ଧାମନଗରରେ ସ୍ଥିତି ପରଖିଲେ ଡିଜିପି, କହିଲେ- ସୋଶାଲ ମିଡିଆରେ ଗୁଜବଠୁ ଦୂରେଇ ରୁହନ୍ତୁ

ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବା ପରେ ସୋଶାଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି।

ଧାମନଗର ଗସ୍ତରେ ଥିବା ପୁଲିସ୍‌ ଡିଜି ୱାଇ.ବି ଖୁରାନିଆ ।

  • Published: Tuesday, 01 October 2024
  • , Updated: 01 October 2024, 12:59 PM IST

ଧୀରେ ଧୀରେ ସୁଧୁରୁଛି ଭଦ୍ରକର ସ୍ଥିତି। ସ୍ଥିତିରେ ସମୀକ୍ଷା ପାଇଁ ଆଜି ଭଦ୍ରକ ଗସ୍ତରେ ଯାଇଛନ୍ତି ପୁଲିସ୍‌ ଡିଜି ୱାଇ.ବି ଖୁରାନିଆ । ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବା ପରେ ସୋଶାଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ । ପୁଲିସ ଗୁରୁଦାୟିତ୍ୱ ତୁଲାଉଛି, ନିଶ୍ଚିତ ସ୍ଥିତିରେ ସୁଧାର ଆସିବ। ମାତ୍ର ସୋଶାଲ ମିଡିଆରେ ପୋଷ୍ଟ ହେଉଥିବା ଗୁଜବଠୁ ଦୂରେଇ ରହିବା ସହ ଅଯଥା କମେଣ୍ଟ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ପୁଲିସ୍‌ ଡିଜି ୱାଇ.ବି ଖୁରାନିଆ ଆଜି ପ୍ରଥମେ ଧାମନଗରରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସପି ମଧ୍ୟ ଉପସ୍ଥିତ ଥିଲେ। ଆଜି ଭଦ୍ରକରେ ସେ ଆଉ ଏକ ସମୀକ୍ଷା ବୈଠକରେ ଯୋଗଦେବେ ବୋଲି ଜଣାଯାଇଛି ।

ପୁଲିସକୁ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୨୭ରେ ପହଞ୍ଚିଛି । ଭଦ୍ରକ ରୁ ୧୦ ଜଣ ଏବଂ ଧାମନଗର ଥାନାରୁ ୧୭ଜଣଙ୍କୁ ଗିରଫ କରାଯାଇଛି। ପୂର୍ବଭଳି ପୁରୁଣା ବଜାର ଓ ଧାମନଗରର ବିଜ୍ଞାପିତ ଅଞ୍ଚଳ ଏବଂ ଦୋବଲ ଏହାର ଆଖପାଖ ଅଞ୍ଚଳରେ ବିଏନଏସ ଧାରା ଜାରି ରହିଛି।

ଏସବୁ ଅଞ୍ଚଳରେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଭଦ୍ରକ ରେ ୧୨ ପ୍ଲାଟନ ପୁଲିସ ଫୋର୍ସ ଏବଂ ଗୋଟିଏ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ଧାମନଗରରେ ୬ ପ୍ଲାଟୁନ ପୁଲିସ୍‌ ଫୋର୍ସ ଓ ଗୋଟିଏ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ ଅଛନ୍ତି।

ସମୀକ୍ଷା ବୈଠକ ପରେ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା ବେଳେ ଡିଜି ଖୁରାନିଆ କହିଛନ୍ତି, ଧାମନଗର ମାମଲାରେ ଏଯାବତ ୫ଟି କେସ୍‌ ରୁଜୁ ହୋଇଛି। କିଛି ଲୋକ ଗିରଫ ହୋଇଛନ୍ତି। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ପୁଲିସ୍‌ ପାଟ୍ରୋଲିଂ ଚାଲୁ ରହିଛି। ଆସନ୍ତା ଦିନେ ଦୁଇ ଦିନ ଭିତରେ ସ୍ଥିତି ସାମାନ୍ୟ ହେବ ବୋଲି ଆଶା କରୁଛି।

ସୋଶାଲ ମିଡିଆରେ କିଛି ଆପତ୍ତିଜନକ ଜିନିଷ ନଜରକୁ ଆସିଲେ ତୁରନ୍ତ ପୁଲିସ୍‌କୁ ଜଣାଇବାକୁ ସେ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି। ପୁଲିସ୍‌ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପ୍ରାୟତଃ ସମସ୍ତେ ସୋଶାଲ ମିଡିଆରେ ଆକ୍ଟିଭ ଅଛନ୍ତି। ସୋଶାଲ ମିଡିଆରେ ଖବର ସହ ମିଥ୍ୟା ଖବରର ବି ପୋଷ୍ଟ କରାଯାଉଛି। ତେଣୁ ଆଖି ବୁଜି ଏହା ଉପରେ ଭରସା ନ କରିବା ସହ ଅଯଥା କମେଣ୍ଟରୁ ବି ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ସାମାଜିକ ଗଣମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଜଣେ ବ୍ୟକ୍ତିଙ୍କ ମନ୍ତବ୍ୟରୁ ଅଶାନ୍ତ ହୋଇ ଉଠିଥିଲା ଭଦ୍ରକ ସହର। ଉକ୍ତ ସଂପ୍ରଦାୟର ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଦାବିରେ ଶୁକ୍ରବାର ଅପରାହ୍ନରେ ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଭଦ୍ରକ ତହସିଲଦାର ଓ ପୁରୁଣା ବଜାର ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ସହିତ ରାସ୍ତାରୋକରୁ ଓହରି ଯିବାକୁ କହିଥିଲେ।

ମାତ୍ର ସ୍ଥିତି ସାଂଘାତିକ ରୂପ ଧାରଣ କଲା। ଆନ୍ଦୋଳନକାରୀ ପୁଲିସ ଉପରକୁ ଆକ୍ରମଣ କରିବାରୁ ତିନି ଜଣ ପୁଲିସ ଅଧିକାରୀ ସହ କିଛି କର୍ମଚାରୀ ଆହତ ହୋଇଥିଲେ। ଭଦ୍ରକ ତହସିଲଦାରଙ୍କ ଗାଡ଼ିକୁ ମଧ୍ୟ ଆନ୍ଦୋଳନକାରୀ ଭାଙ୍ଗି ଦେଇଥିଲେ। ଏମିତିକି ଏହି ଘଟଣାକୁ ନେଇ ଧାମନଗର ଥାନା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା।

Related story