ପ୍ରଶାନ୍ତ ଓ ଗୋପାଳ (ଫାଇଲ ଫଟୋ)
ମହାରାଷ୍ଟ୍ରର ସତାରାରେ ୨୮ ବର୍ଷୀୟ ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟଣାର ତଦନ୍ତ ବେଳେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ମହିଳା ଡାକ୍ତରଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇବା ଘଟଣାର ଅଭିଯୁକ୍ତଙ୍କୁ ସେ ମେସେଜ କରିଥିବା ପୁଲିସ ଜାଣିବାକୁ ପାଇଛି। ମହିଳା ଡାକ୍ତର ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ଅଭିଯୁକ୍ତ ପ୍ରଶାନ୍ତ ବାଙ୍କରଙ୍କ ଘରେ ଆୟୋଜିତ ଗୋଟିଏ ପୂଜାରେ ସାମିଲ ହୋଇଥିଲେ।
ଯୁକ୍ତିତର୍କ ଯୋଗୁ ସେଠାରେ ସେ ଚାଲି ଆସିଥିଲେ ଓ ସତାରା ଥିବା ଗୋଟିଏ ହୋଟେଲ ରୁମକୁ ଯାଇଥିଲେ। ଏହି ହୋଟେଲରେ ହିଁ ସେ ପାପୁଲିରେ ତାଙ୍କ ସହ ଘଟିଥିବା ନିର୍ଯାତନା ସମ୍ପର୍କରେ ଲେଖି ଆତ୍ମହତ୍ୟା କରିଥିଲେ।
ପରଦିନ ହୋଟେଲ ରୁମରୁ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା। ସେ ଆତ୍ମହତ୍ୟା କରିବା ପୂର୍ବରୁ ବର୍ତ୍ତମାନ ନିଳମ୍ବିତ ହୋଇ ସାରିଥିବା ଏସ୍ଆଇ ଗୋପାଳ ବଦାନେ ତାଙ୍କୁ କିଭଳି ଯୌନ ନିର୍ଯାତନା ଦେଉଥିଲେ, ସେକଥା ପାପୁଲିରେ ଉଲ୍ଲେଖ କରିଥିଲେ। ଗୋପାଳ ତାଙ୍କୁ ୫ ମାସରେ ୪ ଥର ଦୁଷ୍କର୍ମ(Stop Rape) କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ପ୍ରଶାନ୍ତ ତାଙ୍କୁ ମାନସିକ ନିର୍ଯାତନା ଦେଇ ଚାଲିଥିଲେ।
ପ୍ରଶାନ୍ତ ହେଉଛନ୍ତି ମହିଳା ଡାକ୍ତର ଭଡ଼ାରେ ରହୁଥିବା ଘର ମାଲିକଙ୍କ ପୁଅ। ପେଶାରେ ସେ ଜଣେ ସଫ୍ଟୱେୟାର ଇଞ୍ଜିନିୟର। ଗୋପାଳଙ୍କ କଥାରେ ସେ ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଏହି ଘଟଣାରେ ଉଭୟଙ୍କୁ ପୁଲିସ୍ ଗିରଫ କରିସାରିଛି।
ଏବେ ପୁଲିସ୍ ମୃତ ମହିଳା ଡାକ୍ତରଙ୍କ ମୋବାଇଲାରୁ ବଡ଼ ତଥ୍ୟ ହାସଲ କରିଛି। ସତାରା ପୁଲିସ୍ ମୁଖ୍ୟ ତୁଷାର ଦୋଶୀଙ୍କ କହିବା କଥା ଯେ ମହିଳା ଡାକ୍ତର ଓ ଦୁଇ ଅଭିଯୁକ୍ତ ମଧ୍ୟରେ ହୋଇଥିବା ମୋବାଇଲ ଚ୍ୟାଟ ସାମ୍ନାକୁ ଆସିଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି। ଗୋପାଳଙ୍କ ସହ ଡାକ୍ତରଙ୍କ କଥାବାର୍ତ୍ତା ମାର୍ଚ୍ଚ ମାସରୁ ବନ୍ଦ ହୋଇ ସାରିଥିଲେ ହେଁ ସେ ପ୍ରଶାନ୍ତଙ୍କ ଯୋଗାଯୋଗରେ ରହିଥିଲେ।
ହୋଟେଲକୁ ଯାଇ ଆତ୍ମହତ୍ୟା କରିବା ପୂର୍ବରୁ ଡାକ୍ତର ଜଣଙ୍କ ପ୍ରଶାନ୍ତଙ୍କ ଘରକୁ ଯାଇଥିଲେ। ସେହିପରି ଡାକ୍ତର ଓ ପୁଲିସ୍ ଇନସପେକ୍ଟରଙ୍କ ମଧ୍ୟରେ ଚାଲିଥିବା ବିବାଦ ଗୋଟିଏ ମିଟିଂରେ ସମାଧାନ ହୋଇଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଥିଲା ସେ କହିଛନ୍ତି।
ପୂଜା ଓ ମୃତ୍ୟୁ
ମହାରାଷ୍ଟ୍ର( Maharashatra) ମହିଳା କମିଶନ ଅଧ୍ୟକ୍ଷ ରୁପାଲୀ କହିଛନ୍ତି ଯେ ଲକ୍ଷ୍ମୀ ପୂଜା ପାଇଁ ମହିଳା ଡାକ୍ତର ଜଣଙ୍କ ପ୍ରଶାନ୍ତଙ୍କ ଘରକୁ ଯାଇଥିଲେ। ଫୋଟୋ ଉଠାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଫଟୋ ଠିକ ଭାବେ ନ ଉଠିବାକୁ ଏଭଳି ବିବାଦ ହୋଇଥିଲା। ଯୁକ୍ତିତର୍କ ପରେ ଡାକ୍ତର ଜଣଙ୍କ ସେଠାରୁ ଚାଲି ଯାଇଥିଲେ। ପ୍ରଶାନ୍ତଙ୍କ ବାପା ବୁଝାସୁଝା କରି ତାଙ୍କୁ ଘରକୁ ଆଣିଥିଲେ। କିନ୍ତୁ ସେ ପୁଣି ସେଠାରୁ ଚାଲି ଯାଇଥିଲେ ଓ ଗୋଟିଏ ହୋଟେଲରେ ରହିଥିଲେ।
କଲ ଯାଞ୍ଚରୁ ଜଣାପଡ଼ିଛି ଯେ ପୀଡ଼ିତା ଜଣଙ୍କ ମାର୍ଚ୍ଚ ମାସ ଯାଏ ଏସ୍ଆଇ ଗୋପାଳଙ୍କ ଯୋଗାଯୋଗରେ ରହିଥିଲେ। ମାର୍ଚ୍ଚ ମାସ ପରେ ଉଭୟଙ୍କ ମଧ୍ୟରେ କୌଣସି ପ୍ରକାରର ଯୋଗାଯୋଗ ହୋଇ ନଥିଲା।
ହୋଟେଲରେ ରହି ମହିଳା ଡାକ୍ତର ଜଣଙ୍କ ପ୍ରଶାନ୍ତଙ୍କ ମେସେଜ କରିଥିଲେ। ସେ ଚରମ ପଦକ୍ଷେପ ନେବେ ବୋଲି ଚେତାଇ ଦେଇଥିଲେ। ସେହିଦିନ ରାତିରେ ସେ ପ୍ରଶାନ୍ତଙ୍କ ସହ କଥା ମଧ୍ୟ ହୋଇଥିଲେ। ଏହାପରେ ସେ ହୋଟେଲ ଫ୍ୟାନରେ ବେଡଶିଟ୍ ବାନ୍ଧି ଝୁଲି ପଡ଼ିଥିଲେ ବୋଲି ମହିଳା କମିଶନ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
ଅଭିଯୋଗ ଉପରେ ନିଆଯାଇ ନଥିଲା ପଦକ୍ଷେପ!
ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ଡାକ୍ତରଙ୍କୁ ଗୋପାଳ ଓ ଅନ୍ୟ ପୁଲିସ୍ମାନେ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏବେ ସେହି ଅଭିଯୋଗ ଗୁଡ଼ିକ ଯାଞ୍ଚ ପ୍ରକ୍ରିୟା ମଧ୍ୟରେ ଆସିଛି।
ଚଳିତ ବର୍ଷ ଜୁନ ୧୯ରେ ଫଲଟନ ଡିଏସପିଙ୍କ ନିକଟରେ ମହିଳା ଡାକ୍ତର ଜଣଙ୍କ ଲିଖିତ ଭାବେ ଗୋପାଳ ଓ ଅନ୍ୟ ପୁଲିସ୍ ଅଧିକାରୀଙ୍କ ବିରୋଧରେ ଫେରାଦ ହୋଇଥିଲେ। ପୁଲିସ୍ ତାଙ୍କୁ ଅପରାଧିକ ମାମଲାରେ ଗିରଫ ଅଭିଯୁକ୍ତଙ୍କ ନାଁରେ ମିଛ ଫିଟନେସ ପ୍ରମାଣପତ୍ର ଜାରି କରିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ। ଏବେ ଏହି ଅଭିଯୋଗର ମଧ୍ୟ ଯାଞ୍ଚ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/28/doctor-2025-10-28-14-48-03.jpg)