କୁହୁଡ଼ି ନେଇ ୩ ଜିଲ୍ଲାକୁ ସତର୍କ ସୂଚନା, ୨୭ ଓ ୨୮ରେ କିଛି ସ୍ଥାନରେ ହୋଇପାରେ ବର୍ଷା

ଆଜି ରାତି, ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳେ ଓ ରାତିରେ ଏବଂ ରବିବାର ସକାଳେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।

Representational Image

  • Published: Friday, 22 November 2024
  • , Updated: 22 November 2024, 05:41 PM IST

ରାଜ୍ୟର ୩ ଜିଲ୍ଲା- ସୁନ୍ଦରଗଡ଼, କନ୍ଧମାଳ ଓ କଳାହାଣ୍ଡିରେ ହାଲୁକାର ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଆଇଏମ୍‌ଡିଠାରୁ ଏହି ସୂଚନା ପାଇବା ପରେ ସ୍ୱତନ୍ତ୍ର ରିଲିଫ କମିଶନର (SRC) ଏହି ତିନି ଜିଲ୍ଲାର ପୁଲିସ୍ ଓ ପରିବହନ ଅଧିକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। କୁହୁଡ଼ି ସମୟରେ ରାଜପଥଗୁଡ଼ିକରେ ଯେମିତି କୌଣସି ଗାଡ଼ି ଦୁର୍ଘଟଣାଗ୍ରସ୍ତ ନହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏସ୍‌ଆରସି ସେମାନଙ୍କୁ କହିଛନ୍ତି।

ଆଜି ରାତି, ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳ ଓ ରାତିରେ ଏବଂ ରବିବାର ସକାଳେ ସୁନ୍ଦରଗଡ଼, କନ୍ଧମାଳ ଓ କଳାହଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଗାମୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ। ତେବେ ଆସନ୍ତା ୨୭ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ସେହିପରି ୨୮ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଆଗାମୀ ୪ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତା’ପର ଦିନ ଠାରୁ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ଓ ସର୍ବାଧିକ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ୍ସରେ ଏକ ପୋଷ୍ଟ କରାଯାଇଛି।

Related story