Advertisment

ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ

ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Bobby and Bhab

Bobby and Bhab

ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଯାଜପୁର ଥାନାରେ ମାମଲା ରୁଜୁ ହୋଇଛି। ଜଣେ ପରିବା ବ୍ୟବସାୟୀଙ୍କୁ ଧମକ ଦେବା, ତାଙ୍କ ପରିବାପତ୍ର ନଷ୍ଟ କରିଦେବା ତଥା ମାଡ଼ ମାରିବା ଅଭିଯୋଗରେ ଭବ ଓ ତାଙ୍କର ୧୭ ଜଣ ସହଯୋଗୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଯାଜପୁର ଥାନା ବାଲିପଦାର ପରିବା ବ୍ୟବସାୟୀ ମଦନ ନାଏକଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିଛି।

Advertisment

ମଦନ ଅଭିଯୋଗ କରିଛନ୍ତି ଯେ, ଗତକାଲି ସକାଳ ପ୍ରାୟ ୮ଟା ବେଳେ ମା’ ବିରଜା ହାଟକୁ ସେ ପରିବାପତ୍ର ବିକ୍ରି କରିବାକୁ ଆସିଥିଲେ। ସେ ୧୦ ହଜାର ଟଙ୍କାର ବାଇଗଣ, ଫୁଲକୋବି ଓ ଟମାଟୋ ଆଦି ବିକ୍ରି କରିବାକୁ ଆଣିଥିଲେ। ସେହି ସମୟରେ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଆସି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତୁରନ୍ତ ପରିବା ଧରି ହାଟରୁ ପଳାଇବାକୁ ସେମାନେ ଧମକ ଦେଇଥିଲେ। କିନ୍ତୁ ସେ ରାଜି ନହେବାରୁ ଭବଙ୍କ ଲୋକମାନେ ତାଙ୍କୁ ବିଧା ଓ ଗୋଇଠା ମାରିଥିଲେ। ଏହା ସହିତ ସେମାନେ ତାଙ୍କ ପରିବା ନଷ୍ଟ କରି ଦେଇଥିଲେ। ଏମିତିକି ତାଙ୍କ ପକେଟରେ ଥିବା ୧୨,୦୦୦ ଟଙ୍କା ନେଇ ଯାଇଥିଲେ।

ଭବ ପ୍ରକାଶ ଦାସଙ୍କ ସହିତ ତାଙ୍କ ସହଯୋଗୀ ବଳଭଦ୍ର ଦାସ, ଜଗନ୍ନାଥ ଦାସ, ସାହାଜୁଦ୍ଦିନ, ସେକ୍ ମୁର୍ତ୍ତେଜ, ସନ୍ତୋଷ କୁମାର ମଲ୍ଲିକ, ସୁରେନ୍ଦ୍ର ରଣା, ଅଜିତ ସାହୁ, ସୁବାଶିଷ ରାଉତ, ଦେବୀ ପ୍ରସାଦ ପାଣି, ସୁକାନ୍ତ ପାଣି, ତୁଷାର ରଞ୍ଜନ ବେହେରା, ପାର୍ଥ ସାରର୍ଥୀ ମହାପାତ୍ର, ମାନ ଗୋବିନ୍ଦ ପତି, ରଞ୍ଜନ ସାହୁ, ସୌଭାଗ୍ୟ ରଞ୍ଜନ, ଜନ୍ମେଜୟ କାନୁନଗୋ ଓ ଚିତ୍ତରଂଜନ ସାହୁଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ଏ ସମସ୍ତଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତା (BNS)ରେ ଥିବା ଧାରା ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ ହୋଇଛି। ଏମାନଙ୍କ ବ୍ୟତୀତ ଆହୁରି କିଛି ଲୋକ ଥିଲେ, ଯେଉଁମାନେ ପରିବା ବ୍ୟବସାୟୀ ମଦନ ନାଏକଙ୍କୁ ଧମକ ଚମକ ଦେବା ସହିତ ମାଡ଼ ମାରିଥିଲେ। ତେବେ ସେ ସେମାନଙ୍କୁ ଚିହ୍ନି ନଥିବା ଏତଲାରେ ଦର୍ଶାଇଛନ୍ତି। ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଛନ୍ତି।

Advertisment

ଭବ ପ୍ରକାଶ ଦାସଙ୍କ ବିରୋଧରେ ଲଗାଯାଇଥିବା ଦଫା ଗୁଡିକ ମଧ୍ୟରୁ ପ୍ରାୟ ସମସ୍ତ ଦଫା ଜାମିନ ଯୁକ୍ତ ହୋଇଥିବା ବେଳେ BNS 303(2) ଅର୍ଥାତ୍ ଚୋରି କରିବା ଜାମିନ ବିହୀନ ଦଫା ହୋଇଥିବାରୁ ତାଙ୍କୁ ଗିରଫ କରାଯିବାର ଆଶଙ୍କା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରକୁ ଆକ୍ରମଣ ଘଟଣାରେ ବବିଙ୍କ ଭାଇ ଭବ ପ୍ରକାଶ ବିବାଦୀୟ ହୋଇପଡ଼ିଥିଲେ। ସେ ବିଧାୟକ ଶ୍ରୀ ସାହୁଙ୍କୁ ଫୋନ୍ କରି କମ୍ପ୍ରୋମାଇଜ୍ କରିବା ପାଇଁ କହିଥିଲେ ବୋଲି ଅଭିଯୋଗ ହୋଇଥିଲା।  

Pranab Prakash Das Bhaba Prakash Das