/odisha-reporter/media/media_files/2026/02/14/accident-2026-02-14-17-14-42.jpg)
ମାଲକାନଗିରି ଜିଲ୍ଲା ମାଥିଲି ଥାନା ଉଦୁଲିବେଡ଼ା ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥରେ ଶନିବାର ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି, ମାଲକାନଗିରି ଜିଲ୍ଲା ମାଥିଲିର ଉପରସାହିର କେଶବ ଗୌଡ଼। ସେ ବାଇକ୍ରେ ଯାଉଥିବା ବେଳେ ଗୋବିନ୍ଦପାଲି ଅଭିମୁଖେ ଯାଉଥିବା ଏକ ଚିପ୍ସ ବୋଝେଇ ହାଇୱା ଉଦୁଲିବେଡ଼ା ନିକଟରେ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ କେଶବ ଗୌଡ଼ଙ୍କର ମୃତ୍ୟୁ ଘଟିଥିଲା। ସେ ଜଣେ ଶ୍ରମିକ ଶ୍ରେଣୀର ବ୍ୟକ୍ତି ଥିଲେ।
ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ କେଶବ ଗୌଡ଼ଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଦାବି କରୀ ସ୍ଥାନୀୟ ଲୋକେ ୩୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ।
ଖବର ପାଇ ମାଥିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।
ଅନ୍ୟପକ୍ଷରେ ଆଜି ଅଭର୍ ଟେକ୍ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ଯାତ୍ରୀବାହୀ ବସ୍। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ କଲେଜ ନିକଟରେ ଘଟିଛି ଏହି ଦୁର୍ଘଟଣା।
ଏହି ଘରୋଇ ଯାତ୍ରୀବାହୀ ବସ୍ଟି ଆର. ଉଦୟଗିରିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଚାନ୍ଦିପୁଟ କଲେଜ ନିକଟରେ ଆଉ ଏକ ବସ୍କୁ ଏହା ଦ୍ରୁତ ଗତିରେ ଓଭର ଟେକ୍ କରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ଯାଇଥିଲା ଓ ଏକ ପାହାଡ଼ର ପାଦଦେଶରେ ଥିବା ଏକ ଢିପରେ ଜୋରରେ ପିଟି ହୋଇଯାଇଥିଲା।
ଏହି ଦୁର୍ଘଟଣାରେ ବସ୍ର ସମ୍ମୁଖଭାଗ ଭାଙ୍ଗି ଯାଇଥିବା ବେଳେ ଏହାର କିଛି ସିଟ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ପୁଲିସ ଓ ଆଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
