Advertisment

ଜଳିଲା ପଶ୍ଚିମ ଓଡ଼ିଶା, ଆସନ୍ତାକାଲି ବି ନାହିଁ ନିସ୍ତାର

ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଓ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

author-image
Jitendra Garnayak
Heat

Heat

ଜଳୁଛି ପଶ୍ଚିମ ଓଡ଼ିଶା। ଆକାଶରୁ ହେଉଛି ଅଗ୍ନି ବର୍ଷା । ପଶ୍ଚିମ ଓଡ଼ିଶାର ୮ଟି ସହରର ତାପମାତ୍ରା ଆଜି ୪୫ ଡିଗ୍ରୀ ସେଲସିୟସ ବା ତା’ ଉପରେ ରେକର୍ଡ କରାଯାଇଛି। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୬.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଫଳରେ ଆଜି ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

Advertisment

ବଲାଙ୍ଗିରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୬.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୬.୨, ବରଗଡ଼ରେ ୪୬, ସମ୍ବଲପୁରରେ ୪୫.୨, ଝାରସୁଗୁଡ଼ାରେ ୪୫, ଭବାନୀପାଟଣାରେ ୪୫ ଓ ନୂଆପଡ଼ାରେ ୪୫ ଡିଗ୍ରୀ ରହିଥିଲା। ହୀରାକୁଦରେ ତାପମାତ୍ରା ୪୪.୭ ଡିଗ୍ରୀ ରହିଥିବା ବେଳେ ବୌଦ୍ଧରେ ୪୪ ଓ ସୁନ୍ଦରଗଡ଼ରେ ୪୨ ଡିଗ୍ରୀ ରହିଥିଲା। ସେହିପରି ମାଲକାନଗିରିରେ ତାପମାତ୍ରା ୪୩.୭, ଫୁଲବାଣୀରେ ୪୩, ପାରଳାଖେମୁଣ୍ଡିରେ ୪୦.୫,ନବରଙ୍ଗପୁରରେ ୪୦.୫ ଓ ରାୟଗଡ଼ାରେ ୪୦ ଡିଗ୍ରୀ ରହିଥିଲା।

ଅନ୍ୟପକ୍ଷରେ ଆଜି ରାଜ୍ୟର ଅନ୍ୟ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ରହିଥିଲା। ନୟାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୩ ଡିଗ୍ରୀ ରହିଥିବା ବେଳେ ତାଳଚେରରେ ୩୯, ଅନୁଗୋଳରେ ୩୮.୭, ଯାଜପୁରରେ ୩୮, ଦାରିଙ୍ଗବାଡ଼ିରେ ୩୮, କୋରାପୁଟରେ ୩୭, ଦେବଗଡ଼ରେ ୩୬.୬, ଖୋର୍ଦ୍ଧାରେ ୩୬, କେନ୍ଦ୍ରାପଡ଼ାରେ ୩୬, ଢେଙ୍କାନାଳରେ ୩୫.୬, ଛତ୍ରପୁରରେ ୩୫.୬, କଟକରେ ୩୫, ଗୋପାଳପୁରରେ ୩୪.୫, କେନ୍ଦୁଝରରେ ୩୪, ପୁରୀରେ ୩୪.୧, ଭୁବନେଶ୍ୱରରେ ୩୪, ପାରାଦୀପରେ ୩୩.୧, ଚାନ୍ଦବାଲିରେ ୩୨.୮, ଭଦ୍ରକରେ ୩୨ ଓ ବାଲେଶ୍ୱରରେ ୩୧.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା।

Advertisment

ଗୋପାଳପୁର, ପୁରୀ, ଭୁବନେଶ୍ୱର, ପାରାଦୀପ, କେନ୍ଦୁଝର, ଚାନ୍ଦବାଲି ଓ ବାଲେଶ୍ୱର ଆଦି ସ୍ଥାନରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ତଳକୁ ରହିଥିଲେ ହେଁ ଆଦ୍ରତା ବହୁତ ଅଧିକ ରହିଥିଲା। ଦିନ ଅଢ଼େଇଟା ସୁଦ୍ଧା ଗୋପାଳପୁରରେ ଆଦ୍ରତା ୭୭% ରହିଥିବା ବେଳେ ପୁରୀରେ ୮୪%, ଭୁବନେଶ୍ୱରରେ ୭୫%, କେନ୍ଦୁଝରରେ ୮୦%, ପାରାଦୀପରେ ୮୫%,ଚାନ୍ଦବାଲିରେ ୮୧% ଓ ବାଲେଶ୍ୱରରେ ୮୭% ରହିଥିଲା। ଫଳରେ ତାତି ନଥିଲେ ବି ପ୍ରବଳ ଗୁଳୁଗୁଳିରେ ହନ୍ତସନ୍ତ ହୋଇଛନ୍ତି ଲୋକେ।

ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରୁ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ଆହୁରି ତିନି ଦିନ ନିସ୍ତାର ନାହିଁ। ଆଗାମୀ ତିନି ଦିନ ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ପାଇଁ ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ରାଜ୍ୟର୧୫ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। ୩ ତାରିଖ ଯାଏ ଜାରି ରହିବ ଗ୍ରୀଷ୍ମ ଲହରୀ। ଏଥିପାଇଁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ପିକ୍ ଆୱାରରେ ବାହାରକୁ ନବାହାରିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଲୋକଙ୍କୁ ଦିଆଯାଇଛି ପରାମର୍ଶ।

ଆସନ୍ତାକାଲି ସମ୍ବଲପୁର, ସୋନପୁର, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହରୁ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ସେହିଭଳି ରାତିରେ ମଧ୍ୟ ଗରମ ଅନୁଭୂତ ହେବ। ସେଥିପାଇଁ ଏହି ଚାରି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ଝାରସୁଗୁଡ଼ା, ବରଗଡ଼ ଓ ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ତାତି ଓ ଗୁଳୁଗୁଳି ପାଗ ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର,କଟକ, ଯାଜପୁର,ଢେଙ୍କାନାଳ, ଖୋର୍ଦ୍ଧା,ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Heat Wave Heat Wave In Odisha Weather Report Weather Update