Advertisment

ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିପାରିବେ ନାହିଁ ହୃଷିକେଶ ଭୋଇ, ବଛାଯିବେ ନୂଆ କଳାକାର

କଂସ ଭୂମିକାରେ ଅଭିନୟ କରି ସୁନାମ ଅର୍ଜି ଥିବା ହୃଷିକେଶ ଭୋଇଙ୍କର ଗୋଟିଏ ଭୁଲ୍‌ ତାଙ୍କର ଭାବମୂର୍ତ୍ତିକୁ ଖରାପ କରି ଦେଇଛି!

ଅଦ୍ୟତନ ହୋଇଛି
Hrushikesh Bhoi

Hrushikesh Bhoi

Advertisment

ବରଗଡ଼ ଧନୁଯାତ୍ରା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ପ୍ରସ୍ତୁତି ବୈଠକ। ଆଉ ବୈଠକରେ ସର୍ବସମ୍ମତିକ୍ରମେ ନିଆଗଲା ବଡ଼ ନିଷ୍ପତ୍ତି। ହୃଷିକେଷ ଭୋଇ ହେବେନି ମହାରାଜ କଂସ। ଏଥର ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଜଣେ ନୂଆ କଳାକାର। 

Advertisment

କାହିଁକି ବଦଳିଲେ ହୃଷିକେଶ

କଂସ ଭୂମିକାରେ ଅଭିନୟ କରି ସୁନାମ ଅର୍ଜି ଥିବା ହୃଷିକେଶ ଭୋଇ ଜଣେ ସରକାରୀ କର୍ମଚାରୀ। ସେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଗତ ଅକ୍ଟୋବର ମାସରେ ସେ ଗାଇସିଲାଟ ବ୍ଲକର ଏକ ଗାଁକୁ ମୃତଦେହ ନେଇ ଯାଇଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ୩ ହଜାର ଟଙ୍କା ମାଗିଥିଲେ। ମୃତକଙ୍କ ପରିବାର ଲୋକେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ ଓ ଏନେଇ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। କାରଣ ମହାପ୍ରୟାଣ ଗାଡ଼ିରେ ଶବ ନେବା ପାଇଁ କୌଣସି ଦେୟ ଦେବାକୁ ପଡ଼େ ନାହିଁ। ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ସେ ଦୋଷମୁକ୍ତ ହୋଇ ନଥିବାରୁ ତାଙ୍କୁ କଂସ ଭୂମିକାରେ ଅଭିନୟ କରିବାକୁ ଅନୁମତି ଦେଲେ, ତାହା ବରଗଡ଼ ଧନୁଯାତ୍ରାର ମର୍ଯ୍ୟାଦା ଓ ଗାରିମାକୁ ନ୍ୟୁନ କରିବ ବୋଲି ବରଗଡ଼ ଧନୁଯାତ୍ରା କଳାକାର ସମନ୍ୱୟ କମିଟି ପକ୍ଷରୁ କୁହାଯାଇଥିଲା। ଏହା ସହିତ ହୃଷିକେଶଙ୍କୁ ଏଥର କଂସ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ନଦେବାକୁ ସେମାନେ ସୁପାରିଶ କରିଥିଲେ, ଯାହାକୁ ଧନୁଯାତ୍ରା କାର୍ଯ୍ୟକାରୀ କମିଟି ଗ୍ରହଣ କରି ନେଇଛି।

ଧନୁଯାତ୍ରା ମହୋତ୍ସବ ସମିତି ସଂପାଦକ ସୁରେଶ୍ୱର ଶତପଥୀ କହିଛନ୍ତି, ୭୭ତମ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ଡିସେମ୍ବର ୪ ତାରିଖରେ ସ୍ଥାପିତ ହେବ। ତେବେ ଏଥର କାର୍ଯ୍ୟକାରୀ କମିଟି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛି ଯେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇଙ୍କୁ ପରିବର୍ତ୍ତନ କରି ନୂତନ କଳାକାରଙ୍କୁ ନିଆଯିବ। ବରଗଡ଼ ଧନୁଯାତ୍ରା କଳାକାର ସମନ୍ୱୟ କମିଟି ସୁପାରିଶ କରିଥିଲେ ଯେ, ଯେହେତୁ ତାଙ୍କ (ହୃଷିକେଶ ଭୋଇ) ବିରୋଧରେ ଅଭିଯୋଗ ଆସିଛି ଓ ସେ ଦୋଷ ମୁକ୍ତ ହୋଇନାହାନ୍ତି, ତେଣୁ ଏଥର ସେ ଧନୁ ଯାତ୍ରାରେ ଅଭିନୟ କଲେ ଏହାର ମର୍ଯ୍ୟାଦା ଓ ଗାରିମା କମିଯାଇପାରେ। ସେ ଦୋଷମୁକ୍ତ ନହେବା ପର୍ଯ୍ୟନ୍ତ ତାଙ୍କୁ ଅବ୍ୟାହତି ଦେବାକୁ ସେମାନେ ପ୍ରସ୍ତାବ ଦେଇଥିଲେ। ସେମାନଙ୍କ ସୁପାରିଶକୁ କାର୍ଯ୍ୟକାରୀ କମିଟି ଗ୍ରହଣ କରିଛି।

Advertisment

କେମିତି ଚୟନ ହେବେ କଂସ

ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଯାହାଙ୍କୁ ବଛାଯାଏ, ତାଙ୍କୁ ୩ ବର୍ଷ ସୁଯୋଗ ଦିଆଯାଏ। ହୃଷିକେଶ ଭୋଇଙ୍କୁ ୨୦୨୨ରେ ବଛା ଯାଇଥିଲା। ତାଙ୍କ ଅବଧି ଏଥର ଶେଷ ହେଉଥିଲା। ତେଣୁ ଏଥର ଯାହାଙ୍କୁ କଂସ ଭୂମିକାରେ ଅଭିନୟ କରିବା ପାଇଁ ବଛାଯିବ, ତାଙ୍କୁ କେବଳ ଗୋଟିଏ ବର୍ଷ ସୁଯୋଗ ମିଳିବ। ସେଥିପାଇଁ ନୂତନ ଭାବେ କଳାକାରମାନଙ୍କଠାରୁ ଆବେଦନ ଗ୍ରହଣ ନ କରି ୨୦୨୨ କଂସ ଚୟନ ପ୍ରକ୍ରିୟାରେ ଭାଗ ନେଇ ୨ରୁ ୫ ନମ୍ବର ସ୍ଥାନରେ ରହିଥିବା କଳାକାରମାନଙ୍କ ମଧ୍ୟରୁ ଜଣଙ୍କୁ ଏଥର କଂସ ଭୂମିକାରେ ଅଭିନୟ କରିବାକୁ ବଛାଯିବ। ଆସନ୍ତା ବର୍ଷ ପୁଣି ୩ ବର୍ଷ ପାଇଁ କଂସଭୂମିକାରେ ଅଭିନୟ କରିବାକୁ କଳାକାର ଚୟନ କରାଯିବ ବୋଲି ଜଣାପଡ଼ିଛି। 

ରିପୋର୍ଟ- ବରଗଡ଼ରୁ ଧର୍ମଦତ୍ତ ପାଢ଼ୀ

Bargarh Dhanu Yatra Dhanu Jatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe