଗର ଏସଓପି: ୧୧ ବରିଷ୍ଠ ଅଫିସରଙ୍କୁ ୩୦ ଜିଲ୍ଲା ଦାୟିତ୍ୱ

ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକଙ୍କୁ ଅନୁଗୁଳ,ଢେଙ୍କାନାଳ ଓ କଟକ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି ।

author-image
Ordigital Desk
Rain

Rain

ଭୟଙ୍କର ରୂପଧାରଣ କରି ସ୍ଥଳଭାଗ ଆଡ଼େ ମୁହାଁଇଥିବା ସାମୁଦ୍ରିକ ଝଡ଼ ‘ଦାନା’ର ମୁକାବିଲା ପାଇଁ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ନେଇଛି। ନିଜର ବିଭାଗୀୟ ୧୧ଜଣ ବରିଷ୍ଠ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେବା ସହ ସବୁ ମହାନଗର ନିଗମ ଓ ପୌରାଂଚଳ ନିମନ୍ତେ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର (ଏସଓପି) ଜାରି କରାଯାଇଛି । ବିଭାଗର ଏହି ବରିଷ୍ଠ ଅଫିସରମାନେ ଆଜିଠୁ ସେମାନଙ୍କୁ ଆବଂଟିତ ଜିଲ୍ଲାରେ ଥିବା ସମସ୍ତ ପୌରାଂଚଳରେ ବାତ୍ୟା ମୁକାବିଲାର ପ୍ରସ୍ତୁତି ସହ ଅନ୍ୟାନ୍ୟ କାର୍ଯ୍ୟ ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Advertisment

ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକଙ୍କୁ ଅନୁଗୁଳ,ଢେଙ୍କାନାଳ ଓ କଟକ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି । ଅତିରିକ୍ତ ସଚିବ ଶୁଭେନ୍ଦୁ କାନୁନଗୋଙ୍କୁ ବୌଦ୍ଧ, ଦେବଗଡ଼ ଓ କନ୍ଧମାଳ, ସ୍ୱତନ୍ତ୍ର ସଚିବ ଦେବାଶୀଷ ସିଂଙ୍କୁ ଗଞ୍ଜାମ ଓ ଗଜପତି, ସ୍ୱତନ୍ତ୍ର ସଚିବ ଗଙ୍ଗାଧର ନାୟକଙ୍କୁ ମୟୂରଭଞ୍ଜ ଓ ବାଲେଶ୍ୱର, ଅତିରିକ୍ତ ସଚିବ ସୁଶାନ୍ତ କୁମାର ମିଶ୍ରଙ୍କୁ କଳାହାଣ୍ଡି, ନୂଆପଡ଼ା ଓ ବରଗଡ଼, ଅତିରିକ୍ତ ସଚିବ ବିନୟ କୁମାର ଦାଶଙ୍କୁ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼, ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁଙ୍କୁ ଭଦ୍ରକ ଓ ଯାଜପୁର, ଅତିରିକ୍ତ ସଚିବ ସୌରିନ୍ଦ୍ର କୁମାର ରାଉତରାୟଙ୍କୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁଙ୍କୁ ବଲାଙ୍ଗୀର, ସୋନପୁର ଓ ସମ୍ବଲପୁର, ଚିଫ ଇଞ୍ଜିନିୟର ତଥା ଅତିରିକ୍ତ ସଚିବ ଇଞ୍ଜିନିୟର ଅରବିନ୍ଦ ଜେନାଙ୍କୁ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଏବଂ ଯୁଗ୍ମ ସଚିବ ସରୋଜ କୁମାର ଦାଶଙ୍କୁ କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ଆଂବଟିତ ହୋଇଛି ।

ଯଦିଓ ବାତ୍ୟା ରାଜ୍ୟର ସର୍ବାଧିକ ୧୪ଟି ଜିଲ୍ଲାରେ କ୍ଷୟକ୍ଷତି କରିପାରେ ବୋଲି ଆଶଙ୍କା କରାଯାଉଛି ତଥାପି ନଗର ଉନ୍ନୟନ ବିଭାଗ ନିଜର ୧୧ଜଣ ଅଫିସରଙ୍କୁ ୩୦ଟି ଜିଲ୍ଲା(ସମସ୍ତ ମହାନଗର ନିଗମ, ପୌରା ସଂସ୍ଥା ଓ ଏନଏସି)ରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସହ ବାତ୍ୟା ପରବର୍ତ୍ତୀ ରିଲିଫ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ତଦାରଖ କରିବେ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ଦ୍ୱାରା ସବୁ ମହାନଗର ନିଗମର କମିଶନର ଓ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଫିସରଙ୍କୁ ଦିଆଯାଇଥିବା ଏସଓପିରେ ବାତ୍ୟା ପୂର୍ବରୁ ପ୍ରସ୍ତୁତି, ବାତ୍ୟା ସମୟରେ ଗତିବିଧି ଓ ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ଆଦି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି ।

ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ, ଶୁଖିଲା ଛତୁଆ,ବିସ୍କୁଟ ଓ ଅନ୍ୟାନ୍ୟ ଖାଦ୍ୟ ସହ ଅସ୍ଥାୟୀ ବାସସ୍ଥଳୀର ବ୍ୟବସ୍ଥା ସହ ବୃଦ୍ଧ, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ସମେତ ସ୍ତନ୍ୟପାନ କରୁଥିବା ଶିଶୁ ଆଦିଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ବିଭାଗ ଏସଓପିରେ ଉଲ୍ଲେଖ ରହିଛି । ବାତ୍ୟା ସମୟରେ ମହିଳା ହୋମଗାର୍ଡ କିମ୍ବା ସୁରକ୍ଷା କର୍ମଚାରୀଙ୍କୁ ଆଶ୍ରୟସ୍ଥଳୀରେ ନିୟୋଜିତ କରିବା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଆଶ୍ରୟସ୍ଥଳୀରେ ମୁତୟନ ସହ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ରାସ୍ତାଘାଟ, ଡ୍ରେନ୍ ଆଦିକୁ ପରିଷ୍କାର କରି ଯାତାୟତ ସ୍ୱାଭାବିକ ଏବଂ ପାନୀୟ ଜଳଯୋଗାଣ ଜାରି ରଖିବାକୁ କୁହାଯାଇଛି ।

Cyclone Dana