ଲିକ୍‌ ହେଲା ଅମୀରଙ୍କ ଅପ୍‌କମିଂ ଫିଲ୍ମର ନୂଆ ଲୁକ୍‌: କାନ, ନାକ ଫୋଡେଇଛନ୍ତି, ୨୦ କିଲୋ ୱେଟଲସ୍‌

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ୍ ଅମୀର ଖାନ୍ କିଛିଦିନ ହେବ ନୂଆ ଫିଲ୍ମ ‘ଠଗ୍ସ୍ ଅଫ୍ ହିନ୍ଦୁସ୍ତାନ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଅମୀରଙ୍କ କିଛି ନୂଆ ଫିଲ୍ମ ଆସିଲେ ଦର୍ଶକଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳେ। ହେଲେ ଏହି ଫିଲ୍ମକୁ ନେଇ ଦର୍ଶକ ଟିକେ ବେଶୀ ଉତ୍ସାହିତ ଅଛନ୍ତି। ଫିଲ୍ମ ସମ୍ପର୍କରେ ଜାଣିବାକୁ ସମସ୍ତେ ଉତ୍ସୁକ ଥିବା ଦେଖିବାକୁ ମିଳିଛି। ଏହାର ବଡ଼ କାରଣ ହେଉଛି ଫିଲ୍ମର ଷ୍ଟାରକାଷ୍ଟ।

ପ୍ରଥମ ଥର ପାଇଁ ପରଦାରେ ଅମୀର ଖାନ୍ ଓ ଅମିତାଭ୍ ବଚ୍ଚନ ଏକାଠି ନଜରକୁ ଆସିବେ। ସେହିପରି ଫିଲ୍ମ ‘ଧୁମ-୩’ ପରେ ପୁଣି ଥରେ ଏହି ଫିଲ୍ମରେ ଅମୀର ଓ କାଟ୍ରିନାଙ୍କ ରୋମାନ୍ସ୍ ଦେଖିବାକୁ ମିଳିବ। କେବଳ ଏତିକି ନୁହଁ ଏହି ଫିଲ୍ମରେ ଅମୀର ଖାନଙ୍କ ଲୁକକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ଚାଲିଛି। ବଡ଼ ଖବର ହେଲା, ନିକଟରେ ଅମୀରଙ୍କ ଏହି ନୂଆ ଫିଲ୍ମ ‘ଠଗ୍ସ୍ ଅଫ୍ ହିନ୍ଦୁସ୍ତାନ୍‌’ରେ ତାଙ୍କ ନୂଆ ଲୁକ୍ ଲିକ୍ ହୋଇଯାଇଛି। ଏହି ଲୁକରେ ଅମୀରଙ୍କୁ ଚିହ୍ନିବା ବହୁତ କଷ୍ଟକର ହେବ ବୋଲି ଚଳଚ୍ଚିତ୍ର ପଣ୍ଡିତମାନେ କହୁଛନ୍ତି।

ନୂଆ ଲୁକ୍‌ରେ ଅମୀର ଏକଦମ୍ ଅଲଗା ଦେଖାଯାଉଛନ୍ତି। ଏହି ଲୁକ୍ ପାଇଁ ଅମୀର ପୂର୍ବରୁ କାନ ଓ ନାକ ଫୋଡେଇବା ସହ ଲମ୍ବା ନିଶ ଦାଢି ରଖିଥିଲେ। କେବଳ ଏତିକି ନୁହେଁ ଫିଲ୍ମ ପାଇଁ ଅମୀର ୨୦ କିଲୋ ଓଜନ କମ୍ କରିଛନ୍ତି। ଏଥିରେ ସେ ଭିନ୍ନ ଧରଣର ପୋଷାକ ମଧ୍ୟ ପିନ୍ଧିଛନ୍ତି।

କିଛି ଦିନ ହେବ ଏହି ଫିଲ୍ମର ସୁଟିଂ ମାଲ୍ଟାରେ ଚାଲିଥିଲା। ମାଲ୍ଟାରେ ସୁଟିଂ ସମ୍ପୂର୍ଣ୍ଣ ହେବା ପରେ ଏବେ ମୁମ୍ବାଇରେ ଚାଲିଛି। ଏହାକୁ ହଲିଉଡ୍ ଫିଲ୍ମ ‘ପାଇରେଟ୍ସ୍ ଅଫ କ୍ୟାରିବିୟନ୍’ର ରିମେକ୍ ବୋଲି କୁହାଯାଉଛି। ହେଲେ ଫିଲ୍ମର ଷ୍ଟାରମାନେ ଏ ସମ୍ପର୍କରେ କିଛି ବି କହିବାକୁ ନାରାଜ। ଏହି ଆକ୍ସନ୍ ଫିଲ୍ମଟି ୨୦୧୮ ନଭେମ୍ବର ୭ ତାରିଖରେ ରିଲିଜ ହେବ।