Advertisment

ବର୍ଷା ଯୋଗୁ ପଶ୍ଚିମ ଓଡ଼ିଶା ଅବସ୍ଥା ବେହାଲ; କଲବଲ ହେଉଛନ୍ତି ଲୋକେ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁ ପଶ୍ଚିମ ଓଡ଼ିଶା ଅବସ୍ଥା ବେହାଲ ହୋଇ ଯାଇଛି।

author-image
Niharika Rout
Flood Water

Flood Water

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁ ପଶ୍ଚିମ ଓଡ଼ିଶା ଅବସ୍ଥା ବେହାଲ ହୋଇ ଯାଇଛି। ଦୁଇ ଦିନର ଲଗାଣ ବର୍ଷାରେ ବରଗଡ଼ ଜିଲ୍ଲା ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ବିଜେପୁର ବ୍ଲକରେ ସର୍ବାଧିକ ୧୮୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Advertisment

 ଲଗାଣ ବର୍ଷା ଯୋଗୁ ବିଜେପୁର ହସପିଟାଲରେ ପାଣି ପଶିଥିବା ବେଳେ ବୁଡ଼ାପାଲି ଶିବ ମନ୍ଦିରରେ ପ୍ରବେଶ କରିଛି ବର୍ଷା ଜଳ। ବିଜେପୁର-ବୈରଖ ପାଲି ରାସ୍ତା ଉପରେ ଦୁଇ ଫୁଟର ପାଣି ଚାଲିବାରୁ ଯିବା ଆସିବା ଠପ୍ ହୋଇ ଯାଇଥିଲା। ଲାଉମୁଣ୍ଡାରେ ଥିବା ଏକ ପେଟ୍ରୋଲ ପମ୍ପରେ ୩ ଫୁଟ ଉଚ୍ଚର ପାଣି ଜମି ରହିଥିଲା। କଲସାଡେରା ଗାଁରେ କାନ୍ଥ ଭାଙ୍ଗିବାରୁ ୩ ଜଣ ଆହତ ହୋଇଛନ୍ତି। ଜଣେ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆଜି ମଧ୍ୟ ଜୋର୍ ବର୍ଷା ହେବାର ସମ୍ଭାବନା ଥିବାରୁ ସ୍କୁଲ କଲେଜକୁ ଛୁଟି ଘୋଷଣା କରାଯାଇଛି।

ସେହିପରି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଲଗାଣ ବର୍ଷାରେ ଲୋକେ ହଇରାଣ ହୋଇଛନ୍ତି। ଖଡ଼ିଆଳ ବ୍ଲକରେ ୭୨ ମିମି, ସିନାପାଲି ବ୍ଲକରେ ୭୫ ମିମି, ବୋଡେନ ବ୍ଲକରେ ୬୯ ମିମି ବର୍ଷା ହୋଇଛି। ସିନାପାଲି ବ୍ଲକର ଶିତିଳି ଖଲିଆ ନିକଟ କାଣ୍ଡପଡ଼ା ପୋଲ ଉପରେ ୨ ଫୁଟର ପାଣି ଚାଲୁଥିଲା। ତେଣୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Advertisment

ବୋଡେନ ବ୍ଲକର କର୍ଲାକୋଟ ପଞ୍ଚାୟତରେ ପ୍ରବଳ ବର୍ଷା ହେବାରୁ ସର୍ଗିମୁଣ୍ଡା ଓ ଅମେରା ମଝିରେ ଥିବା ନାଳ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିଲା। ତେଣୁ ଅମେରା, ଖଇରା ଓ ବୋଡେନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖଡ଼ିଆଳ ବ୍ଲକ ଶାଗ ଜୋରପଡ଼ାରୁ ଖଲିଆ ଭଟା ରାସ୍ତା ପୋଲ ଉପରେ ମଧ୍ୟ ପାଣି ଚାଲୁଛି।

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ କାଲୁସିରିୟାରେ ଥିବା ବ୍ରିଜ ଉପରେ ମଧ୍ୟ ଦୁଇ ଫୁଟର ପାଣି ଚାଲିଥିବାରୁ ପୋଲର ଉଭୟ ପଟେ ବହୁ ଗାଡ଼ି ମଟର ଅଟକି ରହିଥିଲା।

Heavy Rain Flood In Odisha