Advertisment

ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା

ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।

author-image
Niharika Rout
ଅଦ୍ୟତନ ହୋଇଛି
Goutam Adani

Goutam Adani

ଭାରତର ସବୁଠୁ ଧନୀ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମେତ ୮ ଜଣଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଆମେରିକାର ଏକ କୋର୍ଟ ଗିରଫ ପରୱାନା ଜାରି କରିଛି। ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।

Advertisment

ଆଦାନୀ ଙ୍କ ବିରୋଧରେ ଗିରଫ ପରୱାନା ଜାରି ହେବା ଖବର ପ୍ରଚାରିତ ହେବା ପରେ ଭାରତୀୟ ଶେଆର ବଜାରରେ ଗୋଟିଏ ଦିନରେ ୫ ଲକ୍ଷ ୩୫ ହଜାର କୋଟି ଟଙ୍କା ବୁଡ଼ି ଯାଇଛି। ଏହା ଆମ ଦେଶର ବାର୍ଷିକ ରକ୍ଷା ବଜେଟ ସହ ସମାନ ବୋଲି କୁହାଯାଉଛି। ଏପରିକି ଏହି ଖବର ପ୍ରଚାରିତ ହେବା ପରେ ଭାରତୀୟ ଷ୍ଟକ୍‌ ମାର୍କେଟ ଗୋଟିଏ ମିନିଟ୍‌କୁ ୧୧୫ କୋଟି ଟଙ୍କା କ୍ଷତି ସହୁଥିବା କୁହାଯାଇଛି।

ଏଥିସହ ଆଦାନୀ ଗ୍ରୁପ୍‌ ଅଧୀନରେ ଥିବା କମ୍ପାନୀମାନଙ୍କର ୨ ଲକ୍ଷ୨୦ ହଜାର କୋଟି ଟଙ୍କାର କ୍ଷତି ଘଟିଛି। ଆମେରିକା କୋର୍ଟଙ୍କ ରାୟ ପ୍ରକାଶ ହେବା ପୂର୍ବରୁ ଆଦାନୀ ଗ୍ରୁପ୍‌ ଅଧୀନରେ ଥିବା କମ୍ପାନୀମାନଙ୍କର ମାର୍କେଟ ଭ୍ୟାଲୁ ୧୪ ଲକ୍ଷ ୩୧ ହଜାର କୋଟି ଥିଲା। ତାହା ଏବେ ୧୨ ଲକ୍ଷ ୧୦ ହଜାର କୋଟିକୁ ଖସି ଆସିଛି। ଗୌତମ ଆଦାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି ହୋଇଥିବା ବେଳେ ସମଗ୍ର ବିଶ୍ୱରେ ୨୨ତମ ସ୍ଥାନ ହାସଲ କରିଥିଲେ। ମାତ୍ର ଏବେ ସେ ୨୫ ତମ ସ୍ଥାନକୁ ଖସି ଆସିଛନ୍ତି।

Advertisment

ଆଦାନୀ ବିରୋଧରେ ଆମେରିକାର ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭାରତରେ ରାଜନୀତି ଜୋର ଧରିଛି। ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଆମେରିକାର ଅଭିଯୋଗ ପରେ ଘଟଣାର ଜଏଣ୍ଟ ପାର୍ଲାମେଣ୍ଟାରି କମିଟି (ଜେପିସି) ତଦନ୍ତ କରୁ ବୋଲି ଦାବି କରିଛି କଂଗ୍ରେସ।

ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏବଂ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ (DOJ) ଅଭିଯୋଗ କରିଥିଲେ ଯେ ଆମେରିକାରେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀ ନିଜ ରିନ୍ୟୁଏବଲ ଏନର୍ଜି କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ହାସଲ ନିମସ୍ତେ ଭାରତର ସରକାରୀ ଅଧିକାରୀଙ୍କୁ ପାଖାପାଖି ୨୬୫ ନିୟୁତ ଡଲାର (୨,୨୩୬ କୋଟି ଟଙ୍କା) ଲାଞ୍ଚ ଦେଇଛନ୍ତି। ଅନେକ ମାମଲାରେ ଆଦାନୀ ନିଜେ ସରକାରୀ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିଥିବା ଅଭିଯୋଗ ହୋଇଛି।

୨୦୨୦ରୁ ୨୦୨୪ ମଧ୍ୟରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଭାରତର ଆନ୍ଧ୍ରପ୍ରଦେଶ,ଜମ୍ମୁ- କଶ୍ମୀର, ତାମିଲନାଡ଼ୁ ଓ ଛତିଶଗଡ଼ର ବହୁ ସରକାରୀ ଅଧିକାରୀଙ୍କୁ ୨୦୨୧ରୁ ୨୦୨୨ ମସିହା ମଧ୍ୟରେ ପ୍ରାୟ ୨୨ଶହ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି।

ଏହାବାଦ ଆମେରିକା ନିବେଶକାରୀଙ୍କୁ ମିଛ ପ୍ରଲୋଭନ ଦେଖାଇ ଷ୍ଟକ ଏକ୍ସଚେଞ୍ଜ ଜରିଆରେ ଆଦାନୀ ଠକେଇ କରିଥିବା ମଧ୍ୟ ଜଣାପଡ଼ିଛି। ଏହି ଘଟଣା ପରେ ଆମେରିକାର ଏକ କୋର୍ଟ ସେମାନଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି।

ମାତ୍ର ଆଦାନୀ ଗ୍ରୁପ୍ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି। ଏସବୁ ଅଭିଯୋଗ ଭିତ୍ତିହୀନ, କମ୍ପାନୀ ସମସ୍ତ ନିୟମ ଅନୁପାଳ କରିଛି, ଦରକାର ପଡ଼ିଲେ ସମସ୍ତ ଆଇନଗତ ପନ୍ଥା ଆପଣାଯିବ ବୋଲି ଆଦାନୀ ଗ୍ରୁପ୍ କହିଛି।

Gautam Adani Adani Group Adani Bribe Row US Bribe Charge