ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହୋଇପାରିବେ କି ଗରିବ ରୋଗୀ?

ସୂର୍ଯ୍ୟମଣି ମିଶ୍ର ସ୍ୱାଧୀନତା ପୂର୍ବରୁ ଇଂରେଜ ଦେଶରେ ସିଭିଲ୍ ହସ୍‌ପିଟାଲ କିଛି ମେଡ଼ିକାଲ୍ କଲେଜ ଖୋଲିଥିଲେ। ସ୍ୱାଧୀନତା ପରେ ଆମ ଦେଶର ଗଣତାନ୍ତ୍ରିକ ସରକାର ପଞ୍ଚବାର୍ଷିକୀ ଯୋଜନା ଅନ୍ତର୍ଗତ ହସ୍‌ପିଟାଲ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଲେ। ସେହି ସମୟରେ ଘରୋଇ ହସ୍‌ପିଟାଲ ଟ୍ରଷ୍ଟ ବା ଧାର୍ମିକ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲା। କିନ୍ତୁ ଏହି ଘରୋଇ ହସ୍‌ପିଟାଲଗୁଡ଼ିକର ବ୍ୟବସାୟିକ ମନୋବୃତ୍ତି ନଥିଲା। ଉଦ୍ଦେଶ୍ୟ ଥିଲା ଚ୍ୟାରିଟି ବା ଦାତବ୍ୟ ସେବା। ପରେ ବଡ଼ ଧନୀକଙ୍କ […]

hospital

Debendra Prusty
  • Published: Monday, 16 November 2020
  • , Updated: 16 November 2020, 05:02 PM IST

ସୂର୍ଯ୍ୟମଣି ମିଶ୍ର

ସ୍ୱାଧୀନତା ପୂର୍ବରୁ ଇଂରେଜ ଦେଶରେ ସିଭିଲ୍ ହସ୍‌ପିଟାଲ କିଛି ମେଡ଼ିକାଲ୍ କଲେଜ ଖୋଲିଥିଲେ। ସ୍ୱାଧୀନତା ପରେ ଆମ ଦେଶର ଗଣତାନ୍ତ୍ରିକ ସରକାର ପଞ୍ଚବାର୍ଷିକୀ ଯୋଜନା ଅନ୍ତର୍ଗତ ହସ୍‌ପିଟାଲ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଲେ। ସେହି ସମୟରେ ଘରୋଇ ହସ୍‌ପିଟାଲ ଟ୍ରଷ୍ଟ ବା ଧାର୍ମିକ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲା। କିନ୍ତୁ ଏହି ଘରୋଇ ହସ୍‌ପିଟାଲଗୁଡ଼ିକର ବ୍ୟବସାୟିକ ମନୋବୃତ୍ତି ନଥିଲା। ଉଦ୍ଦେଶ୍ୟ ଥିଲା ଚ୍ୟାରିଟି ବା ଦାତବ୍ୟ ସେବା। ପରେ ବଡ଼ ଧନୀକଙ୍କ ଦ୍ୱାରା ଚ୍ୟାରିଟି ନାମରେ ହସ୍‌ପିଟାଲ ଖୋଲାଗଲା। ଆଉ ମାଗଣାରେ ସ୍ୱାସ୍ଥ୍ୟସେବା ଘରୋଇ ହସ୍‌ପିଟାଲରେ ଉପଲବ୍ଧ ହେଲାନାହିଁ। ସ୍ୱାସ୍ଥ୍ୟ ଆଧାରିତ ପୁଞ୍ଜିବାଦ ସିଦ୍ଧାନ୍ତକୁ ନେଇ ଘରୋଇ ହସ୍‌ପିଟାଲ ଖୋଲିଲା ଏବଂ ପରିଚାଳିତ ହେଲା। ଏହା ମାତ୍ର କିଛି ଅଞ୍ଚଳରେ ସୀମିତ ଥିଲା।

ଏବେ ଏହି ଘରୋଇ ହସ୍‌ପିଟାଲ ସହରଠାରୁ ଗ୍ରାମାଞ୍ଚଳ ଯାଏ ଖୋଲିଛି। ହସ୍‌ପିଟାଲ ଏବେ ଉଦ୍ୟୋଗ ହୋଇଯାଇଛି। ସରକାରୀ ହସ୍‌ପିଟାଲ ପାଇଁ କେତେବେଳେ ବଜେଟ ହ୍ରାସ କରାଯାଉଛି ତ କେବେ ପ୍ରଶାସନିକ ଶିଥିଳତା ଦେଖିବାକୁ ମିଳୁଛି। କେତେବେଳେ ଦୁର୍ନୀତି ଦେଖିବାକୁ ମିଳୁଛି ତ କେତେବେଳେ ଘରୋଇ ହସ୍‌ପିଟାଲ ସହ ବୁଝାମଣାର ଚିତ୍ର ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ଅଧିକ ଭାବେ ସରକାରୀ ଡାକ୍ତର ରୋଗୀଙ୍କୁ ଘରୋଇ ହସ୍‌ପିଟାଲକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି।

ସରକାରଙ୍କ ଦ୍ୱାରା ଘରୋଇ ପ୍ରାକ୍ଟିସ୍ ଉପରେ କଟକଣା ଲଗାଗଲା ଏବଂ ନନ୍‌ପ୍ରାକ୍ଟିସ୍ ଭତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା। କିନ୍ତୁ ଘରୋଇ ସେବା ସରକାରୀ ଡାକ୍ତରଙ୍କ ଦ୍ୱାରା ବନ୍ଦ ହୋଇପାରିନାହିଁ। ଯାହାଙ୍କ ପାଖରେ ଟଙ୍କା ଅଛି, ଯାହାଙ୍କ ପାଖରେ ମେଡ଼ିକ୍ରେନ୍ ଅଛି, ଯାହାଙ୍କ ପାଇଁ ସରକାର ଏବଂ କମ୍ପାନୀ ଦ୍ୱାରା ଚିକିତ୍ସା ସେବା ପାଇବାର ସୁବିଧା ଅଛି ତାହାଙ୍କ ପାଇଁ ଚିକିତ୍ସା ସେବା ପାଇବାରେ କୌଣସି ସମସ୍ୟା ନାହିଁ। କିନ୍ତୁ ଯେଉଁ ଲୋକ ଅସଂଗଠିତ କ୍ଷେତ୍ରର ସେମାନଙ୍କ ପାଇଁ ଏହି ସୁବିଧା ଅପହଞ୍ଚ। ନିଜର ସଞ୍ଚିତ ଅର୍ଥକୁ ଘରୋଇ ହସ୍‌ପିଟାଲରେ ଦେଇ ସର୍ବସ୍ୱାନ୍ତ ହେଉଛନ୍ତି।

ଗୋଟିଏ ଜନକଲ୍ୟାଣ ରାଷ୍ଟ୍ରର ପ୍ରଥମ ଉଦ୍ଦେଶ୍ୟ ହେଉଛି ନାଗରିକଙ୍କୁ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସୁବିଧା ସୁନିଶ୍ଚିତ କରାଯିବା। ସରକାର କିନ୍ତୁ ସ୍ୱାସ୍ଥ୍ୟବୀମା କହୁଛନ୍ତି, ଉତ୍ତମ ସରକାରୀ ହସ୍‌ପିଟାଲ କଥା କହୁନାହାନ୍ତି। ଘରୋଇ ହସ୍‌ପିଟାଲର ମନୋମୁଖି ଫିସ୍ ଉପରେ ନିୟନ୍ତ୍ରଣ କରାଯାଉନାହିଁ। ଘରୋଇ ହସ୍‌ପିଟାଲର ଅତ୍ୟଧିକ ଚାର୍ଜର ସମୀକ୍ଷା କରାଯାଉନାହିଁ। ସରକାରୀ ହସ୍‌ପିଟାଲ ପ୍ରତି ଦେଖିବାକୁ ମିଳୁଛି ସରକାରଙ୍କର ଉଦାସୀନତା। ଫଳରେ ୬୦ ପ୍ରତିଶତ ଜନସଂଖ୍ୟା ଚିକିତ୍ସା ସେବାରୁ ବଂଚିତ ହେଉଛନ୍ତି। ସରକାର ସବୁବେଳେ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ବା ପିପିପି ମଡ଼େଲ କଥା କହୁଛନ୍ତି।

ଚିକିତ୍ସା ସେବାକୁ ଘରୋଇକରଣ କରିବା ଲକ୍ଷ୍ୟ ନେଇ ଏବଂ ସମସ୍ତ ହସ୍‌ପିଟାଲକୁ ପୁଞ୍ଜିପତିଙ୍କ ହାତକୁ ଟେକିଦେବା ପାଇଁ ମନସ୍ଥ କରିଥିବା ଜଣାପଡ଼େ। ଦେଶରେ ମୁକ୍ତ ଅର୍ଥ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ୯୦ ଦଶକରୁ ପିପିପି ମଡ଼େଲର କଥା କହୁଛନ୍ତି ସରକାର। କିନ୍ତୁ ଏହା ସ୍ପଷ୍ଟ ଯେ, ସରକାର କୌଣସି ସ୍ଥାଣୁକାର ନୁହନ୍ତି, ଯିଏକି ପ୍ରତ୍ୟେକ କାର୍ଯ୍ୟର ବ୍ୟବସାୟିକ ଲାଭ ପାଇଁ କରିବେ। ସୁସଂଗଠିତ ଚିକିତ୍ସା ବ୍ୟବସ୍ଥାକୁ ବିକଶିତ କରିବା ସରକାରଙ୍କ ଦାୟିତ୍ୱ। ଯେଉଁମାନେ କର୍ପୋରେଟ ହସ୍‌ପିଟାଲରେ ଅର୍ଥାଭାବ କାରଣରୁ ଚିକିତ୍ସା ପାଇବାରୁ ସକ୍ଷମ ନୁହଁନ୍ତି ସେମାନଙ୍କ ପାଇଁ ସରକାର ଚିକିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ହେଉଛି ସରକାରଙ୍କର ଦାୟିତ୍ୱ। ସରକାର ଏଥିପାଇଁ ଦୟା କରୁନାହାନ୍ତି ବା ଦୟା ବୋଲି ଭାବିବା ଉଚିତ୍ ନୁହେଁ। ସରକାର ନିର୍ବାଚିତ। ଲୋକଙ୍କୁ ସେମାନଙ୍କର ସାମ୍ବିଧାନିକ ମୌଳିକ ଅଧିକାର ପ୍ରଦାନ କରିବାର ଦାୟିତ୍ୱ ହେଉଛି ସରକାରଙ୍କ ଉପରେ।

ସରକାର ପ୍ରତ୍ୟେକ ଯୋଜନାରେ ପିପିପି ମଡ଼େଲ ଆଣି ଏହାକୁ ଘରୋଇକରଣ କରିବା ପାଇଁ ଯେଉଁ ଚିନ୍ତା କରୁଛନ୍ତି ତାହା ଜନବିରୋଧୀ। ପ୍ରଚାରରେ ଯେପରି ଘରୋଇ କ୍ଷେତ୍ରର ହସ୍‌ପିଟାଲର ସେବାକୁ ଉତ୍ତମ ବୋଲି ପ୍ରଚାର କରାଯାଉଛି ତାହା ଉପରେ ଅଙ୍କୁଶ ଲାଗିବାର ସମୟ ଆସିଛି। ଘରୋଇ ହସ୍‌ପିଟାଲକୁ ସରକାର ରିହାତି ମୂଲ୍ୟରେ କମ୍‌ଟଙ୍କାରେ ଜମି ଦେଇଛନ୍ତି। ନିକଟରେ ଅଦାଲତର ଏକ ନିର୍ଦ୍ଦେଶ ଆସିଛି ଯେ, ଏହି ଘରୋଇ ହସ୍‌ପିଟାଲଗୁଡ଼ିକ ଗରିବବର୍ଗଙ୍କ ପାଇଁ କିଛି ପ୍ରତିଶତ ବେଡ଼୍ ବା ଶଯ୍ୟାକୁ ମାଗଣାରେ ଉପଲବ୍ଧ କରାଇବେ।

୨୦୦୦ ମସିହାରେ ବିଚାରପତି ଏ.ଏସ୍‌. କୁରୈସିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ଏହି କମିଟି ଘରୋଇ ହସ୍‌ପିଟାଲ ପାଇଁ ଦିଶା-ନିର୍ଦ୍ଦେଶ ସ୍ଥିର କରିଥିଲେ। ଏହି କମିଟି ସୁପାରିଶ କରିଥିଲେ ଯେ, ରିହାତି ମୂଲ୍ୟରେ ସରକାରଙ୍କଠାରୁ ଜମି ପାଇଥିବା ଘରୋଇ ହସ୍‌ପିଟାଲ ଇନ୍ ପେସେଣ୍ଟ୍ ବିଭାଗରେ ୧୦ ପ୍ରତିଶତ ଏବଂ ଆଉଟ୍ ପେସେଣ୍ଟ ବିଭାଗରେ ୨୫ ପ୍ରତିଶତ ବେଡ଼୍ ବା ଶଯ୍ୟା ଗରିବଙ୍କ ପାଇଁ ରିଜର୍ଭ ରଖିବାକୁ ହେବ। କିନ୍ତୁ ବାସ୍ତବରେ ଏହା କାର୍ଯ୍ୟକାରୀ ହେଉନାହିଁ। ନିୟମ ଥାଇ ମଧ୍ୟ ଘରୋଇ ହସ୍‌ପିଟାଲଗୁଡ଼ିକ ନିୟମକୁ ପାଳନ କରୁନାହାନ୍ତି।

କରୋନା ମହାମାରୀ ସମୟରେ ଏପରି ଚିତ୍ର ଆମ ଓଡ଼ିଶାର ଭୁବନେଶ୍ୱରଠାରୁ ବିଭିନ୍ନ ସହରାଞ୍ଚଳରେ ଥିବା ଘରୋଇ ହସ୍‌ପିଟାଲଗୁଡ଼ିକରେ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ଥିବା ଗୋଟିଏ ଘରୋଇ ହସ୍‌ପିଟାଲ ୩୦ କୋଟି ଟଙ୍କାରୁ ଅଧିକ ଟଙ୍କା ସରକାରଙ୍କଠାରୁ କରୋନା ସହାୟତା ପାଇଥିବାବେଳେ ଗରିବ ରୋଗୀଙ୍କ ପ୍ରତି ଉଚିତ୍ ସେବା ଯୋଗାଇ ଦେଇନାହିଁ।

ଗୋଟିଏ ପଟେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ମାନସିକ, ଶାରୀରିକ ଏବଂ ବୃତ୍ତିଗତ ଭାବେ କରୋନା କାରଣରୁ ପ୍ରଭାବ ପଡ଼ିଛି। ପିପିଇ କିଟ୍‌, ହସ୍‌ପିଟାଲରେ ଔଷଧ, ଭେଣ୍ଟିଲେଟରର ଅଭାବ, ଶଯ୍ୟା ଅଭାବ, ପରୀକ୍ଷାର ସମସ୍ୟା, କରୋନା ସହ ଯୋଡ଼ିହୋଇଥିବା ଭୟ ସମୟରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତରଙ୍କ ଉପରେ ଚାପ ପଡ଼ିଛି। ଏହାର ସୁଯୋଗରେ ଘରୋଇ ହସ୍‌ପିଟାଲଗୁଡ଼ିକ ଶୋଷଣର ଜାଲ ବିଛାଇ ଦେଇଥିବାର ଅଭିଯୋଗ ଯେ ଅମୂଳକ ନୁହେଁ ବା ଅସତ୍ୟ ନୁହେଁ ତାହା କହିଲେ ଭୁଲ ହେବନାହିଁ।

କୋଭିଡ଼୍‌-୧୯ ମହାମାରୀକୁ ସ୍ୱାସ୍ଥ୍ୟ ପାଇଁ ଜରୁରୀ ପରିସ୍ଥିତି ବୋଲି ଘୋଷଣା କରାଯାଇଛି। ପୂର୍ବରୁ ସୁପ୍ରିମକୋର୍ଟ ଦୁର୍ବଳ ଆୟ ବର୍ଗର ରୋଗୀଙ୍କ ପାଇଁ ଘରୋଇ ସ୍ୱାସ୍ଥ୍ୟସେବା ମାଗଣାରେ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୦୧୮ରେ ସୁପ୍ରିମକୋର୍ଟ ନିଜ ରାୟରେ ରିହାତି ମୂଲ୍ୟରେ ଜମି ପାଇଥିବା ଘରୋଇ ହସ୍‌ପିଟାଲ ଆର୍ଥିକ ଭାବରେ ଦୁର୍ବଳ ବର୍ଗର ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯଦି ଘରୋଇ ହସ୍‌ପିଟାଲ ଏହି ଆଦେଶକୁ ଅନୁପାଳନ ନକରିବେ ତେବେ ସଂପୃକ୍ତ ହସ୍‌ପିଟାଲର ମାନ୍ୟତାକୁ ରବ୍ଦ କରିଦିଆଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିଥିଲେ।

ଏବେ ପ୍ରଶ୍ନ ଉଠୁଛି ଅଦାଲତଙ୍କ ଏହି ନିର୍ଦ୍ଦେଶ ବାସ୍ତବରେ ପାଳନ ହେଉଛି ନା ହେଉନାହିଁ? ଏହାକୁ କିଏ ସୁନିଶ୍ଚିତ କରିବେ? କ’ଣ ସରକାର ଏପରି କୌଣସି ବ୍ୟବସ୍ଥାକୁ ବିକଶିତ କରିଛନ୍ତି ଯେଉଁ ବ୍ୟବସ୍ଥା ନିୟମିତ ଭାବେ ଏ ସଂପର୍କରେ ଅନୁଧ୍ୟାନ କରିବେ ଓ ଗରିବ ରୋଗୀଙ୍କୁ ଶୋଷଣରୁ ମୁକ୍ତ କରି ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବେ।

ସରକାର ନିର୍ବାଚିତ ହୋଇଛନ୍ତି ଏଥିପାଇଁ ଯେ, ନାଗରିକଙ୍କୁ ସେମାନଙ୍କର ମୌଳିକ ସ୍ୱାସ୍ଥ୍ୟସେବାର ଅଧିକାର ପ୍ରଦାନ କରିବେ। ଏହା ସରକାର ଭୁଲିଯିବା ଉଚିତ୍ ନୁହେଁ ଯେ, ନିଜ ଦାୟିତ୍ୱକୁ ପୁଞ୍ଜିପତିଙ୍କ ହାତରେ ଟେକି ଦେଇ ଚିକିତ୍ସା ସେବା କ୍ଷେତ୍ରକୁ ଘରୋଇକରଣ କରି ନିରବରେ ବସିଯିବେ। ଏହାଦ୍ୱାରା ଜନଆକ୍ରୋଶ ନିଶ୍ଚୟ ପ୍ରତିଫଳିତ ହେବ। କାରଣ ଘରୋଇକରଣ ଦ୍ୱାରା ୮୦ ଭାଗ ଲୋକ ସ୍ୱାସ୍ଥ୍ୟସେବାରୁ ବଂଚିତ ହେବେ!

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଦୂରଭାଷ: ୯୪୩୮୦୦୬୨୧୫

Related story