Advertisment

ଡିଏନ୍ ଗ୍ରୁପକୁ ଘାଣ୍ଟିବ ଇଡି, କାଲି ମିଳିଥିଲା ୩୦ କୋଟି

ଗତକାଲି ଆଇଟି ରେଡ୍‌ ବେଳେ ଡିଏନ୍ ଗ୍ରୁପର ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ୩୦ କୋଟି ଜବତ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
DN GROUP

DN GROUP

ଭୁବନେଶ୍ୱରର ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପର ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କୁ ଘରୁ ୩୦କୋଟି ଟଙ୍କା ମିଳିବା ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଖୁବଶୀଘ୍ର ଇଡି ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିବ। ଡିଏନ୍ ଗ୍ରୁପର ବେଆଇନ୍ ଆର୍ଥିକ କାରବାରକୁ ନେଇ ତଦନ୍ତ କରିବ।

Advertisment

ଗତକାଲି ଆଇଟି ରେଡ୍‌ ବେଳେ ଡିଏନ୍ ଗ୍ରୁପର ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ୩୦ କୋଟି ଜବତ ହୋଇଥିଲା।ଆଜି ୩ଟି ଟ୍ରଙ୍କରୁ ଜବତ ୩୦ କୋଟି ଟଙ୍କାକୁ ଆୟକର ଅଫିସକୁ ନିଆଯାଇଛି। ଯେଉଁ ସୁଟକେଶରେ ଡିଏନ୍ ଗ୍ରୁପର କାଗଜପତ୍ର ଥିଲା ତାକୁ ମଧ୍ୟ ନିଆଯାଇଛି। ଏହାସହ ଚନ୍ଦ୍ରଶେଖର ପଣ୍ଡାଙ୍କୁ ନିଜ ହେପାଜତକୁ ନେଇଛନ୍ତି ଆୟକର ଅଧିକାରୀ।

ଗତକାଲି ଭୁବନେଶ୍ୱର ସମେତ ପ୍ରାୟ ୨୦ଟି ସ୍ଥାନରେ ଥିବା ଡିଏନ ଗ୍ରୁପର ବ୍ୟବସାୟିକ ପ୍ରତିଷ୍ଠାନ, ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକଙ୍କ ସମେତ ନିର୍ଦ୍ଦେଶକ, ଅଧିକାରୀ ଓ କର୍ମଚାରୀଙ୍କ ଘର ଉପରେ ଏକକାଳୀନ ଛାପା ମାରିଥିଲା ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ। ଭୁବନେଶ୍ୱର ଆଇଆରସି ଭିଲେଜରେ ଥିବା ଡିଏନ୍ ଗ୍ରୁପର ମୁଖ୍ୟ ଅଫିସରେ ମଧ୍ୟ ରେଡ୍ ହୋଇଥିଲା। ଚଢ଼ାଉ ବେଳେ ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀରେ ରହୁଥିବା ଡିଏନ ଗ୍ରୁପର ଲିଗାଲ ଅଫିସରଙ୍କ  ଘରୁ ନଗଦ ୩୦ କୋଟି ଟଙ୍କା କରାଯାଇଥିଲା। ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିଲେ। ତେବେ ଏନେଇ ଡିଏନ ଗ୍ରୁପ୍ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଡିଏନ ଗ୍ରୁପର ଲିଗାଲ ଅଫିସରଙ୍କ ଘରୁ ୩୦ କୋଟି ଯଙ୍କା ଜବତ ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଡିଏନ ଗ୍ରୁପର ବ୍ୟବସାୟୀଙ୍କ ସହ ତୃତୀୟ ମହଲାର ସଂପର୍କ ରହିଛି ବୋଲି ବିଜେପିର ବରିଷ୍ଠ ନେତା ଅନୀଲ ବିଶ୍ୱାଳ କହିଛନ୍ତି।

ସେ କହିଛନ୍ତି, ରିଅଲ ଇଷ୍ଟେଟ ମାଧ୍ୟମରେ ଅଣଓଡ଼ିଆ ଆଇଏଏସ୍‌ଙ୍କ କଳା ଟଙ୍କା ଧଳା ହେଉଥିଲା। ବିଜେଡି ନେତା ଓ ବିଧାୟକଙ୍କର ବି ମନି ଲଣ୍ଡ୍ରିଂ ମାଧ୍ୟମ ସାଜିଥିଲା ଏହି କଂପାନୀ। କଂପାନୀ ମାଲିକ ଜଗଦୀଶ ନାୟକଙ୍କ ସହ ସିଏମ୍‌ଓର ଘନିଷ୍ଠ ସଂପର୍କ ରହିଛି।

ସେହିପରି ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଡିଏନ ଗ୍ରୁପର ଲିଗାଲ ଅଫିସରଙ୍କ ଘରୁ ଜବତ ହୋଇଥିବା ଟଙ୍କା ଶାସକ ଦଳର ଗଚ୍ଛିତ ଟଙ୍କା। ଶାସକ ଦଳର କଳାଟଙ୍କା ସେଠି ବିନିଯୋଗ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ୩୦ କୋଟି ଟଙ୍କା ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଜବତ ହୋଇଥିବା ଏହି କୋଟି କୋଟି ଟଙ୍କା ବଡ଼ ବଡ଼ ଅଫିସର ଓ ଶାସକ ଦଳର । ନିର୍ବାଚନରେ ଖଟେଇବା ପାଇଁ ଏ ଟଙ୍କା ରଖାଯାଇଥିଲା ।

Bhubaneswar ED Raid DN Group