Advertisment

Accident: ଟ୍ରକ୍‌ ପଛରେ ପିଟି ହେଲା ବାଇକ୍‌; ବାପପୁଅ ମୃତ, ମା’ ଗୁରୁତର

ରାଜ୍ୟର ପୃଥକ ପୃଥକ ସ୍ଥାନରେ ଟ୍ରକ୍ ପଛରେ ବାଇକ୍ ପିଟି ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଓ ତାଙ୍କ ଶିଶୁ ପୁତ୍ର ଅଛନ୍ତି।

author-image
Jitendra Garnayak
Truck

ଏକ ବାଇକ୍‌ ଏକ ଟ୍ରକ୍ ପଛରେ ପିଟି ହେବାରୁ ଜଣେ ବ୍ୟକ୍ତି ଓ ତାଙ୍କ ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି। କେନ୍ଦୁଝର ସଦର ଥାନା ତେନ୍ତୁଳି ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। 

Advertisment

ଘଟଣାସ୍ଥଳରେ ସଦର ଥାନା ଶୁଆକାଟି ଫାଣ୍ଡି ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ହେଲେ ସେଠାରେ ଡାକ୍ତର ଏମ୍‌ଡି ନୂର ଓ ତାଙ୍କ ପୁଅଙ୍କୁ ମୃତ ଘୋଷଣା କରିଥିଲେ। ଏମ୍‌ଡି ନୂର ତେନ୍ତୁଳିଠାରେ ଜଣେ ଡାଇନୋମା ମିସ୍ତ୍ରୀ ଭାବେ କାମ କରୁଥିଲେ। 

ସେହିପରି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଗୌଡୁଣିପୋଷ ଛକ ନିକଟରେ ୧୪୩ ନମ୍ୱର ଜାତୀୟ ରାଜପଥରେ ଏକ ଟ୍ରକ୍ ପଛରେ ବାଇକ୍‌ଟିଏ ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ବାଇକ୍ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

Advertisment

ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଆଉ ଜଣଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତକ ଦ୍ୱୟ ଚାନ୍ଦିପୋଷ ଏବଂ କେ. ବଳଙ୍ଗ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଆହତ ଜଣଙ୍କ ହେଉଛନ୍ତି ଚାନ୍ଦିପୋଷର ମୁଣ୍ଡା ସାହିର ଦାମୁ ମୁଣ୍ଡା।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖଜୁରିଡ଼ିହା ଛକ ନିକଟରେ ୨୨୦ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତି ପ୍ରାୟ ୯ଟା ବେଳେ ଜଣେ ବ୍ୟକ୍ତି ଠିଆ ହୋଇ ମୋବାଇଲ୍‌ରେ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଦେଖୁଥିବା ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଜଗନ୍ନାଥ ମହାନ୍ତ। ତାଙ୍କୁ ୫୦ ବର୍ଷ ହୋଇଥିଲା। ତାଙ୍କ ଘର ଖଜୁରିଡିହାରେ।

ଜଗନ୍ନାଥଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଯେଉଁ ବାଇକ୍‌ ତାଙ୍କୁ ପିଟିଥିଲା, ସେଥିରେ ଯେଉଁ ଦୁଇ ବ୍ୟକ୍ତି ବସିଥିଲେ, ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୋଟିଏ ପଟେ ଜଗନ୍ନାଥଙ୍କ ଝିଆରୀଙ୍କ ବାହାଘର ଚାଲିଥିବା ବେଳେ ଅନ୍ୟପଟେ ତାଙ୍କର ମୃତ୍ୟୁ ଘଟିଥିଲା।