Advertisment

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଆଜିଠାରୁ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ବହିବ ପବନ। ୨୪ ତାରିଖ ସକାଳ ବେଳକୁ ପବନର ବେଗ ସମୁଦ୍ରରେ ଅଧିକ ରହିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Weather

Weather

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କିଲୋମିଟର ଯାଏ ବ୍ୟାପିଛି।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। 

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ରଟି  ଉତ୍ତରପୂର୍ବ ଦିଗରେ ଗତି କରିବ। ପରେ ଏହା ଅଧିକ ଘନୀଭୂତ ହୋଇ ୨୪ ତାରିଖ ସକାଳେ ଡିପ୍ରେସନ୍ ବା ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିପାରେ। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ।  ଆଜିଠାରୁ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ବହିବ ପବନ। ୨୪ ତାରିଖ ସକାଳ ବେଳକୁ ପବନର ବେଗ ସମୁଦ୍ରରେ ଅଧିକ ରହିବ।

ଏହାକୁ ଦୃଷ୍ଟିରେ ରଖି ୨୩ ତାରିଖରୁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ଫେରି ଆସିବାକୁ ସତର୍କ କରାଯାଇଛି।  ଆଜିଠୁ  ୨୫ ତାରିଖ ପର୍ଯ୍ୟନ୍ତ  କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହୋଇପାରେ। ୨୫ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

Advertisment

ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପଟି ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବନି। ଓଡ଼ିଶା ଉପରେ ଏହାର କୌଣସି ସିଧାସଳଖ ପ୍ରଭାବ ରହିବ ନାହିଁ। କେବଳ ୨୫ ଓ ୨୬ ତାରିଖରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ୨ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। 

Heavy Rain Weather Report Weather Condiction