Advertisment

Accident Death: ପିଟି ଦେଇଥିଲା ବାଇକ୍‌, ଆଖି ବୁଜିଲେ ଡାକ୍ତରୀ ଛାତ୍ରୀ

ଶନିବାର କଲେଜ ପାଖରେ ତାଙ୍କୁ ଧକ୍କା ଦେଇଥିବା ବାଇକ୍‌ଟି ଦ୍ରୁତ ଗତିରେ ଯାଉଥିଲା। ସିମରନ ଷଡ଼ଙ୍ଗୀଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି।

author-image
Jitendra Garnayak
Simran Sarangi

ମୃତ ଡାକ୍ତରୀ ଛାତ୍ରୀ ଓ ଦୁର୍ଘଟଣା ଘଟାଇଥିବା ବାଇକ୍‌

ଗତ ଶନିବାର ସକାଳେ ବଲାଙ୍ଗିର ଆୟୁର୍ବେଦିକ କଲେଜ ସମ୍ମୁଖରେ ବାଇକ୍ ଧକ୍କାରେ ଗୁରୁତର ଆହତ ହୋଇଥିବା ଜଣେ ଡାକ୍ତରୀ ଛାତ୍ରୀଙ୍କର ସୋମବାର ମୃତ୍ୟୁ ହୋଇଯାଇଛି।

Advertisment

ମୃତ ଡାକ୍ତରୀ ଛାତ୍ରୀଙ୍କ ନାଁ ସିମରନ୍ ଷଡ଼ଙ୍ଗୀ। ସେ ବଲାଙ୍ଗିର ଆୟୁର୍ବେଦିକ କଲେଜର ପ୍ରଥମ ବର୍ଷର ଛାତ୍ରୀ ଥିଲେ।

ଶନିବାର ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୂଜା କରିଥିବା ଏକ ନଡ଼ିଆକୁ ନିକଟରେ ଥିବା ମହାରାଣୀ ସାଗରରେ ଭସାଇବା ପାଇଁ ଯାଉଥିଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ପ୍ରଥମ ବର୍ଷର ଡାକ୍ତରୀ ଛାତ୍ରୀ ସିମରନ ଷଡଙ୍ଗୀ ।  ସେ ରାସ୍ତା ପାର ହେଉଥିବା ବେଳେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା।ଏହି ଦୁର୍ଘଟଣାର ଦୃଶ୍ୟ ନିକଟସ୍ଥ ସିସିଟିଭିରେ କଏଦ ହୋଇଛି। ଏଥିରେ ଦେଖିବାକୁ ମିଳିଛି ଯେ ବାଇକ୍‌ଟି ଦ୍ରୁତଗତିରେ ଯାଉଥିଲା। ଜଣେ ବାଇକ୍‌ ଚଲାଉଥିବା ବେଳେ ଆଉ ଜଣେ ଏହା ପଛରେ ଚାଳକଙ୍କୁ ଧରି ଛିଡ଼ା ହୋଇଥିଲେ। ବାଇକ୍‌ଟି ତାଙ୍କୁ ଏତେ ଜୋରରେ ପିଟି ଥିଲା ଯେ ସେ ଉପରକୁ ଉଠି ଯାଇ ତଳେ କଚାଡ଼ି ହୋଇପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। 

Advertisment

ଗୁରୁତର ଆହତ ଅବସ୍ଥାରେ ଡାକ୍ତରୀ ଛାତ୍ରୀ ସିମରନ ଷଡ଼ଙ୍ଗୀଙ୍କୁ ବରଗଡ଼ର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।    

ସିମରନ ଷଡ଼ଙ୍ଗୀଙ୍କ ମୃତ୍ୟୁ ଖବର ପାଇବା ପରେ ବାଲାଙ୍ଗିର ଆୟୁର୍ବେଦିକ କଲେଜରେ ଉତ୍ତେଜନା ଦେଖାଦେଇଛି। ମୃତ ଡାକ୍ତରୀ ଛାତ୍ରୀଙ୍କ ନ୍ୟାୟ ପ୍ରଦାନ ଦାବିରେ କଲେଜର ଡାକ୍ତରୀ ଛାତ୍ରଛାତ୍ରୀମାନେ ରାସ୍ତାରେ ଧାରଣା ଦେଇଥିଲେ। ତହସିଲବାର ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। 

ବଲାଙ୍ଗିର ସହର ଭିତରେ କିଛି ଯୁବକ ଦାମୀ ବାଇକଗୁଡ଼ିକୁ ଦ୍ରୁତ ଗତିରେ ଚଲାଇ ଦୁର୍ଘଟଣା ଘଟାଉଥିବା ଅଭିଯୋଗ ହୋଇଛି। ଏହା ଉପରେ ରୋକ ଲଗାଇବା ଦିଗରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଅନ୍ୟପକ୍ଷରେ ଆଜି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ପିଠାମାରେନରେ ଏକ କଣ୍ଟେନର ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଘଟଣାରେ ତିନି ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ବାଇକ୍‌ ଓ କଣ୍ଟେନର ମଧ୍ୟରେ ଧକ୍କା ପରେ ଲାଗି ଯାଇଥିଲା ନିଆଁ। ନିଆଁରେ ଜଳି ଯାଇଛି କଣ୍ଟେନର ଓ ବାଇକ୍‌।