ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜନୀତି ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ତା' ଭିତରେ ଗତକାଲି ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ସୋଶାଲ ମିଡିଆରେ ଏହି ଭିଡିଓ ଅପଲୋଡ କରି ସେ ଖୁଲମଖୁଲା ଧମକ ଦେଇଛନ୍ତି। ଭିଡିଓରେ କହିଛନ୍ତି ବହୁତ ହୋଇଗଲା। ଆଉ ବରଦାସ୍ତ କରିହେବନି କି ଚୁପ ରହିହେବନି ।
ତା'ହେଲେ କାହାକୁ ଧମକ ଦେଇଛନ୍ତି ଅନୁଭବ? ଏମିତି ଆଉ କ'ଣ ଘଟିଗଲା? ପ୍ରକୃତ କଥା ହେଲା ଅନୁଭବ ତାଙ୍କ ପ୍ରଶଂସକ ଓ ସମର୍ଥକମାନଙ୍କ ପାଇଁ ଆଗକୁ ଆସିଛନ୍ତି ଓ ତାଙ୍କରି ପାଇଁ ଧମକ ଦେଇଛନ୍ତି । ସେ କହିଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ କଥା କହିବା ପାଇଁ ମୁଁ ଏହି ଭିଡିଓଟି ଶୁଟ୍ କରୁଛି । ପୃଥିବୀରେ ପ୍ରତ୍ୟେକ ମଣିଷ, ସିଏ ଯିଏ ବି ହୁଅନ୍ତୁ ନା କାହିଁକି ତାଙ୍କ ପ୍ରତି ଯଦି କିଏ ଖରାପ ଭାଷାର ବ୍ୟବହାର କରେ ବା ଖରାପ ବ୍ୟବହାର କରେ, ତାହା ଆଦୌ ଗ୍ରହଣୀୟ ନୁହେଁ । ସମସ୍ତଙ୍କୁ ସମାନ ସମ୍ମାନ ମିଳିବାର ହକ ରହିଛି ।
ଯଦି ଆମ ଜୀବନରେ ଜଣେ ମଣିଷକୁ ଭଲ ପାଉ ତେବେ ପ୍ରତ୍ୟେକ ସମୟରେ ତାଙ୍କ ଭଲ ମନ୍ଦରେ ଛିଡା ହେଉ । ସେଭଳି ହିଁ ମୋର ଏକ ବହୁତ ବଡ଼ ପରିବାର ରହିଛି, ଆଉ ସେହି ପରିବାର ହେଉଛନ୍ତି ମୋର ଅଗଣିତ ଫ୍ୟାନ ଓ ସମର୍ଥକ । ତାଙ୍କ ପ୍ରତି ମୋର ଅଗାଢ଼ ଭଲ ପାଇବା ରହିଛି । ମୋର ସବୁ ଦୁଃଖସୁଖରେ ସେମାନେ ଠିଆ ହୋଇଥାନ୍ତି । ଉଭୟ ନେତା ଓ ଅଭିନେତା ହିସାବରେ ମୋର ଫ୍ୟାନମାନେ ମୋତେ ବହୁତ ଭଲ ପାଇବା ଦେଇଛନ୍ତି । ତେଣୁ ମୋତେ କ୍ଷତି ପହଞ୍ଚାଇବା ପାଇଁ ବା ମୋତେ ହଇରାଣ କରିବା ପାଇଁ ଯଦି ମୋ ଫ୍ୟାନ ବା ସମର୍ଥକଙ୍କ ବ୍ୟବହାର କରାଯାଏ, ତେବେ ମୁଁ ଏହାକୁ ଆଦୌ ଗ୍ରହଣ କରିବି ନାହିଁ ।
ଅଧିକ ପଢ଼ନ୍ତୁ : ଧମକ ଦେଲେ ବିଗବସ୍ ଫେମ୍ ଅଭିନେତ୍ରୀ
ଏହି ଭିଡିଓରେ ସେ କାହାକୁ ନିର୍ଦ୍ଦିଷ୍ଟ ଭାବେ ଏହି ଧମକ ଦେଉଛନ୍ତି, ତାହା ଜଣାପଡୁ ନାହିଁ । ତା'ସହିତ ତାଙ୍କର କେଉଁ ଫ୍ୟାନଙ୍କୁ କିଏ କ୍ଷତି ପହଞ୍ଚାଇଲା ସେ ବିଷୟରେ ମଧ୍ୟ କିଛି ସ୍ପଷ୍ଟ ଭାବେ ଅନୁଭବ କହିନାହାନ୍ତି ।