କର୍ପୋରେଟ୍‌ଙ୍କ ପୁଷମାସ, ନାଗରିକଙ୍କ ସର୍ବନାଶ!

ଭାଲଚନ୍ଦ୍ର ଷଡ଼ଙ୍ଗୀ

କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ମଣିଷର ଜୀବନ ଓ ସ୍ୱାସ୍ଥ୍ୟର ଯେତିକି କ୍ଷତି ହୋଇଛି, ତାଠାରୁ ଯଥେଷ୍ଟ ଅଧିକ କ୍ଷତି ହୋଇଛି ମଣିଷର ଜୀବିକା ଓ ଅର୍ଥନୀତି। ବିଶେଷ କରି ମହାମାରୀର ମୁକାବିଲା ନାଁରେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ସରକାରମାନଙ୍କ ଦ୍ୱାରା ଯେଉଁଭଳି ମାସ ମାସ ଧରି ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ କରାଗଲା, ତାରି ଫଳରେ କଳ, କାରଖାନା, ବ୍ୟବସାୟ ଓ ବାଣିଜ୍ୟ ବନ୍ଦ ହେବା ସହ କୋଟି କୋଟି ଲୋକ ନିଜର ରୋଜଗାର ହରାଇଲେ। ତେବେ କରୋନାର ପ୍ରଥମ ଢେଉ ଫଳରେ ସୃଷ୍ଟି ହୋଇଥିବା ଆର୍ଥିକ ବିପର୍ଯ୍ୟୟରୁ ଦେଶ ମୁକୁଳି ପାରିନଥିବା ବେଳେ ଦ୍ୱିତୀୟ ଢେଉଟି ଅର୍ଥନୀତିକୁ ଏକରକମ ଧରାଶାୟୀ କରିଦେଇଛି। ଲଗାତାର ଆର୍ଥିକ ବିପର୍ଯ୍ୟୟ ଫଳରେ ଗରିବ ଆହୁରି ଗରିବ ହୋଇଥିବା ବେଳେ ଦେଶର ଲକ୍ଷ ଲକ୍ଷ ମଧ୍ୟବିତ୍ତ ପରିବାର ବି ଗରିବ ଶ୍ରେଣୀକୁ ଚାଲିଯାଇଛନ୍ତି। ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଦ୍ୱାରା ନିକଟରେ ପ୍ରକାଶିତ ସମୀକ୍ଷାରୁ ଜଣାପଡ଼ିଛି ଯେ ମହାମାରୀ ଫଳରେ ଦେଶରେ ଗ୍ରାମାଞ୍ଚଳରେ ଗରିବ ମଣିଷଙ୍କ ସଂଖ୍ୟାରେ ୧୫% ବୃଦ୍ଧି ପାଇଥିବା ବେଳେ ସହରରେ ଏହା ୨୦% ବୃଦ୍ଧି ଘଟିଛି। ମହାମାରୀର ଗୋଟିଏ ବର୍ଷ ମଧ୍ୟରେ ଦେଶର ମୋଟ ୨୩ କୋଟି ମଣିଷ ଦାରିଦ୍ର‌୍ୟ ଭିତରକୁ ଠେଲି ହୋଇଥିବା ଜଣାପଡ଼ିଛି।

“ସେଣ୍ଟର ଫର୍ ମନିଟରିଙ୍ଗ୍ ଇଣ୍ଡିଆନ୍ ଇକୋନୋମି” ବା ସି.ଏମ୍‌.ଆଇ.ଇ.ର ସମୀକ୍ଷା ରିପୋର୍ଟ ଅନୁଯାୟୀ, ମହାମାରୀରେ ଭାରତର ୯୭% ପରିବାରର ଆୟ ହ୍ରାସ ପାଇଛି। ସେହିପରି ଦେଶରେ ବେକାରୀ ହାର ମଇ ମାସରେ ୧୨% ବୃଦ୍ଧି ପାଇଛି। ଗତ ଜାନୁଆରୀରୁ ମଇ ଅର୍ଥାତ୍ ପାଞ୍ଚ ମାସ ମଧ୍ୟରେ ଦେଶରେ ୩.୫ କୋଟି ଶ୍ରମିକ ଓ କର୍ମଚାରୀ ଚାକିରୀ ହରାଇଥିବା ବେଳେ କେବଳ ମଇ ମାସରେ ହିଁ ୨.୫ କୋଟି ଚାକିରୀ ହରାଇଥିବା ଜଣାପଡ଼ିଛି। ସେଥିରେ ପୁଣି କୁହାଯାଇଛି ଯେ ଦେଶର ଅଧିକାଂଶ ଶ୍ରମିକଙ୍କ ଗତ ବର୍ଷର ମହାମାରୀ ସମୟରେ ବିପର୍ଯ୍ୟୟରୁ ଉଠି ଠିଆ ହେବାର ଯେଉଁ କ୍ଷମତା ରହିଥିଲା, ଚଳିତ ମହାମାରୀ ପରେ ତାହା ଏକଦମ୍ ସମାପ୍ତ ହୋଇଯାଇଛି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଦେଶର ଅଧିକାଂଶ ଲୋକଙ୍କ ପାଇଁ ମହାମାରୀ ଏକରକମ ସର୍ବନାଶ ଆଣିଥିବା ବେଳେ ବଡ଼ କର୍ପୋରେଟ୍ ମାଲିକମାନଙ୍କ ପାଇଁ କିନ୍ତୁ ପୁଷମାସ ପାଲଟିଛି। ଆମ୍ବାନୀ ଓ ଆଦାନୀ ପରି ଦେଶର ବଡ଼ କର୍ପୋରେଟ୍ କମ୍ପାନୀମାନଙ୍କ ଆୟରେ ବୃଦ୍ଧି ମହାମାରୀ ସମୟରେ ଅଭୂତପୂର୍ବ ହୋଇଛି। ନିକଟରେ ଆର୍ନ୍ତଜାତୀୟ ଗବେଷଣା ସଂସ୍ଥା “ହୁରୁନ୍ ଗ୍ଳୋବାଲ” ତାର ଏକ ସମୀକ୍ଷାରେ ମହାମାରୀ ସମୟରେ ଭାରତର କର୍ପୋରେଟ୍ କମ୍ପାନୀଗୁଡ଼ିକର ମାଲିକମାନେ କିପରି ନିଜର ସମ୍ପତ୍ତି ଓ ମୁନାଫାରେ ବୃଦ୍ଧି କରିଛନ୍ତି ତଥ୍ୟ ସହ ଦର୍ଶାଇଛି। ଗତ ଜାନୁଆରୀ ମାସରେ ଆର୍ନ୍ତଜାତୀୟ ସଂସ୍ଥା “ଅକ୍ସଫାମ୍‌” ମଧ୍ୟ ତାର ରିପୋର୍ଟରେ ମହାମାରୀ ସମୟରେ କର୍ପୋରେଟ୍‌ମାନଙ୍କ ଆୟରେ ବଡ଼ ଧରଣର ବୃଦ୍ଧି ହେବାର ତଥ୍ୟ ଦେବା ସହ ତାହା ଦେଶରେ ଆର୍ଥିକ ବୈଷମ୍ୟକୁ ବଢ଼ାଇଛି ବୋଲି କହିଥିଲା। “ହୁରୁନ୍ ଗ୍ଳୋବାଲ”ର ସମୀକ୍ଷାରୁ ଜଣାପଡ଼ିଛି ଯେ ଗତ ମହାମାରୀର ସୁଯୋଗରେ ଭାରତର ୪୦ ଜଣ ଶିଳ୍ପପତି ନିଜର ସମ୍ପତ୍ତିରେ ଆଶ୍ଚର୍ଯ୍ୟଜନ ବୃଦ୍ଧି କରି ବିଶ୍ୱର ‘ବିଲିୟୋନେଆର୍ସ କ୍ଳବ୍‌’ରେ ସାମିଲ ହୋଇଛନ୍ତି। ବିଶ୍ୱର ବିଲିୟୋନେଆର୍ସଙ୍କ ତାଲିକାରେ ସାମିଲ ତୃତୀୟ ବଡ଼ ଗୋଷ୍ଠୀ ରୂପେ ପରିଚିତ ଭାରତର ଶିଳ୍ପପତ୍ତିଙ୍କ ସଂଖ୍ୟା ଏବେ ୧୭୭ରେ ପହଂଚିଛି।

ଦେଶରେ ସମ୍ପତ୍ତି ବୃଦ୍ଧିର ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠାରୁ ଘନିଷ୍ଠ କୁହାଯାଉଥିବା ଦୁଇ ଶିଳ୍ପପତ୍ତି ମୁକେଶ ଆମ୍ବାନୀ ଓ ଗୌତମ ଆଦାନୀ। ଆମ୍ବାନୀଙ୍କ ସମ୍ପତ୍ତିରେ ଗତ ଏକ ବର୍ଷ ମଧ୍ୟରେ ୨୪% ବୃଦ୍ଧି ହୋଇ ତାଙ୍କର ମୋଟ ବୈଧ ସମ୍ପତ୍ତି ୮୩ ବିଲିଅନ୍ ଡଲାରରେ ପହଂଚିଥିବା ବେଳେ ଗୌତମ ଆଦାନୀଙ୍କ ସମ୍ପତ୍ତି ମହାମାରୀ ବର୍ଷରେ କିନ୍ତୁ ଦ୍ୱିଗୁଣିତ ହୋଇଯାଇଛି। ବିଶ୍ୱର ଧନୀ ତାଲିକାରେ ୪୮ତମ ସ୍ଥାନରେ ରହିଥିବା ଆଦାନୀଙ୍କ ମୋଟ ସମ୍ପତ୍ତି ଏବେ ୩୨ ବିଲିଅନ୍ ଡଲାରରେ ପହଂଚିଛି। କେବଳ ସେ ନୁହଁନ୍ତି, ତାଙ୍କ ଭାଇ ବିନୋଦ ଆଦାନୀଙ୍କ ସମ୍ପତ୍ତି ମଧ୍ୟ ମହାମାରୀରେ ୧୨୮% ବୃଦ୍ଧି ପାଇ ୯.୮ ବିଲିଅନ୍ ଡଲାରରେ ପହଂଚିଥିବା ବେଳେ ଦେଶର ତୃତୀୟ ବଡ଼ ଧନୀ ରୂପେ ପରିଚିତ ଆଇଟି କମ୍ପାନୀ ଏଚସିଏଲ୍‌ର ମାଲିକ ଶିବ ନାଦାରଙ୍କ ସମ୍ପତ୍ତି ମଧ୍ୟ ମହାମାରୀରେ ୧୦ ବିଲିଅନ୍ ଡଲାର ବୃଦ୍ଧି ପାଇ ୨୭ ବିଲିଅନ୍ ଡଲାରରେ ପହଂଚିଛି। “ଜେଡ଼ କଲାର”ର ମୁଖ୍ୟ ଜୟ ଚୌଧୁରୀଙ୍କ ସମ୍ପତ୍ତିରେ ୨୭୪% ବୃଦ୍ଧି ହୋଇଥିବା ବେଳେ ‘ବାଇଜୁ’ ରବୀନ୍ଦ୍ରନ୍ ଓ ତାଙ୍କ ପରିବାରର ସମ୍ପତ୍ତିରେ ୧୦୦% ବୃଦ୍ଧି ହୋଇଛି। ‘ଇନ୍‌ଫୋସିସ୍‌’ର ମାଲିକ ନାରାୟଣ ମୂର୍ତ୍ତିଙ୍କ ସମ୍ପତ୍ତିରେ ୩୫% ବୃଦ୍ଧି ପାଇ ୩.୧ ବିଲିଅନ୍ ଡଲାରରେ ପହଂଚିଛି।

ମହାମାରୀ ଫଳରେ ଯେଉଁଠି ଦେଶର ଆର୍ଥିକ କାର୍ଯ୍ୟକଳାପ ବ୍ୟାପକ ହ୍ରାସ ପାଇଛି, ଅଭ୍ୟନ୍ତରୀଣ କାରବାର ନିମ୍ନମୁଖୀ ହୋଇଛି ଏବଂ ସର୍ବୋପରି ଜିଡ଼ିପିର ବିକାଶ ଦର ବଢ଼ିବା ବଦଳରେ ୭.୩% ହ୍ରାସ ପାଇଛି, ସେତେବେଳେ କର୍ପୋରେଟ୍‌ମାନଙ୍କ ମୁନାଫାରେ ଆକାଶଛୁଆଁ ବୃଦ୍ଧି ଅନେକଙ୍କୁ ଚକିତ କରିଛି। ଆଶ୍ଚର୍ଯ୍ୟର କଥା ହେଲା, ସେମାନେ ନିଜର ମୁନାଫାର ବୃଦ୍ଧିହାରକୁ କେବଳ ଅବ୍ୟାହତ ରଖି ନାହାନ୍ତି ବରଂ ପୂର୍ବବର୍ଷ ତୁଳନାରେ ସେଥିରେ ୧୪.୭% ବୃଦ୍ଧି ବି କରି ପାରିଛନ୍ତି। ସି.ଏମ୍‌.ଆଇ.ଇ.ର ସମୀକ୍ଷା ଅନୁସାରେ ଦେଶର ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜିକୃତ ୪୪୦୬ଟି କମ୍ପାନୀ ନିଜର ମୁନାଫାରେ ପୂର୍ବବର୍ଷ ତୁଳନାରେ ୨୧୨.୪% ବୃଦ୍ଧି କରିଛନ୍ତି। କରୋନାର ଗତ ଢେଉ ସମୟରେ ଦ୍ୱିତୀୟ ତ୍ରୈମାସିକୀରେ ଉପରୋକ୍ତ କମ୍ପାନୀମାନଙ୍କ ମୋଟ ମୁନାଫାର ପରିମାଣ ୧.୫୩ ଲକ୍ଷ କୋଟି ରହିଥିଲା। ସେହିଭଳି ତୃତୀୟ ତ୍ରୈମାସିକୀ (ଅକ୍ଟୋବର-ଡ଼ିସେମ୍ବର)ରେ ଏହି ମୁନାଫାର ପରିମାଣ ୧.୫୩ ଲକ୍ଷ କୋଟି ରହିଥିବା ବେଳେ ଚତୁର୍ଥ ତ୍ରୈମାସିକୀରେ ଏହା ୧.୮ ଲକ୍ଷ କୋଟିରେ ପହଞ୍ଚିଛି। ତେବେ ଚତୁର୍ଥ ତ୍ରୈମାସିକୀରେ ମୋଟ ୯୭୫ଟି କର୍ପୋରେଟଙ୍କ ରିପୋର୍ଟ ହିଁ ମିଳିଥିବାରୁ ସମସ୍ତଙ୍କ ରିପୋର୍ଟ ଆସିଲେ ଏହା ଆହୁରି ଅଧିକ ବଢ଼ିବାର ସମ୍ଭାବନା ରହିଛି। ରିଜର୍ଭ ବ୍ୟାଙ୍କ୍‌ର ରିପୋର୍ଟ ଅନୁସାରେ ପ୍ରଥମ ତିନୋଟି ତ୍ରୈମାସିକୀରେ ଶ୍ରମ ଖର୍ଚ୍ଚ କମାଇବା ଫଳରେ ଦ୍ୱିତୀୟ ଓ ତୃତୀୟ ତ୍ରୈମାସିକୀରେ କର୍ପୋରେଟ୍‌ମାନଙ୍କ ମୁନାଫାରେ ଯଥାକ୍ରମେ ୩୩.୪% ଓ ୩୫.୬% ବୃଦ୍ଧି ଘଟିଛି।

୨୦୨୦-୨୧ ଆର୍ଥିକ ବର୍ଷରେ ସାରା ଦେଶରେ ମାସ ମାସ ଧରି ଲକ୍‌ଡ଼ାଉନ୍ ଥିବା ଯୋଗୁଁ କଳ କାରଖାନାରେ ଉତ୍ପାଦନ ଏକରକମ୍ ବନ୍ଦ ଥିଲା। ଏପରିକି ମହାମାରୀ ସମୟରେ କଳ କାରଖାନାଗୁଡ଼ିକ ଦିର୍ଘଦିନ ଧରି ବନ୍ଦ ପଡ଼ିଥିବାରୁ ସେସବୁର ଉତ୍ପାଦନ କ୍ଷମତାର ସିଂହଭାଗ ଅବ୍ୟବହୃତ ରହିଥିଲା।  ମାସ ମାସ ଧରି ପରିବହନ ଓ ଦୋକାନ ବଜାର ବନ୍ଦ ଥିବାରୁ ଜିନିଷ ପତ୍ରର ସରବାରହ ଓ ବିକ୍ରୀ ମଧ୍ୟ ପ୍ରାୟତଃ ବନ୍ଦ ରହିଥିଲା। ଏଭଳି ସ୍ଥିତିରେ କମ୍ପାନୀମାନଙ୍କ ଉତ୍ପାଦନ ଏବଂ ବିକ୍ରିରେ ବୃଦ୍ଧି ହେବା ଦୂରର କଥା, ବରଂ ହ୍ରାସ ପାଇବା ସ୍ୱାଭାବିକ ଅଟେ। ଏଥିସହିତ ବଜାରରେ ଚାହିଦାର ଅଭାବରୁ ଅଥବା ଲୋକଙ୍କ କ୍ରୟ କ୍ଷମତାର ହ୍ରାସ ଯୋଗୁଁ ବିକ୍ରିର ପରିମାଣରେ ଅନେକ ହ୍ରାସ ଦେଖାଯାଇଥିଲା। ଏହିସବୁ ଦୃଷ୍ଟିରୁ ଦେଖିଲେ ମହାମାରୀ ସମୟରେ କର୍ପୋରେଟ୍‌ମାନଙ୍କ ଲାଭ କମି ସେମାନେ କ୍ଷତିର ସମ୍ମୁଖୀନ ହେବା କଥା। କିନ୍ତୁ ଏହାର ବିପରୀତ କମ୍ପାନୀମାନେ ବିପୁଳ ଲାଭ କରିଛନ୍ତି।

ତେବେ କର୍ପୋରେଟ୍‌ମାନଙ୍କ ମୁନାଫାରେ ବୃଦ୍ଧି ଦେଶରେ ରୋଜଗାରକୁ ବଢ଼େଇବାରେ ଯେ କୌଣସି ଆସ୍ତିବାଚକ ଭୂମିକା ଗ୍ରହଣ କରିପାରିନି, ଏହା ମହାମାରୀ ସମୟରେ ପ୍ରମାଣିତ ହୋଇଛି। ମହାମାରୀ ସମୟରେ ଯେତେବେଳେ ସାଧାରଣ ମଣିଷର ଜୀବନ ବିପନ୍ନ ଏବଂ ଲକ୍‌ଡ଼ାଉନ୍‌ର କଡ଼ା ନିୟମ ଲାଗି ଲୋକେ କାମକୁ ଯାଇ ନପାରି ଗୃହବନ୍ଦୀ ଜୀବନ ଯାପନ କରିବାକୁ ବାଧ୍ୟ ହୋଇଛନ୍ତି, ସେହି ମଉକାରେ ପୁଞ୍ଜିପତ୍ତିମାନେ ନିଜର ଶ୍ରମ ଖର୍ଚ୍ଚ କମେଇବାକୁ ବ୍ୟାପକ ଛଟେଇ କରିଛନ୍ତି। ସେମାନେ ଭଲରୂପେ ଜାଣିଥିଲେ ଯେ ଲକ୍‌ଡ଼ାଉନ୍ ଯୋଗୁଁ ଶ୍ରମିକମାନେ ପ୍ରତିବାଦ କରିପାରିବେନି।

କର୍ପୋରେଟଙ୍କ ମୁନାଫାରେ ରକେଟ୍ ବେଗରେ ବୃଦ୍ଧି ପଛର ମୂଳ କାରଣଟି ହେଲା, ଶ୍ରମ ଖର୍ଚ୍ଚର ହ୍ରାସ। ଲକ୍‌ଡ଼ାଉନ୍ ଲାଗି ଯେଉଁମାନେ ଛଟେଇର ଶୀକାର ହେଲେ ସେମାନେ ନିଜର ପୂର୍ବ କାମକୁ ଆଉ ଫେରି ପାଇଲେନି। ତାଙ୍କ ସ୍ଥାନରେ ଯେଉଁମାନେ ନୂଆରେ ଯୋଗଦେଲେ, ସେମାନଙ୍କୁ ପୂର୍ବଠାରୁ ବହୁତ କମ୍ ମଜୁରୀ ମିଳିଲା। ଏଭଳି କରି କର୍ପୋରେଟ୍‌ମାନେ ନିଜର ଶ୍ରମ ଖାତାରେ ବ୍ୟୟକୁ ବଡ଼ ପରିମାଣରେ ହ୍ରାସ କରିବାରେ ସକ୍ଷମ ହେଲେ। ମହାମାରୀ ଯୋଗୁଁ ଚଳିତ ବର୍ଷ ପ୍ରଥମ ପାଞ୍ଚ ମାସ ମଧ୍ୟରେ ୩.୫ କୋଟି ଶ୍ରମିକ ରୋଜଗାର ହରାଇଥିବା ବେଳେ କେବଳ ମଇ ମାସରେ ହିଁ ୧.୫ କୋଟି ଲୋକ ରୋଜଗାର ହରାଇଥିବା ଜଣାପଡ଼ିଛି।

ନିକଟରେ ରିଜର୍ଭ ବ୍ୟାଙ୍କ୍ ତାର ବାର୍ଷିକ ରିପୋର୍ଟରେ କହିଛି ଯେ ମହାମାରୀ ଫଳରେ ଦେଶର ଅର୍ଥନୀତିରେ ଭୟଙ୍କର ସଙ୍କଟ ସତ୍ତ୍ୱେ କର୍ପୋରେଟ୍‌ମାନେ ଶ୍ରମଖାତାରେ ଖର୍ଚ୍ଚକୁ କମାଇ ନିଜର ମୁନାଫାକୁ ଅବ୍ୟାହତ ରଖିବାରେ ସକ୍ଷମ ହୋଇଛନ୍ତି। ନିର୍ବିଚାର ଭାବେ ଶ୍ରମିକ ଛଟେଇ, ମଜୁରୀ ହ୍ରାସ, ସ୍ଥାୟୀ ଶ୍ରମିକ ବଦଳରେ ଅସ୍ଥାୟୀ ଶ୍ରମିକ ନିଯୁକ୍ତି, ଶ୍ରମର ଘଣ୍ଟାକୁ ବୃଦ୍ଧି ଆଦି ଜରିଆରେ ସେମାନେ ନିଜର ମଜୁରୀ ଖାତାରେ ଖର୍ଚ୍ଚକୁ କମାଇବାରେ ସକ୍ଷମ ହୋଇଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକୀରେ କର୍ପୋରେଟ୍‌ମାନେ ସେମାନଙ୍କ ଶ୍ରମ ଖାତାରେ ଖର୍ଚ୍ଚକୁ ୩୪% ହ୍ରାସ କରିଥିବା ଜଣାପଡ଼ିଛି। ପୂର୍ବରୁ ପ୍ରତି ୧୦୦ ଟଙ୍କାର ମାଲରେ ଯଦି ୫୦ ଟଙ୍କା ମଜୁରୀ ଭାବେ ଖର୍ଚ୍ଚ ହେଉଥିଲା, ଆଜି ତାହା ୩୩ ଟଙ୍କାକୁ ହ୍ରାସ ପାଇଛି। ସେହିପରି ଦ୍ୱିତୀୟ ଓ ତୃତୀୟ ତ୍ରୈମାସିକୀରେ ଅନ୍‌ଲକ୍ ଚାଲିଥିବା ସତ୍ତ୍ୱେ କର୍ପୋରେଟ୍‌ମାନେ ସେମାନଙ୍କ ଶ୍ରମ ଖର୍ଚ୍ଚକୁ ୧୨.୫% ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି।ଏହାର ଅର୍ଥ ହେଲା, ମହାମାରୀ ସମୟରେ ଶ୍ରମିକଙ୍କ ଶ୍ରମକୁ ଶସ୍ତାରେ ହାସଲ କରି କର୍ପୋରେଟ୍‌ମାନେ ନିଜର ଯେଉଁ ଉତ୍ପାଦନ ଖର୍ଚ୍ଚକୁ କମାଇଛନ୍ତି, ତାହା ହିଁ ସେମାନଙ୍କ ଶୁଦ୍ଧ ମୁନାଫା ଭାବେ ଯୋଡ଼ି ହୋଇଛି।

ଅନ୍ୟପଟେ କର୍ପୋରେଟ୍‌ମାନଙ୍କ ଉତ୍ପାଦନ ଖର୍ଚ୍ଚ କମିଥିଲେ ମଧ୍ୟ ସେମାନେ ନିଜ ଉତ୍ପାଦିତ ଦ୍ରବ୍ୟର ଦାମକୁ ହ୍ରାସ କରି ନାହାନ୍ତି। ଏହାର ବିପରୀତ ବଜାରରେ ଖାଇବା ତେଲ ଠାରୁ ଔଷଧପତ୍ର ପର୍ଯ୍ୟନ୍ତ ସବୁ ଶିଳ୍ପଜାତ ଦ୍ରବ୍ୟର ଦାମ୍ ବ୍ୟାପକ ବୃଦ୍ଧି ପାଇଛି। ଏହାର ଅର୍ଥ ହେଲା, କର୍ପୋରେଟ୍‌ମାନେ ନିଜ ଜିନିଷର ବିକ୍ରୟ ମୂଲ୍ୟକୁ ବଢ଼ାଇ ସାଧାରଣ ଜନତାଙ୍କଠାରୁ ଅଧିକ ମୁନାଫା ଲୁଟିଛନ୍ତି।

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗର୍ଭଣ୍ଣର ଡ଼ି. ସୁବାରାଓ, ମହାମାରୀ ଫଳରେ ଗରିବ ଆହୁରି ଗରିବ ହୋଇଥିବା ବେଳେ ଧନୀମାନେ ଆହୁରି ଧନୀ ହୋଇଛନ୍ତି କହି ଉଦବେଗ ପ୍ରକାଶ କରିଛନ୍ତି। ମହାମାରୀ ଯୋଗୁଁ ଦେଶରେ ଜିଡ଼ିପିରେ ବୃଦ୍ଧିର ହାର -୭.୩% ଦେଖିବାକୁ ମିଳିଛି। ମହାମାରୀ ଫଳରେ କାର୍ଯ୍ୟ ହରାଇବା ସାଙ୍ଗକୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କାରଣରୁ ଅଧିକାଂଶ ଲୋକଙ୍କ ସ୍ୱାସ୍ଥ୍ୟ ଖର୍ଚ୍ଚ ବଢ଼ିଛି, ଯାହାକି ସେମାନଙ୍କ ଦାରିଦ୍ର‌୍ୟକୁ ବଢ଼ାଇବାର ଅନ୍ୟତମ ମୁଖ୍ୟ କାରଣ। ତେବେ ଦେଶର ଗରିବଙ୍କ ଆୟ ହ୍ରାସ ସାଙ୍ଗକୁ ଧନୀ ଓ କର୍ପୋରେଟ୍‌ମାନଙ୍କ ଆୟ ତଥା ସମ୍ମତ୍ତିରେ ଆକାଶଛୁଆଁ ବୃଦ୍ଧି ସମାଜରେ ଆର୍ଥିକ ବୈଷମ୍ୟକୁ ବଢ଼େଇ ଦେଇଛି। ଲୋକଙ୍କ ଆର୍ଥିକ ସ୍ଥିତିରେ ଏଭଳି ତାରତମ୍ୟ ବୃଦ୍ଧି ଦେଶକୁ ସାମାଜିକ ଓ ରାଜନୈତିକ ଅରାଜକତା ଆଡ଼କୁ ନେଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେ ଏହାର ସମାଧାନ ହିସାବରେ ଦେଶର କର୍ପୋରେଟ୍‌ମାନଙ୍କ ମୁନାଫା ଏବଂ ମୂଳଧନୀ ଆୟ ଉପରେ ଅତିରିକ୍ତ ଟିକସ ବା ସେସ୍ ବସାଇ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ହାତରେ ନଗଦ ଅର୍ଥ ପ୍ରଦାନ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ସରକାର ନିଜର ଆର୍ଥିକ ସଙ୍କଟର ମୁକାବିଲା ପାଇଁ ମହାମାରୀ ସମୟରେ ବିପୁଳ ମୁନାଫା କମେଇଥିବା କର୍ପୋରେଟ୍‌ଙ୍କ ଉପରେ କୌଣସି ଅତିରିକ୍ତ ଟିକସ ବା ସେସ୍ ଲଗାଇବା ପରିବର୍ତ୍ତେ ସାଧାରଣ ଜନତାଙ୍କ ଉପରେ ହିଁ ଟିକସର ବୋଝକୁ ବଢ଼ାଇ ଚାଲିଛନ୍ତି। ଆମେରିକା ସରକାର ନିଜ ଦେଶର କର୍ପୋରେଟ୍ ଏବଂ ସୁପର୍ ଧନୀଙ୍କ ଉପରେ ନିକଟରେ ୩% ସେସ୍ ଧାର୍ଯ୍ୟ କରିଥିବା ବେଳେ ଭାରତ ସରକାର କିନ୍ତୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଉପରେ ଟିକସ ବଢ଼ାଇ ନିଜର ରାଜକୋଷକୁ ବଢ଼ାଇଛନ୍ତି।(ଏଥିରେ ଉପସ୍ଥାପିତ ମତାମତ ଲେଖକଙ୍କର ସଂପୂର୍ଣ୍ଣ ନିଜସ୍ୱ।)

ଫୋନ ନଂ :୯୪୩୭୧୬୬୩୯୧

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।