Advertisment

୫୩ ବର୍ଷ ପରେ ବିରଳ ସଂଯୋଗ; ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା

ଏପରି ସଂଯୋଗ ପଛରେ କ’ଣ ରହିଛି କାରଣ, ଜାଣନ୍ତୁ...

author-image
Jitendra Garnayak
ଅଦ୍ୟତନ ହୋଇଛି
 Jagannath Rath Yatra 2024

Representative Image

ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥ, ପଥ ସଜେଇ ହେଉଛି। ଚଳିତ ବର୍ଷ ରଥଯାତ୍ରା ସ୍ମରଣୀୟ ରହିବ। କାରଣ ଏଥର ଗୋଟିଏ ଦିନରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ସାଙ୍ଗକୁ ନବଯୌବନ ଦର୍ଶନ ଓ ରଥଯାତ୍ରା ପଡ଼ୁଛି। ଏହି କାରଣରୁ ଏଥର ଭକ୍ତମାନେ ଦୁଇ ଦିନ ମହାପ୍ରଭୁଙ୍କ ରଥ ଟାଣିବାର ସୁଯୋଗ ପାଇବେ। 

Advertisment

ଦୀର୍ଘ ୫୩ ବର୍ଷ ପରେ ଶ୍ରୀମନ୍ଦିରରେ ଏହିପରି ବିରଳ ସଂଯୋଗ ପଡ଼ୁଛି। ୧୯୭୧ ମସିହାରେ ଗୋଟିଏ ଦିନରେ ତିନି ତିନିଟି ନୀତିକାନ୍ତି ସମ୍ପନ୍ନ ହୋଇଥିବାର ଇତିହାସ ରହିଛି।

ମନ୍ଦିର ନୀତି କ୍ୟାଲେଣ୍ଡର ଅନୁଯାୟୀ, ଜୁଲାଇ 6ରେ ରଥ ଆଜ୍ଞାମାଳ ବିଜେ କରାଯିବା ପରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଏବଂ ରଥଯାତ୍ରା ଗୋଟିଏ ଦିନରେ ଅର୍ଥାତ୍ ଜୁଲାଇ ୭ରେ ଅନୁଷ୍ଠିତ ହେବ। ଜୁଲାଇ ୭ରେ ରଥଯାତ୍ରା ହେଉଥିଲେ ମଧ୍ୟ ଏହି ଦିନ ଠାକୁର ମାଉସୀ ମା ମନ୍ଦିରରେ ପହଞ୍ଚି ପାରିବେ ନାହିଁ। ଏହା ପର ଦିନ ଅର୍ଥାତ୍ ଜୁଲାଇ ୮ରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।

Advertisment

ଅଧିକ ପଢ଼ନ୍ତୁ: ସ୍ନାନଯାତ୍ରାରୁ ନୀଳାଦ୍ରିବିଜେ, ଜାଣନ୍ତୁ ରଥଯାତ୍ରାର ସମସ୍ତ ନୀତିକାନ୍ତି

ଚଳିତ ବର୍ଷ ଏପରି ହେବାର ମୁଖ୍ୟ କାରଣ ହେଉଛି, ମୁକ୍ତିମଣ୍ଡପର ଜଣେ ସଦସ୍ୟଙ୍କ କହିବା ଅନୁସାରେ, ଏଥର ଅଣସର ସମୟ ୧୩ ଦିନ ପଡ଼ୁଥିଲେ ମଧ୍ୟ ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ତଥ୍ୟ ଅନୁସାରେ ୧୫ ଦିନ ପର୍ଯ୍ୟନ୍ତ ଅଣସର ନୀତିକାନ୍ତି ପାଳନ ହେବା ଅନିର୍ବାଯ୍ୟ।

ଏହି କାରଣରୁ ଜୁନ୍ ୨୨ରେ ସ୍ନାନ ପୂର୍ଣ୍ଣିମା ସରିବା ପରେ ମହାପ୍ରଭୁ ଜୁଲାଇ ୬ ପର୍ଯ୍ୟନ୍ତ ଅଣସରରେ ରହିବେ। ତେଣୁ ଗୋଟିଏ ଦିନରେ ଅର୍ଥାତ୍ ଜୁଲାଇ ୭ରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଏବଂ ରଥଯାତ୍ରା ଅନୁଷ୍ଠିତ ହେବ। ଗୋଟିଏ ଦିନରେ ତିନିଟି ନୀତିକାନ୍ତି ଥିବାରୁ ଏଥର ଭକ୍ତ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ।

୧୯୭୧ରେ ଏହିପରି ବିରଳ ସଂଯୋଗ ଘଟିଥିଲା। ତେଣୁ ପୂର୍ବ କାର୍ଯ୍ୟସୂଚୀ ଅନୁସରଣ କରାଯିବ। ନିର୍ଘଣ୍ଟ ହୋଇଥିବା ନୀତି ଅନୁସାରେ, ଏଥର ଜୁଲାଇ ୬ରେ ଠାକୁରମାନେ ଗୁପ୍ତସେବା ପାଇଁ ଅଣସରରେ ଥିବାରୁ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବ। ଏହା ପରେ ଯାଇ ସିଂହଦ୍ୱାରରେ ଆଗରେ ଲାଗିବ ତିନି ରଥ। 

ରଥଯାତ୍ରା ଦିନ ସକାଳେ ପହଣ୍ଡି ହେବ ନାହିଁ। ଦିନ ୨ଟା ୩୦ରେ ପହଣ୍ଡି ହୋଇ ରଥକୁ ବିଜେ କରିବେ ତିନି ଠାକୁର। ଏହା ପରେ ଛେରା ପହଁରା ସହ ଅନ୍ୟାନ୍ୟ ନୀତିକାନ୍ତି ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ସନ୍ଧ୍ୟା ୭ କିମ୍ବା ୮ଟାରେ ରଥ ଟଣାଯିବ। ଏହି ଦିନ ତିନି ରଥକୁ ଅଳ୍ପ କିଛି ବାଟ ନିଆଯିବ। ପରଦିନ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ ରଥ। ଏହି କାରଣରୁ ଏଥର ଭକ୍ତମାନେ ଦୁଇ ଦିନ ରଥ ଟାଣିବାର ସୁଯୋଗ ପାଇବେ।

ପ୍ରକାଶ ଥାଉକି, ପଞ୍ଜିକା ଅନୁସାରେ ଏଥର ଦିତିଆ ତିଥି ଦୁଇ ଦିନ ରହୁଛି। ୭ ଜୁଲାଇ ଭୋଅର ୪:୨୬ରୁ ୮ ଜୁଲାଇ ୪:୫୯ ପର୍ଯ୍ୟନ୍ତ ଆଷାଢ଼ ଶୁକ୍ଳପକ୍ଷ ଦିତିଆ ତିଥି ରହୁଛି। ତେଣୁ ଏହି ସମୟ ମଧ୍ୟରେ ରଥଟଣା ହୋଇପାରିବ। 

Ratha Yatra