- ମାୟାଧର ନାୟକ
କିଏ ଶୁଣୁଛି ଘାଟିମୁଲକର ଘାଏଲ୍ ଜୀବନ କଥା? ଏ ଦେଶର ଶାସନ, ପ୍ରଶାସନ ଯେତେବେଳେ ଆସନର ଭାଗବଂଟା ଆଉ ଭୋଗବଂଟାଠାରୁ ଆରମ୍ଭକରି ବିଭିନ୍ନ ଶୈଳୀର ବିଳାସବ୍ୟସନରେ ବ୍ୟସ୍ତ, ରାଜନୈତିକ ଦଳ ସମେତ ନିର୍ବାଚିତ ନେତାମାନେ ମଧ୍ୟ ନିଜ ନିଜ ଦଳୀୟ ଓ ବ୍ୟକ୍ତିଗତ ସ୍ୱାର୍ଥସାଧନରେ ମସ୍ତ – ମାଟିର ମଣିଷ, ଖଣିଖାଦାନ୍ର ମଜଦୁର୍ ତଥା କୃଷକ, ଶ୍ରମିକ ଓ ଦରିଦ୍ର ଦୁର୍ଗତ ଦଳିତ ବର୍ଗର ଆଶାଆକାଂକ୍ଷା ଆତଙ୍କର ଅପଚ୍ଛାୟାରେ ରାହୁଗ୍ରସ୍ତ; ପ୍ରବଂଚିତ ଜନସାଧାରଣଙ୍କ ଅବଦମିତ ଅଶାନ୍ତି ଓ ଅସନ୍ତୋଷ ଘରେଘରେ ଭବିଷ୍ୟତର ପ୍ରଚଣ୍ଡ ବିଦ୍ରୋହର ପ୍ରସ୍ତୁତି ପାଇଁ ପୂର୍ଣ୍ଣ ପ୍ରଜ୍ୱଳିତ – ସେତେବେଳେ ଜୀବନସଂଗ୍ରାମର ସ୍ୱାଧୀନତା ଦାବୀରେ ଅଗ୍ନିଗର୍ଭ ଆନ୍ଦୋଳନ।
ଏ କରୋନା ମହାମାରୀ ସମୟରେ ସକାଳୁ ଉଠି ମୋବାଇଲ ଧରିବାକୁ ଭୟ ଲାଗୁଛି। ସମ୍ବାଦପତ୍ରରେ ଆଖି ବୁଲାଇଲେ ଗତରାତିର ଭୟଙ୍କର ଦୃଶ୍ୟମାନ ବଡବଡ ହରଫରେ ନାଚିଯାଉଛି। ଚାରିଆଡ଼େ ହାହାକାର। ନାହିଁନାହିଁର ଆର୍ତ୍ତଚିତ୍କାର। ଟିକା, ଅମ୍ଳଜାନ, ଭେଂଟିଲେଟର, ଜୀବନରକ୍ଷାକାରୀ ଔଷଧ ଅଭାବ । ହସ୍ପିଟାଲରେ ବେଡ୍, ଆଇ.ସି.ୟୁ ଅଭାବ। ଶବ ପୋତିବାକୁ ମଶାଣି ଅଭାବ। ଜୀବନ ରକ୍ଷା ପାଇଁ ଜୀବିକା ଉଚ୍ଛନ୍ନ। କି ଧନୀ କି ଗରିବ ସମସ୍ତେ କାନ୍ଦୁଛନ୍ତି। ଶୁଣିବ କିଏ?
ମିଛ ପାଖେ ସତ ବନ୍ଧା ପଡ଼ିଛି। ଘୋର କଳିକାଳରେ ମାଳିକାବଚନ ସତ ହେବାକୁ ବସିଛି। ୬୦୦ ବର୍ଷ ତଳେ ଯେଉଁ ସବୁ ମାଳିକାରେ ଭବିଷ୍ୟତବାଣୀ କରାଯାଇଥିଲା – ସେ ସବୁ ଘଟଣା ଅଘଟଣା ଘଟିଚାଲିଛି। ଅଜଣା ଭବିଷ୍ୟତରେ ଲୋକେ ଥରହର। କିଏ ଶୁଣୁଛି – କାହା କଥା? ଏଇ ଲେଖକ ସାରା ବିଶ୍ୱକୁ ୩ଟି ପ୍ରସ୍ତାବ ଦେଇଥିଲା। କରୋନା ମହାମାରୀକୁ ଅନ୍ତର୍ଜାତୀୟ ବିପତ୍ତି ଘୋଷଣା, ବିଶ୍ୱର ସବୁ ସରକାର ଏକହେବା ଏବଂ ଧନୀକଶ୍ରେଣୀ ତାଙ୍କ ସମ୍ପତିରୁ ସ୍ୱଇଚ୍ଛାରେ ଅଧା ଦାନ କରିବା। ଏ କଥାକୁ ଶୁଣିବ କିଏ?
ଆମ ଜୀବନ ଏବେ ଗଳ୍ପ ବିରଳ। ବୈଠକଖାନାରେ ସେ ବନ୍ଧୁତ୍ୱପୂର୍ଣ୍ଣ ଗଳ୍ପର ଉଷୁମ୍ ଆସର ନାହିଁ କି ଶୟନକକ୍ଷରେ ସେ ଦାମ୍ପତ୍ୟଜୀବନର ମୃଦୁମଧୁର ଗଳ୍ପାଳପର ଅନ୍ତରଙ୍ଗ ଅବସର ନାହିଁ। ଯଦିବା ଅଛି, ତୁଳନାତ୍ମକ ଭାବରେ ତିରିଶଚାଳିଶ ବର୍ଷ ତଳର ସେ ପୂର୍ବ ପର୍ଯ୍ୟାୟଠାରୁ ଶୋଚନୀୟ ତାର ହ୍ରାସପ୍ରାପ୍ତିର ହାର। ଅନ୍ୟର କଥା ଆମେ ଆଖିବାଟେ ଶୁଣୁଛୁ – କାନବାଟେ ଶୁଣି ମନ ଭିତରକୁ ତାହା ଭେଦିପାରୁ ନାହିଁ। ଆମର କଥା ଅନ୍ୟର ଧୈର୍ଯ୍ୟପରୀକ୍ଷାରେ ଅନୁତ୍ତୀର୍ଣ୍ଣ। ଅର୍ଥାତ୍ ବର୍ତମାନର ସମାଜରେ କେହି କାହାରି କଥା ଶୁଣୁନାହାନ୍ତି କହିଲେ ଚଳେ। ଏପରିକି ଟିକିଏ ଅବଧାନକୁ ଆଣି ଅନୁଭବ କଲେ ବେଶ୍ ବୁଝିହେବ କଥାଟାକୁ। ରୋଗୀ କହୁଛନ୍ତି ଡାକ୍ତର ଶୁଣୁନାହାନ୍ତି, ଚାଷୀମୂଲିଆ ପାଟି କରୁଛନ୍ତି ମାଲିକେ କାନରେ ପଟି ବାନ୍ଧିଛନ୍ତି, ମାଷ୍ଟ୍ରେ ପଢ଼ାଉଛନ୍ତି ଛାତ୍ରୀଛାତ୍ରେ ମନ ଦେଉନାହାନ୍ତି, ମହକିଲ ବିକଳ ହେଉଛନ୍ତି ଓକିଲ ତାରିଖ ଗଡ଼ଉଛନ୍ତି, ସାମ୍ବାଦିକ ପଚାରୁଛନ୍ତି ଥାନାବାବୁ ଆଡ଼େଇଯାଉଛନ୍ତି, ଜନତା ଚିଲଉଛନ୍ତି ନେତା ବିଳିବିଳଉଛନ୍ତି – ଇତ୍ୟାଦି।
ମୋଟାମୋଟି ଏଇ ହେଉଛି ଅବସ୍ଥା। ପଡ଼ିଶାଘରୁ କାନ୍ଦବୋବାଳି ଶୁଭିଲେ ଆମ ଘରର ତାଟିକବାଟ ପଡିଯାଉଛି। ସଡ଼କ-ଦୁର୍ଘଟଣାର ଅସହାୟ ଶିକାର କି ତାର ମୁମୁର୍ଷୂ ସାଥୀ ଯେତେ ନେହୁରା ହୋଇ ଡାକ ପକାଇଲେ ବି ପାଖ କାଟି ଆଗକୁ ଛୁଟିଯାଉଛନ୍ତି ଛୋଟବଡ଼ ଯାନଚାଳକ। କମ୍ପାନୀର ଛଟେଇ କର୍ମଚାରୀ ହକ ମାଗିଲେ ଶୁଣୁ ନାହାନ୍ତି ପରିଚାଳକ।
କିଏ ଶୁଣୁଛି?
ଦେଶ କାନ୍ଦୁଛି – ଶୁଣୁଛି କି ଜାତି?
ମଣିଷ କାନ୍ଦୁଛି – ଶୁଣୁଛନ୍ତି କି ମଠ-ମନ୍ଦିର-ମସ୍ଜିଦ୍-ଗିର୍ଜା-ପାଗୋଡ଼ାର ଧର୍ମାଧିପତି?
ମାଆ କାନ୍ଦୁଛି – ଶୁଣୁଛନ୍ତି କି ସନ୍ତାନସନ୍ତତି?
କେହି କାହାରିଠୁ ପଦଟିଏ କଥା ଶୁଣୁନଥିବାର ଏ ପ୍ରକାର ଏକ ଜୀବନକ୍ଷେତ୍ରରେ ଆମର କଥାସବୁ କେନ୍ଦ୍ରଚ୍ୟୁତିର କମ୍ପନ କେବଳ। ଶଦ୍ଦ ଶୁଭୁଛି, କିନ୍ତୁ ସ୍ୱରଗ୍ରହଣକାରୀ ପରିଧି ବାହାରେ। ଦୁଇଟି ବ୍ୟକ୍ତିଗତ ସଂପର୍କର ମୁହଁ ମଝିରେ ଖଣ୍ଡିଏ ଦିହାତଉଂଚ ଖବରକାଗଜର କୃତ୍ରିମ ଉଠାପାଚେରି - ନହେଲେ ଉପସ୍ଥିତ ଅତିଥିଙ୍କ କୁଶଳ ପ୍ରଶ୍ନର ଉତର ଶୁଣୁଛି ଅଭ୍ୟାଗତଙ୍କ ମୁହଁସାମ୍ନାର ଚଳନ୍ତା ଟେଲିଭିଜନ୍ - ନତୁବା ଇଆଡ଼େ ମିନିଟିଏ କଥା ହେଲାବଳେକୁ ସିଆଡ଼େ ତୁହାକୁତୁହା ଡାକିଲାଣି ମୋବାଇଲ୍।
ଆଗର ଗଳ୍ପାଳପ ଏବର ଅଳ୍ପାଳାପରେ ଆସି ପହଂଚିସାରିଛି। ଏହା କୌଣସିମତେ ଆମର ଚେତନାସ୍ତରୀୟ ଏକ ବିବର୍ତ୍ତନକୁ ସୂଚାଉନାହିଁ କି ସମୟୋଚିତ ପରିବର୍ତ୍ତନକୁ ଦର୍ଶାଉନାହିଁ। ଏହା ଅମ ଆତ୍ମବଧିର ସାମାଜିକ ଜୀବନଶୈଳୀକୁ ସଂପୂର୍ଣ୍ଣ କବଳିତ କରିନେଇଥିବା ଏକ ଶୀତଳ ମାନସିକତାକୁ ହିଁ ମୋହର ମାରି ନିଶ୍ଚଳ ଚେତନାର ଚାରିକାନ୍ଥରେ ନିର୍ଜୀବ ପୋଷ୍ଟରମାନ ମାରିଚାଲିଛି।
ଏ ସମୟ ଏକ ସମ୍ବେଦନଶୂନ୍ୟ ସମୟ। ପୁଞ୍ଜିବାଦୀ ଅର୍ଥନୀତିରୁ ଜଗତୀକରଣ ପର୍ଯ୍ୟନ୍ତ ପ୍ରସାରିତ ଶିଳ୍ପବିପ୍ଳବୋତ୍ତର ଯେଉଁ ଆଧୁନିକ ସମୟଖଣ୍ଡରେ ଆମେ ବୈଷୟିକ-ବୈଜ୍ଞାନିକ ଅଭିବୃଦ୍ଧିର ପ୍ରଯୁକ୍ତି ବିଦ୍ୟାଭିତ୍ତିକ ପୃଥିବୀଟିକୁ ପାଇଛୁ, ସେ ପୃଥିବୀ ଆମକୁ ଦେଇଛି ଈଶ୍ୱରହୀନ ଦେବାଳୟ, ମନୁଷ୍ୟହୀନ ଗୃହାଳୟ ଓ ମୂଲ୍ୟବୋଧହୀନ ପଣ୍ୟାଳୟ। ଏଇ ନଷ୍ଟତ୍ରିଭୁଜ ମଧ୍ୟରେ ଆମର ଜୀବନ କ୍ରମେ ଏକ ଜଟିଳ ଜ୍ୟାମିତିର ଅସ୍ପଷ୍ଟତା ଛଡା ଆଉ କ’ଣ? ପୁରୁଣା ସମାଜର ପତିଆରା ଆଉ ପୂର୍ବସଂସ୍କୃତିର ପରମ୍ପରା ଆମ ବିଶ୍ୱାସର ବଳୟ ବାହାରେ କେବଳ ଏକ ସମାଜତାତ୍ୱିକ ଓ ପ୍ରତ୍ନତାତ୍ୱିକ ଅଧ୍ୟୟନ ମାତ୍ର। ଚିମିନିର କଳାଧୂଆଁ ସେପଟେ ଚାଷକ୍ଷେତର ସେଇ ଚକବନ୍ଦୀ ଚକଡ଼ା - ଅଖଭଙ୍ଗା ଶଗଡ଼ଗଡ଼ାର ଗାଁ। ସବାରିପାଲିଙ୍କିସବୁ ଜାଦୁଘରର ସାମଗ୍ରୀ। ଆଦିବାସୀର ଧନୁଶରଠାରୁ ଆରମ୍ଭ କରି ରାଜା-ମହାରାଜା-ବାଦ୍ଶା-ସୁଲତାନ୍ ଆଉ ଅତୀତର ସଂଗ୍ରାମୀ ବୀର-ବୀରାଙ୍ଗନାମାନଙ୍କର ଅସ୍ତ୍ରଶସ୍ତ୍ରସବୁ ମଧ୍ୟ ସେଇ ଜାଦୁଘରର ବଖରା ଭିତରେ ଆମ ସମାଧିସ୍ଥ ସାମରିକ ସଂସ୍କୃତିର ସ୍ଥାବର ସମ୍ପତି। ପୁରାତନ ଦେବଦେବୀମୂର୍ତ୍ତଠାରୁ ଆରମ୍ଭ କରି କୋହିନୂର ହୀରା ପର୍ଯ୍ୟନ୍ତ ଆମର ଅଚଳାଚଳ ଐତିହ୍ୟର ଅନେକ ସ୍ମାରକୀ ଦେଶରୁ ଚାଲାଣ ହୋଇସାରିଛି ବିଦେଶକୁ। ବେଳେବେଳେ ଖବରକାଗଜର ଏଇସବୁ ବିବରଣୀକୁ ନେଇ ଆମ ଆଧୁନିକ ବୈଠକୀଗଳ୍ପ ଗଡ଼ିଚାଲେ କପେ ଚା’ ଥଣ୍ଡା ହେବାଯାଏଁ ବା ଖୁବ୍ ବେଶିରେ ଗୋଟାଏ ପେଗ୍ ବିଦେଶୀ ପାନୀୟର ଉଷୁମ୍ ଆସର ଶେଷ ହେବାଯାଏଁ।
ଆମ ଗଳ୍ପ ଏବେ କେବଳ ଖବରକାଗଜର ଖୋରାକକୁ ନେଇ ଖଣ୍ଡିଖଣ୍ଡି ଖୁଚୁରା ଆଳାପ କିଛି। ସେ ଅଳ୍ପାୟୁ ଆଳାପର ଆୟତନ ମଧ୍ୟରେ ଆମ ଆୟତ ବାହାରର ଅନେକ କଥା – କୋର୍ଟକଚେରୀ, ସରକାର, ପୁଲିସ୍, ଆତଙ୍କବାଦୀ, ସୀମାନ୍ତରେ ସାମରିକ ଶକ୍ତିପ୍ରଦର୍ଶନ, ପରମାଣୁ ବୋମା ପରୀକ୍ଷାଠାରୁ ଆରମ୍ଭ କରି ଗଣଧର୍ଷଣ, ରାସ୍ତା ଦୁର୍ଘଟଣା ଓ ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ପର୍ଯ୍ୟନ୍ତ ବହୁ ବଡ଼ବଡ଼ କଳାହରଫ୍ର ଶିରୋନାମାସବୁ ଆମକୁ ଯୋଗାଇଦିଏ ଆମ ମୌଖିକ ଚର୍ଚ୍ଚାର ଚର୍ବିତଚର୍ବଣ ମନ୍ତବ୍ୟ ଓ ମତଦାନର ସୁଯୋଗ। କିନ୍ତୁ ଶୁଣୁଛି କିଏ? ଆଜି ଖଳନେତୃବର୍ଗଙ୍କ କଳା କାରସାଦିକୁ ନେଇ ଚହଳ ତ କାଲି ଗେରୁଆ ଖୋଳର ଗୁରୁବାବାମାନଙ୍କ ଫୁଙ୍ଗୁଳା ଫିସାଦିକୁ ନେଇ ଚମକ। ପରଦିନ ପୁଣି ବାଟରେ ଘାଟରେ ସିନେମାଷ୍ଟାର୍ମାନଙ୍କ ଫେସନ୍ଶୋ’କୁ ନେଇ ମସ୍ଗୁଲ୍ ମଜ୍ଲିସ୍ ତ ଦୋକାନବଜାରରେ କ୍ରିକେଟ୍ ହିରୋମାନଙ୍କ ବାହାଘର-ବୁହାଘରକୁ ନେଇ ସରଗରମ ଆଲୋଚନା।
ବାଟଘାଟ, ଦୋକାନବଜାର, ବସଷ୍ଟାଣ୍ଡ୍ – ଗୁଡ଼ିଏ ଗଳ୍ପାଳପର ଗହଳି। କିନ୍ତୁ ଆମ ଶୁନ୍ଶାନ୍ ସୌଖୀନ୍ ଘରସବୁ ଦୁଆରକିଳା। ସେଠି ଆଉ ଦୁଃଖସୁଖ ନାହିଁ - ଅନ୍ତରଙ୍ଗ ଭାବବିନିମୟର ସେ ଅକୃତ୍ରିମ ଅବସର ନାହିଁ - ପୁରୁଣା ପରଦା ପଛର ସେ ବ୍ୟକ୍ତିଗତ ପୃଥିବୀଟି କୁଆଡେ ହଜିଯାଇଛି କେବଠୁ।
ଏଇ ହଜିଲା କଥାର ଖିଅକୁ ଖୋଜିଖୋଜି ଘଟଣା ଭିତରୁ ଛାଣିନେଇଆସେ ଚରିତ୍ରକୁ - ପୁଣି ବଦଳିଚାଲିଥିବା ସମାଜର ସୂତ୍ର ଧରିଧରି ପହଂଚିଯାଏ କେଉଁଠି ନା କେଉଁଠି କେଉଁ ବିଚିତ୍ର ପରିବେଶରେ। କେତେବେଳେ ଘଟଣା-ଚରିତ୍ର-ପରିବେଶ ତ ଆଉ କେତେବେଳେ ସ୍ଥାନ-କାଳ-ପାତ୍ରର ପରିସର ଭିତରୁ ମୁକୁଳିଆସେ ମାମୁଲି ମଣିଷ ... ଜନ ଓ ଜାତିର ଗୁଳ୍ମାଚ୍ଛାଦିତ ଘନଘଟା ମଧ୍ୟରୁ ଉଙ୍କିମାରେ ଜର୍ଜରିତ ବ୍ୟକ୍ତି, ଯାହାକୁ ଆମେ ଆମ ସମାଜ ଓ ସାହିତ୍ୟର ମଧ୍ୟସ୍ୱର୍ଗରେ ଏବେ ବି ତ୍ରିଶଙ୍କୁ ସ୍ଥିତିରେ ରଖିଆସିଛେ।
ଯାଜପୁର ରୋଡ଼, ଯାଜପୁର
ମୋ : ୯୮୬୧୦୩୪୧୬୩
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।