Advertisment

ନିଖୋଜ ଦୁଇ ଡାକ୍ତରଙ୍କ ପରିବାର ସହ କଥା ହେଲେ ରାଜ୍ୟ ସରକାର, ଦେଲେ ଆଶ୍ୱାସନା

ପୁଅଙ୍କ ଫେରିବା ବାଟକୁ ଅନାଇ ଉଭୟଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ରାଜ୍ୟ ସରକାର ।

Minister & MISSING Doctors

Minister & MISSING Doctors

Advertisment

ଗତ ସୋମବାର ରାତିରେ କେରଳ ରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ନିଖୋଜ ଥିବା ଦୁଇ ଓଡ଼ିଆ ଡାକ୍ତରଙ୍କ ପତ୍ତା ମିଳୁନି। ଏପରି ସ୍ଥଳରେ ପୁଅଙ୍କ ଫେରିବା ବାଟକୁ ଅନାଇ ଉଭୟଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ରାଜ୍ୟ ସରକାର । ଏଥିସହ ଦୁଇ ଜଣ ଡାକ୍ତର ସେମାନଙ୍କ ପତ୍ନୀଙ୍କ ସହ ସକୁଶଳେ ଓଡ଼ିଶା ଫେରି ଆସିବେ ବୋଲି ଦୃଢ ଆଶା ବ୍ୟକ୍ତ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

Advertisment

ନିଖୋଜ ଡାକ୍ତରଦ୍ୱୟ ହେଉଛନ୍ତି କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ତାଙ୍କ ବନ୍ଧୁ ଡାକ୍ତର ସ୍ଵାଧୀନ ପଣ୍ଡା । ଖୁବ୍‌ ଶୀଘ୍ର ସେମାନଙ୍କୁ ଠାବ କରିବାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋଶାଲ ମିଡ଼ିଆ Xରେ ଦର୍ଶାଇଛି ଯେ, ରାଜ୍ୟ ସରକାର କେରଳ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଷ୍ଣୁପ୍ରସାଦ ଚିନାରାଙ୍କ ଘରେ ପହଞ୍ଚିଛି ପ୍ରଶାସନ। ଅତିରିକ୍ତ ତହସିଲଦାର ଓ ବିଡ଼ିଓଙ୍କ ସମେତ ବିଧାୟକ ସୋଭିକ୍ ବିଶ୍ୱାଳ ପହଞ୍ଚି ପରିବାରକୁ ଆଶ୍ୱାସନା ଦେଇଛନ୍ତି। ସମସଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଉଥିବା କହିଛନ୍ତି।

Advertisment

ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ପୂଜାରୀ କହିଛନ୍ତି, ଦୁଇ ଡାକ୍ତର ନିଖୋଜ ହେବା ନେଇ ଓଡ଼ିଶା ସରକାର କେରଳ ସରକାରଙ୍କ ସହ ସମ୍ପର୍କରେ ଅଛନ୍ତି। ଏସଆରସି ମଧ୍ୟ ନିଜ ପ୍ରତିପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ନିଖୋଜ ୨ ଡାକ୍ତରଙ୍କ ପରିବାର ସହ ମଧ୍ୟ ଯୋଗାଯୋଗରେ ଅଛୁ । ପରିବାର ବର୍ଗଙ୍କୁ ପ୍ରତ୍ୟେକ ସମୟରେ ଅପଡେଟ୍ ଖବର ଦିଆଯାଉଛି। ଦୁଇ ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଖୁବ୍‌ ଶୀଘ୍ର ଉଦ୍ଧାର ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରିବେ ବୋଲି ଆଶା ରଖିଛନ୍ତି ମନ୍ତ୍ରୀ।

ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କ ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲ ଓ ଡାକ୍ତର ସ୍ଵାଧୀନ ପଣ୍ଡା ଓ ପତ୍ନୀ ସ୍ୱୀକୃତି ମହାପାତ୍ର ଗତ ୨୬ ତାରିଖରେ ବାଙ୍ଗାଲୁରୁ ବୁଲିବା ପାଇଁ ଯାଇଥିଲେ। ସେମାନେ ସେଠାରୁ କେରଳ ଯାଇ ୱାଇନାଡର ଲିନରା ଭିଲ୍ଲାରେ ରହିଥିଲେ।

ଦୁର୍ଭାଗ୍ୟକୁ ସୋମବାର ରାତିରେ ମୋପ୍ପାଡି, ମୁବାଡକାଇ ଓ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ ପରେ ମାଟି ମିଶା ବନ୍ୟା ପାଣି ବିଭିନ୍ନ ଜନବସତୀ ଅଞ୍ଚଳକୁ ମାଡ଼ି ଆସିଥିଲା। ଫଳରେ ସମସ୍ତେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିବା ବେଳେ ଉଭୟ ପ୍ରିୟଦର୍ଶିନୀ ପାଲ ଓ ସ୍ୱୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇଛି। ଉଭୟ ଏବେ କେରଳର ଏକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ମାତ୍ର ଉଭୟ ବିଷ୍ଣୁ ପ୍ରସାଦ ଓ ସ୍ଵାଧୀନଙ୍କ ପତ୍ତା ମିଳି ପାରୁନି।

ଫଳରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ପୁଅଙ୍କ ଫେରିବା ବାଟକୁ ଅନାଇ ରହିଛନ୍ତି । ଏପରି ସମୟରେ ସେମାନଙ୍କ ମନୋବଳ ବଢ଼ାଇବା ସହ ସେମାନଙ୍କ ସହ ଛିଡ଼ା ହୋଇଛନ୍ତି ରାଜ୍ୟ ସରକାର। ଏଥିସହ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ଭାବେ ରାଜ୍ୟକୁ ଫେରାଇ ଆଣିବାକୁ ଯଥାସାଧ୍ୟ ଉଦ୍ୟମ କରାଯାଉଥିବା କହିଛନ୍ତି ମନ୍ତ୍ରୀ ପୂଜାରୀ।

କେରଳରେ ଦେଖିବାକୁ ମିଳିଛି ପ୍ରକୃତି ତାଣ୍ଡବ। ଗତ ସୋମବାର ରାତିରେ ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୧୫୬ ଟପି ସାରିଲାଣି। ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ, ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟରେ ସେନା, NDRF, ବାୟୁସେନା ପ୍ରମୁଖ ନିୟୋଜିତ ହୋଇଛନ୍ତି। ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ମାଟି ତଳେ ଦବି ଯାଇଥିବା ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି।  

Cuttack Kerala Odisha Doctors Landslide Missing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe