Advertisment

‘କାଲି ରାତି ସୁଦ୍ଧା ସରିବ ସ୍ଥାନାନ୍ତର ପ୍ରକ୍ରିୟା, ସବୁ ସେଣ୍ଟରରେ ରହିବେ ମହିଳା ପୁଲିସ୍‌’

ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ଆସନ୍ତାକାଲି ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ । ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

author-image
Niharika Rout
Suresh Pujari

Suresh Pujari

‘ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଫୁଲ୍ ଦମ୍‌ରେ ପ୍ରସ୍ତୁତ । ତୃଣମୂଳ ସ୍ତରରେ ସବୁ ପ୍ରସ୍ତୁତି ଶେଷ ହୋଇଛି। କାରଣ ବାତ୍ୟା ପହଞ୍ଚିବା ପୂର୍ବରୁ ଲୋକଙ୍କ ନିକଟରେ ସରକାର ପହଞ୍ଚି ସାରିଛନ୍ତି।’ ଏପରି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Advertisment

ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ଆସନ୍ତାକାଲି ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ । ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।  

ସମ୍ଭାବ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ୨୫୦ଟି ରିଲିଫ୍ ସେଣ୍ଟରର ବ୍ୟବସ୍ଥା କରାଯାଇଛି । ସବୁ ରିଲିଫ୍ ସେଣ୍ଟରରେ ମହିଳା ପୁଲିସ ମୁତୟନ ରହିବେ । ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ଆଗୁଆ ସ୍ଥାନାନ୍ତର ପରାମର୍ଶ ଦିଆଯାଇଛି ।

Advertisment

ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାଉଣ୍ଡ ଜିରୋରେ ତଦାରଖ ଚାଲିଛି । ସରକାରୀ ଆଶ୍ରୟସ୍ଥଳୀ ଛଡ଼ା ଆଉ ୫୦୦ଟି ଅସ୍ଥାୟୀ ଶିବିର ପ୍ରସ୍ତୁତ କରାଯାଇଛି । ଔଷଧ, ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି ।

ସମ୍ଭାବ୍ୟ ବାତ୍ୟା କୁ ନେଇ ପାରାଦୀପଠୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ସବୁ ପାର୍ଶ୍ୱବତୀ ଜିଲ୍ଲାରେ ଓଡ୍ରାଫ ଟିମ୍‌ ଓ ଏନଡିଆରଏଫ ଟିମ୍‌ ମୁତୟନ ହୋଇ ସାରିଲେଣି। ଅଧିକ ଟିମଙ୍କୁ ଆଲର୍ଟ କରି ରଖାଯାଇଛି। କୌଣସି କ୍ଷୟକ୍ଷତି ହେଲେ ସେମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯିବ । ରେଳ ବିଭାଗ, ଟେଲି କମ୍ୟୁନିକେସନ, ଶକ୍ତି ବିଭାଗ ଆଦି ବିଭାଗ ସହ ମଧ୍ୟ ସମନ୍ୱୟ ରଖାଯାଇଛି। ସମ୍ଭାବ୍ୟ ବାତ୍ୟା ହେଲେ କିପରି ଏହି ସବୁ ସେବା ନିରବଚ୍ଛିନ ଭାବେ ଯୋଗାଇ ହେବ ସେ ନେଇ କାମ ଆରମ୍ଭ ହୋଇ ଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ଡ୍ୟାମର ଜଳଭଣ୍ଡାର ଫୁଲ୍‌ ଥିବା ବେଳେ ବର୍ଷା ହେତୁ ପୁଣି ଥରେ ଜଳ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଜଳ ସମ୍ପଦ ବିଭାଗ ଅଧିକାରୀସବୁ ଡ୍ୟାମ୍ ଉପରେ ନଜର ରଖିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସମ୍ଭାବ୍ୟ ବାତ୍ୟା ସମୟରେ ସ୍କୁଲ ଛୁଟି କରାଯାଇଥିବା ବେଳେ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। କାରଣ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି କହିଛନ୍ତି ମନ୍ତ୍ରୀ ।

ଏହି ସମୟରେ ରାଜ୍ୟର ସମସ୍ତ ପୋର୍ଟରେ ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଏଥିସହ ଯେଉଁମାନେ ସମୁଦ୍ରକୁ ଯାଇଥିଲେ ସେମାନେ କୂଳକୁ ଫେରି ଆସିଲେଣି ।

ବାତ୍ୟା ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସରକାର ପହଞ୍ଚି ସାରିଲେଣି । ବାତ୍ୟା ଆସିବ, ଯିବ । ମାତ୍ର ଏହି ସମୟରେ ଲୋକଙ୍କୁ ସୁରକ୍ଷା ଦେବାକୁ ଓଡ଼ିଶା ସରକାର ଗ୍ରାଉଣ୍ଡ ଜିରୋରେ ବ୍ୟବସ୍ଥା କରି ସାରିଛନ୍ତି। ଏଥିସହ ସରକାର ରାଜ୍ୟବାସୀଙ୍କ ରକ୍ଷା କବଚ ପାଲଟିବେ ବୋଲି କହିଛନ୍ତି ମନ୍ତ୍ରୀ ପୂଜାରୀ ।

Weather Report Cyclone Update Cyclone Dana