Advertisment

ଅର୍ଚ୍ଚନାକୁ ହତ୍ୟା ଧମକ, କହିଲେ- ମୁଁ ଡରିବା ପିଲା ନୁହଁ, ସତ୍‌ରେ ଅଛି

ଅର୍ଚ୍ଚନା ନାଗଙ୍କୁ ମିଳିଛି ହତ୍ୟା ଧମକ । ତେବେ ଏହି ଧମକରେ ମୁଁ ଡରିବା ପିଲା ନୁହେଁ ବୋଲି ରୋକଠୋକ କହିଛନ୍ତି ଅର୍ଚ୍ଚନା।

ଅଦ୍ୟତନ ହୋଇଛି
Archana Nag

Archana Nag

Advertisment

ବ୍ଲାକମେଲିଂ, ହନିଟ୍ରାପ୍ ମାମଲାରେ ଛନ୍ଦି ହୋଇ ୧୪ ମାସ ପରେ ଜେଲ୍‌ରେ ରହି ବାହାରିଥିବା ଅର୍ଚ୍ଚନା ନାଗଙ୍କୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା। ଅର୍ଚ୍ଚନା ନାଗଙ୍କୁ ମିଳିଛି ହତ୍ୟା ଧମକ । ତେବେ ଏହି ଧମକରେ ମୁଁ ଡରିବା ପିଲା ନୁହେଁ ବୋଲି ରୋକଠୋକ କହିଛନ୍ତି ଅର୍ଚ୍ଚନା।

Advertisment

ଆଇନ୍‌ ଛାତ୍ରୀ ଅର୍ଚ୍ଚନା ନାଗ  ପରୀକ୍ଷା ଦେବାକୁ ଆଜି ସକାଳେ ସ୍ୱାମୀଙ୍କ ସହ ଲ' କଲେଜ ଆସିଥିଲେ। ମାତ୍ର କଲେଜରେ ପହଞ୍ଚିବା ପରେ ଦୁଇ ଯୁବକ ପହଞ୍ଚି ରାସ୍ତା ଉପରେ ତାଙ୍କୁ ତଥା ପରୀକ୍ଷା ସଦସ୍ୟଙ୍କୁ ହତ୍ୟା ଧମକ ଦେଇଥିବା କହିଛନ୍ତି ଅର୍ଚ୍ଚନା। ଏଥିସହ ମିଥ୍ୟା କେସ୍‌ରେ ଫସାଇଦେବାକୁ ବି ଚେତାବନୀ ଦେଇଛନ୍ତି।

ପରୀକ୍ଷା ଶେଷ ପରେ ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ଦେଇ ଅର୍ଚ୍ଚନା କହିଛନ୍ତି, ମୁଁ ଆଜି ପରୀକ୍ଷା ଦେବାକୁ ଆସୁଥିବା ବେଳେ ୨ ଅଜଣା ଯୁବକ ମୋତେ ଧମକ ଦେଇଛନ୍ତି । ମୁଁ ଜେଲ୍‌ରୁ ବାହାରିବା ବେଳେ ଶାନ୍ତିରେ ରହିବାକୁ ଚାହୁଁଛି ବୋଲି କହିଥିଲି। ମାତ୍ର ମୋର ଉନ୍ନତିକୁ ବହୁ ଲୋକ ସହି ନ ପାରି ଏପରି କାମ କରୁଛନ୍ତି।

Advertisment

ହେଲେ ମୁଁ ଡରିବା ପିଲା ନୁହେଁ। ସବୁବେଳେ ସମସ୍ତଙ୍କୁ ସାମନା କରିଛି। ଯାହାର ସାହସ ଅଛି ସାମନା ପଟୁ ମୋତେ ଛୁରା ମାଡ଼ କରନ୍ତୁ। ମୁଁ ସତ୍‌ରେ ଅଛି ସତ ମୋ’ ଶକ୍ତି, ତାହା ହିଁ ମୋ’ ଅସ୍ତ୍ର ବୋଲି କହିଛନ୍ତି ଅର୍ଚ୍ଚନା ନାଗ ।

ଏଥିସହ ସେ କହିଛନ୍ତି, ମୋତେ ନ୍ୟାୟ ମିଳିବାରେ ସାମାନ୍ୟ ବିଳମ୍ବ ହୋଇଛି। ମାତ୍ର ନ୍ୟାୟିକ ପ୍ରକିୟାରେ ମୋର ବିଶ୍ୱାସ ଅଛି। ନାରୀକୁ ଅସମ୍ମାନ ଆମ ରାଜ୍ୟକୁ ଶୋଭା ଦେଉନି। ଏସବୁ କାମ କିଏ କରୁଛି ଖୁବ ଶୀଘ୍ର ମୁଁ ତାର ପର୍ଦ୍ଦାଫାସ କରୁଛି।

ପୂର୍ବରୁ ମୁହଁ ଖୋଲିଲେ ଓଡ଼ିଶା ଦୋହଲି ଯିବ ବୋଲି କହିଥିବା ଅର୍ଚ୍ଚନା କିନ୍ତୁ ଏଯାଏ ମୁହଁ ଖୋଲି ନାହାନ୍ତି। ଏନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ମୋ’ ପାଖରେ ସବୁ କଥାର ଯଥେଷ୍ଟ ପ୍ରମାଣ ଅଛି। ଆବଶ୍ୟକସ୍ଥଳରେ ମୁଁ କୋର୍ଟଙ୍କୁ ଏ ସମ୍ପର୍କରେ ଅବଗତ କରିବି। ମୁଁ ଡରିବା ପିଲା ନୁହେଁ, ଫେରାର ହେବାର ଥିଲେ ଲଣ୍ଡନ ପର୍ଯ୍ୟନ୍ତ ଚାଲି ଯାଇଥାନ୍ତି। କେହି ଟେର ବି ପାଇ ପାରି ନ ଥାନ୍ତେ।

ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସାମ୍ରାଜ୍ୟ ସାରା ରାଜ୍ୟରେ ଚହଳ ପକାଇଥିଲା। ବଡ଼ ବଡ଼ିଆଙ୍କୁ ହନିଟ୍ରାପ୍ କରି ସେମାନଙ୍କଠୁ ବଡ଼ ରକମର ଟଙ୍କା ଆଦାୟ କରିବା ଅଭିଯୋଗ ଅର୍ଚ୍ଚନାଙ୍କ ନାଁରେ ଥିଲା। ଏହି ବ୍ଲାକମେଲିଂ ରାକେଟ୍ ଏତେ ବଡ଼ ଥିଲା ଯେ, ଏଥିରେ ନେତା, ମନ୍ତ୍ରୀ, ପ୍ରଶାସକ, ସିନେମା ପ୍ରଯୋଜକଙ୍କ ନାଁ ବି ସାମ୍ନାକୁ ଆସିଥିଲା। ଦିନ କେଇଟାରେ ରାଜଧାନୀରେ ବିରାଟ ବଡ଼ ଆଲିଶାନ୍ ବିଲଡିଂ, ବଡ଼ ବଡ଼ କାର୍ ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ  କରିଥିଲେ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ।

ସିନେମା ପ୍ରଯୋଜକଙ୍କୁ ବ୍ଲାକମେଲିଂ ନେଇ ଥାନାରେ ଏତଲା ହେବା ପରେ କମିଶନରେଟ୍ ପୁଲିସ୍ ଏନେଇ ତଦନ୍ତ ଆରମ୍ଭ କରିଥିଲା। ଆଳୁ ଖୋଳୁ ଖୋଳୁ ମହାଭାରତ ଭଳି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଧିରେ ଧିରେ ଫିଟିଥିଲା। ପୁଲିସ୍ ପରେ ଅର୍ଚ୍ଚନାଙ୍କ ମାମଲାରେ ଇଡି ବି ତଦନ୍ତ କରିଥିଲା।

ଗତ ବର୍ଷ ଅକ୍ଟୋବରରେ ଅର୍ଚ୍ଚନା ଗିରଫ ହୋଇଥିଲେ। ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ତାଙ୍କ ନାଁରେ ମାମଲା ଚାଲୁ ରହିଛି। ଅର୍ଚ୍ଚନାଙ୍କ ସ୍ୱାମୀଙ୍କ ନାଁରେ ବି ମାମଲା ଚାଲିଥିବା ବେଳେ ସେ ପୂର୍ବରୁ ଜାମିନରେ ଆସିଛନ୍ତି।

Bhubaneswar Archana Nag
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe