ପୋଖରୀରେ ବୁଡ଼ି ମା’-ଝିଅଙ୍କ ମୃତ୍ୟୁ

ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ସନ୍ଧ୍ୟାରାଣୀ ପ୍ରଧାନ ଓ ତାଙ୍କ ଝିଅ ବୁଡ଼ି ଯାଇଥିବା ଜଣାପଡ଼ିଛି।

Representational Image

  • Published: Tuesday, 24 October 2023
  • , Updated: 24 October 2023, 04:23 PM IST

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁରେ ପୋଖରୀରେ ବୁଡ଼ି ଆଜି ଜଣେ ମହିଳା ଓ ତାଙ୍କ ଝିଅର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପତ୍ନୀ ସନ୍ଧ୍ୟାରାଣୀ ପ୍ରଧାନ ଓ ତାଙ୍କ ୧୩ ବର୍ଷର ଝିଅ ବର୍ଷାରାଣୀ ପ୍ରଧାନ।

ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ସନ୍ଧ୍ୟାରାଣୀ ଓ ତାଙ୍କ ଝିଅ ବୁଡ଼ି ଯାଇଥିବା ଜଣାପଡ଼ିଛି। ସେମାନେ ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ସନ୍ଧ୍ୟାରାଣୀଙ୍କ ମା’ ପୋଖରୀ ନିକଟକୁ ଯାଇଥିଲେ। ସେତେବେଳେ ସନ୍ଧ୍ୟାରାଣୀ ଓ ବର୍ଷାରାଣୀ ପୋଖରୀରେ ଭାସୁଥିବା ସେ ଦେଖିବାକୁ ପାଇଥିଲେ।

ଘଟଣା ସଂପର୍କରେ ଜଣାପଡ଼ିବା ପରେ ଗ୍ରାମବାସୀ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ସନ୍ଧ୍ୟାରାଣୀ ଓ ତାଙ୍କ ଝିଅ ବର୍ଷାରାଣୀଙ୍କୁ ପୋଖରୀରୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

୨୦୧୮-୧୯ରୁ ୨୦୨୨-୨୩ ବର୍ଷ ମଧ୍ୟରେ ରାଜ୍ୟରେ ପୋଖରୀ, ନଦୀ, ଜଳପ୍ରପାତ, ସମୁଦ୍ର ଆଦିରେ ବୁଡ଼ି ୭୮୭୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ନୟାଗଡ଼ ଜିଲ୍ଲାରେ ୧୨୦ ଜଣ ବୁଡ଼ି ମରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଗୃହରେ ଏହି ତଥ୍ୟ ଦେଇଥିଲେ।

ଦଶପଲ୍ଲାରୁ ସଞ୍ଜୀବ ସାହୁଙ୍କ ରିପୋର୍ଟ

Related story