ଫେଲ୍ ମାରିଛି କି ପୁଲିସ:  ମାସକରେ ୧୧୧ ହତ୍ୟା, ୯୨୫ ମହିଳା ନିର୍ଯାତନା ମାମଲା, ୨୦୨୪ରେ ବଢ଼ିଛି ୧୪ହଜାର ମାମଲା

୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ରାଜ୍ୟରେ ଅପେକ୍ଷାକୃତ ୧୪୧୫୯ଟି ଅପରାଧ ମାମଲା ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି ।

Odisha

representational image

Ordigital Desk
  • Published: Monday, 10 March 2025
  • , Updated: 10 March 2025, 08:36 PM IST

ଅପରାଧ ନିୟନ୍ତ୍ରଣରେ ଫେଲ୍ ମାରିଛି କି ଓଡ଼ିଶା ପୁଲିସ୍ । ଗୃହବିଭାଗର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରମ୍ବାର ପୁଲିସକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ ହେବା ନିମନ୍ତେ ଦେଉଥିବା ପରାମର୍ଶ ବି ଫଳପ୍ରଦ ହୋଇପାରିନି । ଯେଉଁଥିପାଇଁ ମାତ୍ର ମାସକ ମଧ୍ୟରେ(କେବଳ ୨୦୨୫ ଜାନୁୟାରୀ ମାସରେ) ରାଜ୍ୟରେ ୧୧୧ଟି ହତ୍ୟା, ୧୯୪ଟି ସାଇବର ଅପରାଧ ଓ ମହିଳାଙ୍କ ବିରୁଦ୍ଧରେ ହିଂସା, ନିର୍ଯାତନା ଓ ଅସଦାଚରଣର ମୋଟ ୯୨୫ଟି ମାମଲା ରୁଜୁ ହୋଇଛି ।

କେବଳ ସେତିକି ନୁହେଁ ୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ରାଜ୍ୟରେ ଅପେକ୍ଷାକୃତ ୧୪୧୫୯ଟି ଅପରାଧ ମାମଲା ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି । ୨୦୨୪ ମସିହାରେ ରାଜ୍ୟରେ ଦୈନିକ ହାରାହାରି ୮ଜଣରୁ ଅଧିକ ମହିଳାଙ୍କୁ ଦୁଷ୍କର୍ମର ଶୀକାର ହେବାକୁ ପଡ଼ୁଥିଲା । ଗୃହ ବିଭାଗର ଶ୍ୱେତପତ୍ର ବିଧାନସଭାରେ ଉପସ୍ଥାପିତ ହେବା ପୂର୍ବରୁ ରାଜ୍ୟରେ ଅପରାଧର ଏହି ଚିତ୍ରକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଏହାସହିତ ପୁଲିସର ପାରିବାପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

୨୦୨୫ ଜାନୁୟାରୀ ମାସର ଅପରାଧ ଚିତ୍ର

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ୨୦୨୫ ମସିହାରେ କେବଳ ଜାନୁୟାରୀ ମାସରେ ରାଜ୍ୟରେ ମୋଟ ୧୧୧ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଛି । ଏଥିରୁ ରାଜଧାନୀ ଭୁବନେଶ୍ୱରରେ ୩, କଟକରେ ୨ଟି ହତ୍ୟା ମାମଲା ହୋଇଛି । ସେହିପରି ୧୫୦୯ଟି ଚୋରି, ୨୦ଟି ଡକାୟତି, ସାଇବର ମାମଲା ୧୯୪ ସମେତ ମହିଳା ବିରୋଧୀ ହିଂସାର ମୋଟ ୯୨୫ଟି ମାମଲା ପଞ୍ଜିକୃତ ହୋଇଛି । ଏଥିରେ ଅସଦାଚରଣ ୬୫୫ଟି, ଯୌନ ନିର୍ଯାତନାର ୭୯ଟି, ମହିଳାଙ୍କୁ ସର୍ବସାଧାରଣରେ ଦୁର୍ବ୍ୟବହାରର ୧୪୯ଟି, ମହିଳାଙ୍କ ପିଛା କରିବାର ୩୧ଟି ଆଦି ମାମଲା ରୁଜୁ ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୮ଟି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୭ଟି ଲେଖାଏଁ,ଗଞ୍ଜାମରେ ୬ଟି ହତ୍ୟା ମାମଲା ରୁଜୁ ହୋଇଛି ।

୨୦୨୪ ମସିହାରେ ଅପରାଧର ଚିତ୍ର

୨୦୨୪ ମସିହାରେ ରାଜ୍ୟରେ ମୋଟ ୨୧୪୧୧୩ଟି ଅପରାଧ ମାମଲା ପଞ୍ଜିକୃତ ହୋଇଛି । ଯାହାକି ୨୦୨୩ ମସିହା ତୁଳନାରେ ୧୪୧୫୯ଟି ଅଧିକ । ତେବେ ୨୦୨୩ ତୁଳନାରେ ୨୦୨୪ ମସିହାରେ ରାଜ୍ୟରେ ଦୁଷ୍କର୍ମ ଓ ରାସ୍ତା ଦୁର୍ଘଟଣା ଆଦି ମାମଲା ହ୍ରାସ ପାଇଛି । ୨୦୨୩ ମସିହାରେ ଦୈନିକ ହାରାହାରି ୭.୭୪% ମହିଳାଙ୍କୁ ଦୁର୍ଷ୍କମର ଶୀକାର ହେବାକୁ ପଡ଼ୁଥିବାବେଳେ ୨୦୨୪ ମସିହାରେ ଏହି ହାର ହାରାହାରି ୮.୩୬%କୁ ବୃଦ୍ଧି ପାଇଛି ।  ୨୦୨୩ ମସିହାରେ ରାଜ୍ୟରେ ଦୁର୍ଷ୍କମ ମାମଲାର ମୋଟ ୨୮୨୬ଟି ମାମଲା ପଞ୍ଜିକୃତ ଥିବାବେଳେ ୨୦୨୪ରେ ଏହା ୩୦୫୪କୁ ବୃଦ୍ଧି ପାଇଥିଲା । ୨୦୨୪ ଜୁନ୍ ମାସରୁ ରାଜ୍ୟରେ ବିଜେପିର ସରକାର କ୍ଷମତାରେ ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଇଥିବା ତଥ୍ୟ ଅନୁସାରେ, ୨୦୨୪ ମସିହାରେ ରାଜ୍ୟରେ ହତ୍ୟା, ଲୁଟ, ଦଙ୍ଗା ଆଦି ମାମଲା ହ୍ରାସ ପାଇଛି । ୨୦୨୪ ମସିହାରେ ରାଜ୍ୟରେ  ମୋଟ ୧୨୫୮ଟି ହତ୍ୟା( ୨୦୨୩ ମସିହା ତୁଳନାରେ ୧୦୪ଟି କମ୍‌), ଡକାୟତି ୩୫୬ଟି, ଲୁଟ୍ ୨୫୮୨ଟି,ସିନ୍ଧିଚୋରି ୬୪୦୮ଟି, ଚୋରି ୧୭୮୦୫ଟି, ସଡ଼କ ଦୁର୍ଘଟଣାରେ ୧୨୩୯୭ଟି ମାମଲା ପଞ୍ଜିକୃତ ହୋଇଛି । ୨୦୨୩ ମସିହାରେ ରାଜ୍ୟରେ ମୋଟ ୧,୯୯,୯୫୪ଟି ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା । ଯାହାକି ୨୦୨୪ରେ ୨,୧.୧୧୩କୁ ବୃଦ୍ଧି ପାଇଛି ।

୨୦୨୪ରେ ହତ୍ୟା ମାମଲାରେ ମୟୂରଭଞ୍ଜ, ମହିଳାଙ୍କୁ ଅସଦାରଣରେ ଯାଜପୁର ସର୍ବାଗ୍ରେ

୨୦୨୪ ମସିହାରେ ରାଜ୍ୟରେ ମୋଟ ୧୨୫୮ଟି ହତ୍ୟାକାଣ୍ଡ ପଞ୍ଜିକୃତ ହୋଇଥିବାବେଳେ ସେଥିରୁ ସର୍ବାଧିକ ୬୭ଟି ମାମଲା ମୟୂରଭଞ୍ଜ ଜିଲ୍ଲାରେ ହୋଇଛି । କେନ୍ଦୁଝର ୬୫ଟି ହତ୍ୟା ମାମଲା ସହ ଦ୍ୱିତୀୟ ଓ ଗଞ୍ଜାମ ୬୧ଟି ମାମଲା ସହ ତୃତୀୟରେ ରହିଛି । ସେହିପରି କେବଳ ରାଜଧାନୀ ଭୁବନେଶ୍ୱରରେ ୪୩ଟି ଓ କଟକରେ ୨୧ଟି ହତ୍ୟା ମାମଲା କମିଶନରେଟ ପୁଲିସ ପଞ୍ଜିକୃତ କରିଛି ।

ତେବେ ୨୦୨୪ମସିହାରେ ମହିଳାଙ୍କୁ ଅସଦାଚରଣ, ନିର୍ଯାତନା ଓ ତାଙ୍କ ବିରୁଦ୍ଧରେ ହିଂସାର ମୋଟ ୧୦୭୯୬ଟି ମାମଲା ପଞ୍ଜିକୃତ ହୋଇଛି । ଏହି ବର୍ଷ ମହିଳାଙ୍କୁ ଅସଦାଚରଣର ମୋଟ ୭୨୯୯ଟି ପଞ୍ଜିକୃତ ମାମଲା ମଧ୍ୟରୁ ଯାଜପୁର ଜିଲ୍ଲାରେ ସର୍ବାଧିକ ୮୫୭ଟି ମାମଲା, ଗଞ୍ଜାମରେ ୬୮୩ଟି ମାମଲା ପଞ୍ଜିକୃତ ହୋଇଛି । ତେବେ ଯୌନ ନିର୍ଯାତନାର ମୋଟ ୧୦୮୨ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ସେଥିରୁ ସର୍ବାଧିକ ୧୧୦ଟି ସେହି ଯାଜପୁର ଜିଲ୍ଲାରେ ପଞ୍ଜିକୃତ ହୋଇଛି । କମିଶନରେଟ ପୁଲିସ ଅଂଚଳରେ ଅର୍ଥାତ୍ ଭୁବନେଶ୍ୱର ପୁଲିସ ଜିଲ୍ଲାରେ ମାତ୍ର ୧୦ଟି ଓ କଟକ ପୁଲିସ ଜିଲ୍ଲାରେ ୭୨ଟି ଏଭଳି ଯୌନ ନିର୍ଯାତନା ମାମଲା ରେକର୍ଡ କରାଯାଇଛି ।

ରାଜ୍ୟ ସରକାର ଗୃହ ବିଭାଗର ଶ୍ୱେତପତ୍ର ଉପସ୍ଥାପିତ କରିବା ପୂର୍ବରୁ ରାଜ୍ୟରେ ଅପରାଧର ଏଭଳି ଚିତ୍ର ପୁଲିସର ଅପାରଗତାକୁ ପଦାରେ ପକାଇ ଦେଇଛି ।

Related story