Thrilar1
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ତାଙ୍କ ଆଗାମୀ ଫିଲ୍ମ ‘ଥ୍ରୀଲର’ରେ ଓଡ଼ିଆ ଝିଅ ଅପ୍ସରା ରାଣୀଙ୍କୁ ନାୟିକା ଭାବେ ସୁଯୋଗ ଦେଇଥିବା ନେଇ ପୂର୍ବରୁ ସୂଚନା ଦେଇଥିବା ବେଳେ ଏହାର ନାୟକ ଭାବେ ମଧ୍ୟ ଜଣେ ଓଡ଼ିଆଙ୍କୁ ସୁଯୋଗ ଦେଇଛନ୍ତି। ରାମ୍ ଗୋପାଲ୍ ବର୍ମା ଆଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଏହି ଓଡ଼ିଆ ଯୁବକଙ୍କ ନାଁ ରକ୍ କାଚି। ତାଙ୍କ ଘର ନବରଙ୍ଗପୁରରେ।
ରାମୁ ଟ୍ୱିଟ୍ କରି ଲେଖିଛନ୍ତି, ମୁଁ ଓଡ଼ିଶାକୁ ଚିହ୍ନିପାରିଛି ଓ ଆଉ ଜଣେ ପ୍ରତିଭାଙ୍କୁ ଆବିଷ୍କାର କରିଛି। ତାଙ୍କ ନାଁ ରକ୍। ତାଙ୍କୁ ମୁଁ ‘ଥ୍ରୀଲର’ରେ ଅପ୍ସରାଙ୍କ ବିପକ୍ଷରେ ନେଇଛି।
ଅନ୍ୟ ଏକ ଟ୍ୱିଟ୍ କରି ରାମୁ ଲେଖିଛନ୍ତି ଯେ ସେ ରକ୍ ଓ ଅପ୍ସରାଙ୍କ ଭଳି ଅଧିକରୁ ଅଧିକ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ଚାହୁଁଛନ୍ତି।
ଏହା ସହିତ ରାମ ଗୋପାଲ କିଛି ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଉଭୟ ଅପ୍ସରା ଓ ରକ୍ ଅଛନ୍ତି। ରାମୁ ଟ୍ୱିଟ୍ କରି ଲେଖିଛନ୍ତି ‘ଥ୍ରୀଲର’ ପାଇଁ ଥ୍ରୀଲିଙ୍ଗ୍ ଫଟୋଶୁଟ୍ ହୋଇଛି।
ରକ୍ କାଚି ମଧ୍ୟ ଟ୍ୱିଟ୍ କରି ତାଙ୍କୁ ସୁଯୋଗ ଦେଇଥିବାରୁ ରାମୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସଫଳତାକୁ ସେ ଶବ୍ଦରେ ବର୍ଣ୍ଣନା କରିପାରିବେ ନାହିଁ ବୋଲି ଲେଖିଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଅପ୍ସରାଙ୍କୁ ନେଇ ରାମ ଗୋପାଲ ବର୍ମା କରିଥିବା ଏକ ଟ୍ୱିଟ୍ରୁ ବିବାଦ ସୃଷ୍ଟି ହୋଇଥିଲା। ଏଥିରେ ‘ଓଡ଼ିଶା’ର ଇଂରାଜୀ ବନାନ ଭୁଲ୍ ଥିଲା। ତା’ସହିତ ୧୯୯୯ ମହାବାତ୍ୟା ପର ଠାରୁ ସେ ଓଡ଼ିଶା ବିଷୟରେ କିଛି ଜାଣି ନଥିବା ଲେଖିଥିଲେ। ଏହାକୁ ନେଇ ଅନେକ ଓଡ଼ିଆ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ। ଅବଶ୍ୟ ପରେ ରାମ ଗୋପାଲ ବର୍ମା ଅନ୍ୟ ଏକ ଟ୍ୱିଟ୍ କରି ଓଡ଼ିଶାକୁ ପ୍ରଶଂସା କରିଥିଲେ। ଅବଶ୍ୟ କେହି କେହି କହୁଛନ୍ତି, ନିଜ ଫିଲ୍ମର ପ୍ରଚାର ପାଇଁ ଏହା ରାମୁଙ୍କର ଏକ କୌଶଳ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/Thrilar1.jpg)