ଦୁଇ ବେଳା ଖାଇବାକୁ ପାଉ ନାହାଁନ୍ତି ବିଗ୍‌ ବିଙ୍କ ସମ୍ପର୍କୀୟ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନଙ୍କୁ କିଏ ବା ନ ଜାଣେ। ଦେଶ ବିଦେଶରେ ବିଗ୍‌ ବିଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ। ତାଙ୍କର ଗୋଟେ ଝଲକ ପାଇଁ ସବୁ କିଛି କରିବାକୁ ପ୍ରଶଂସକ ପ୍ରସ୍ତୁତ। ଅପାର ସମ୍ପତ୍ତିର ମାଲିକ ଅମିତାଭଙ୍କ ପରିବାର ପାଖରେ ରହିଛି ସବୁ ସୁଖ ସୁବିଧା। ଯାହା ବି ଇଚ୍ଛା କରନ୍ତି ନିମିଷକରେ ପହଞ୍ଚି ଯାଇଥାଏ ହାତ ପାଖରେ। ହେଲେ ଆଜି ଆମେ ବିଗ୍‌ ବିଙ୍କ ଜଣେ ସମ୍ପର୍କୀୟଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ, ଯିଏ ଦୁଇ ବେଳା ପେଟ ପୂରା ଖାଇବାକୁ ବି ପାଉନାହାଁନ୍ତି।

ଏହି ପରିବାର ହେଲା ଅମିତାଭଙ୍କ ପିଉସୀଙ୍କ ପୁଅ ଅନୁପ ରାମଚନ୍ଦ୍ରଙ୍କର। ବିଗ୍‌ ବିଙ୍କ ସମ୍ପର୍କୀୟ ହୋଇ ମଧ୍ୟ ରାମଚନ୍ଦ୍ର ବହୁତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ପୂର୍ବରୁ ରାମଚନ୍ଦ୍ରଙ୍କ ପରିବାର ପାଖରେ କିଛି ଅର୍ଥ ଥିଲା। ହେଲେ ସମୟ ବଦଳିବା ସହ ଏବେ ସ୍ଥିତି ବି ବଦଳି ଯାଇଛି। ବହୁତ କଷ୍ଟରେ ଏବେ ଏହି ପରିବାର ଚଳୁଛି। ନିଜ ସମ୍ପର୍କୀୟ ଏପରି ସ୍ଥିତିରେ ଥିଲେ ବି ଅମିତାଭ କେବେ ସହାୟତାର ହାତ ବଢାଇ ନଥିବା କୁହାଯାଏ।

ଶୁଣିବାକୁ ମିଳେ ଅମିତାଭ ଏବଂ ରାମଚନ୍ଦ୍ରଙ୍କ ମଧ୍ୟରେ ଏକ ଜମିକୁ ନେଇ ବିବାଦ ଲାଗି ରହିଛି। ଏହି କାରଣରୁ ଅମିତାଭ ରାମଚନ୍ଦ୍ର ଓ ତାଙ୍କ ପରିବାରଠାରୁ ଦୂରତା ବଜାଇ ରଖିବାକୁ ପସନ୍ଦ କରୁଛନ୍ତି।

ଅଭିଷେକ ବଚ୍ଚନଙ୍କ ବିବାହକୁ ରାମଚନ୍ଦ୍ରଙ୍କ ପରିବାରକୁ ଦେଖିବାକୁ ମିଳି ନଥିଲା। ଯେତେବେଳେ ତାଙ୍କୁ ଏ ବିଷୟରେ ପଚରା ଯାଇଥିଲା, ରାମଚନ୍ଦ୍ର କହିଥିଲେ ଅର୍ଥାଭାବରୁ ସେ ଯାଇପାରି ନଥିଲେ।

ଏବେ ରାମଚନ୍ଦ୍ରଙ୍କ ପରିବାର କଟଘରରେ ଥିବା ଅମିତାଭ ବଚ୍ଚନଙ୍କ ଏକ ଘରେ ରହୁଛନ୍ତି। ଏହି ଘରଟି ପୈତୃକ ଜମି ଓ ଏହାକୁ ନେଇ ବିବାଦ ଥିବା ଶୁଣିବାକୁ ମିଳେ।

ସୂଚନାଯୋଗ୍ୟ, ଅମିତାଭ ଓ ରାମଚନ୍ଦ୍ରଙ୍କ ମଧ୍ୟରେ ଦୂରତାର ପ୍ରକୃତ କାରଣ କାହାକୁ ବି ଜଣାନାହିଁ। ବହୁ ଲୋକ ଏହାକୁ ନେଇ ବହୁ କଥା କହିଥାନ୍ତି।