କରୋନା କାଳରେ ବରିଷ୍ଠ ନାଗରିକ

ଗତ ଚାରିମାସ ମଧ୍ୟରେ ସତରେ ପୃଥିବୀରେ ଅନେକ ପରିବର୍ତ୍ତନ ଆସିଛି । ଅର୍ଥନୀତି, ରାଜନୀତି ଏବଂ ସାମାଜିକ ସଂପର୍କ ଆଦିରେ ଯେଉଁ ପରିବର୍ତ୍ତନ ଆସିଛି ତାହାର ପ୍ରମୁଖ କାରଣ ହେଉଛି ଗୋଟିଏ ଭାଇରସ ବା ଭୂତାଣୁ ଯାହାକୁ ସାର୍ସ କୋଭ-୨ ବୋଲି କୁହାଯାଉଛି। ଜୀବନ ନଥିବା ଏହି ଭୂତାଣୁ ଏବେ ପୃଥିବୀ ଏବଂ ମାନବ ସମାଜର ପ୍ରଥମ ଶତ୍ରୁ ହୋଇ ଠିଆ ହୋଇଛି । କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଏବେ ସାରା ଦୁନିଆଁରେ ହାହାକାର ଦେଖାଦେଇଛି […]

Rudra Prasanna Rath

Subrat Kumar Nayak
  • Published: Tuesday, 26 May 2020
  • , Updated: 26 May 2020, 09:10 PM IST

ଗତ ଚାରିମାସ ମଧ୍ୟରେ ସତରେ ପୃଥିବୀରେ ଅନେକ ପରିବର୍ତ୍ତନ ଆସିଛି । ଅର୍ଥନୀତି, ରାଜନୀତି ଏବଂ ସାମାଜିକ ସଂପର୍କ ଆଦିରେ ଯେଉଁ ପରିବର୍ତ୍ତନ ଆସିଛି ତାହାର ପ୍ରମୁଖ କାରଣ ହେଉଛି ଗୋଟିଏ ଭାଇରସ ବା ଭୂତାଣୁ ଯାହାକୁ ସାର୍ସ କୋଭ-୨ ବୋଲି କୁହାଯାଉଛି। ଜୀବନ ନଥିବା ଏହି ଭୂତାଣୁ ଏବେ ପୃଥିବୀ ଏବଂ ମାନବ ସମାଜର ପ୍ରଥମ ଶତ୍ରୁ ହୋଇ ଠିଆ ହୋଇଛି । କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଏବେ ସାରା ଦୁନିଆଁରେ ହାହାକାର ଦେଖାଦେଇଛି । ସାରା ବିଶ୍ୱରେ ଏଥିରେ ଏବେଯାଏ ପ୍ରାୟ ୫୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରିଛନ୍ତି । କରୋନା ଏବେ ପାଖାପାଖି ସାଢେ ୩ ଲକ୍ଷରୁ ଅଧିକ ମୁଣ୍ଡ ନେଇ ସାରିଲାଣି । ବର୍ତ୍ତମାନଯାଏ ଏହି ସଂକ୍ରମଣର କୌଣସି ଟୀକା ବାହାରିନଥିବାରୁ ଆଗାମୀ ଦିନରେ ଏହି ସଂକ୍ରମଣ ଆହୁରି ଜଟିଳ ହେବାପରି ଲାଗୁଛି । ଯେଉଁଦିନ ଯାଏଁ ଏ ସଂକ୍ରମଣ ନେଇ କୌଣସି ପ୍ରତିଷେଧକ କିମ୍ବା ଏହାର ଚିକିତ୍ସାନେଇ ନିର୍ଦ୍ଦିଷ୍ଟ ଔଷଧ ବାହାରି ନାହିଁ ସେବେଯାଏ ଏ ସଂକ୍ରମଣ ନିଜର ଆଧିପତ୍ୟ ଜାରୀ ରଖିବ ବୋଲି ଜଣା ପଡୁଛି । ଏ ନେଇ ସ୍ୱତନ୍ତ୍ର ଟୀକା ଆସିବା ଯାଏ ସମଗ୍ର ପୃଥିବୀ ଲକ୍ ଡାଉନ୍ ଏବଂ ସାମାଜିକ ଦୂରତା ପରି ଅଭିନବ, ଜଟିଳ ଏବଂ ଦୃଢ ପଦକ୍ଷେପ ନେଇ ଏହି ରୋଗର ବ୍ୟାପକତାକୁ କେବଳ ରୋକିବାକୁ ଚେଷ୍ଟା କରିବ ଯାହା ।
କରୋନା ଦ୍ୱାରା ସଂକ୍ରମଣ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଶୀଭାଗରୁ ଅଧିକ ଲୋକ ସାଧାରଣଭାବେ ଚିକିତ୍ସାରେ ଭଲ ହେବା ପରି ସଂକ୍ରମିତ ହେଉଥିଲେ ମଧ୍ୟ ଏହା ଏବେ ବରିଷ୍ଠ ନାଗରିକମାନଙ୍କୁ ଅତ୍ୟଧିକମାତ୍ରାରେ ପ୍ରଭାବିତ କଲାପରି ଦେଖାଯାଉଛି ।

ସମଗ୍ର ବିଶ୍ୱର ତଥ୍ୟ ଦେଖିଲେ କରୋନାରେ ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରେର ୭୦ ପ୍ରତିଶତ ହେଉଛନ୍ତି ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏବଂ ଏମାନଙ୍କ ମଧ୍ୟରୁ ପାଖାପାଖି ୮୩%ରୁ ଉର୍ଦ୍ଧ୍ୱ ଲୋକଙ୍କର ଏକ କିମ୍ବା ଏକାଧିକ ରୋଗ ରହିଛି । ଏଣୁ କରୋନା ଯଦିଓ ସମସ୍ତଙ୍କୁ ହେଉଛି ବୋଲି କୁହାଯାଉଛି ତେବେ ଏଥିରେ ବରିଷ୍ଠ ନାଗରିକ ସଂକ୍ରମଣ ହେବାର ଆଶଙ୍କା ଅଧିକ । ଅନ୍ୟମାନଙ୍କ ତୁଳନାରେ ବରିଷ୍ଠମାନେ ଅଧିକ ମୃତ୍ୟୁମୁଖରେ ପଡୁଛନ୍ତି । ଇଟାଲୀପରି ଦେଶରେ ମୃତ୍ୟୁମୁଖରେ ପଡୁଥିବା ଲୋକମାନଙ୍କମଧ୍ୟରେ ବରିଷ୍ଠ ନାଗରିକମାନଙ୍କ ସଂଖ୍ୟା ଢେର ଅଧିକ । ପୁଣି କ୍ୟାନସର, ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଏବଂ କିଡନୀ ରୋଗୀଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ଯୋଗୁଁ ଜଟିଳତା ବୃଦ୍ଧି ପାଉଛି । ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ସହ ଏମାନଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାଥାଏ ।

ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଦ୍ୱାରା ଜାରୀ ମାର୍ଗଦର୍ଶିକା ଅନୁସାରେ ଭାରତରେ ପ୍ରାୟ ଷୋହଳ କୋଟି ବରିଷ୍ଠ ନାଗରିକ ରହୁଥିବାର ଆଶା କରାଯାଉଛି (୨୦୧୧ ମସିହା ଜନଗଣନାକୁ ଆଧାରକୁ ନେଇ ଏହି ଗଣତି କରାଯାଇଛି) । ଏଥିରେ ୮.୮ କୋଟି ଲୋକ ୬୦-୬୯ ବୟସ ବର୍ଗ ମଧ୍ୟରେ ଆସୁଥିବାବେଳେ, ୭୦-୭୯ ବର୍ଷର ବୟସ ବର୍ଗରେ ପାଖାପାଖି ୬.୪ କୋଟି ଲୋକ ଆସୁଥିବାର ଅନୁମାନ କରାଯାଉଛି । ସେହିପରି ୨.୮ କୋଟିରୁ ଅଧିକ ଲୋକ ୮୦ ବର୍ଷରୁ ଅଧିକ ବୟସ୍କ ଯେଉଁମାନେ ନିଜର ଦୈନନ୍ଦିନ କାମ ପାଇଁ ଅନ୍ୟ ଉପରେ ନିର୍ଭର କରିଥାଆନ୍ତି । ଏହାବାଦରେ ସାରା ଦେଶରେ ପାଖାପାଖି ୧୮ ଲକ୍ଷ ଲୋକ ଅଛନ୍ତି ଯେଉଁମାନଙ୍କର କେହି ପରିବାରବର୍ଗ ନାହାନ୍ତି ବା ଯେଉଁମାନଙ୍କୁ ଘର ଲୋକ ବାହାର କରିଦେଇଛନ୍ତି । ଏସବୁ ଶ୍ରେଣୀର ଲୋକ ସବୁବେଳେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି । ଏମାନେ ଏବେ ସବୁଠାରୁ ଅଧିକ ବିପଦଶଙ୍କୁଳ । ଏମାନଙ୍କ ମଧ୍ୟରେ ସଂକ୍ରମିତ କରୋନା ରୋଗୀକୁ ତୁରନ୍ତ ଚିହ୍ନଟ କରିବା , ସଂକ୍ରମିତଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ଦେବା ଏବଂ ସର୍ବୋପରି ଏମାନଙ୍କ ପାଖରେ ସରକାରଙ୍କର ସାମାଜିକ ସୁରକ୍ଷା ଯୋଜନା ଗୁଡିକୁ ବିନା ଦୁର୍ନିତିରେ ପହଁଚାଇବା ଏହି କରୋନାକାଳରେ ପ୍ରମୁଖ ଆବଶ୍ୟକତା ହୋଇପଡିଛି । ଏ ନେଇ ସରକାର ମଝିରେ ମଝିରେ ନିୟମ ଆଣୁଥିଲେ ବି ମାର୍ଗଦର୍ଶିକା ଜାରୀ କରୁଥିଲେ ବି ଏହାକୁ ଯଦି ଗୋଷ୍ଟୀ କିମ୍ବା ସାଧାରଣ ଲୋକଙ୍କର ସମର୍ଥନ ନମିଳିଲା ତେବେ ଏହାକୁ କାର୍ଯ୍ୟକାରୀ କରିବା କଷ୍ଟ ।

ବୟସ ବଢିଯାଇଥିଲେ ମଧ୍ୟ ଏହି ବରିଷ୍ଠ ନାଗରିକଙ୍କ ମଧ୍ୟରୁ ଅନେକ ଏହି ସମୟରେ ତଥାପି କର୍ମଠ ଏବଂ ତତ୍ପର ଥାଆନ୍ତି । ଅକାଳେ ସକାଳେ ବାହାରକୁ ବାହାରି ଛକଯାଏ ବୁଲି ଦେଶ ଦୁନିଆର ଖବର ଯୋଗାଡ ନକଲେ ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଭଲ ଲାଗେନି । କାଠଟେ ପରି ଘରେ ପଡି ରହିବା ଅପେକ୍ଷା ପଦାକୁ ବାହାରି ନିଜକୁ ସତେଜ କରିବାକୁ ଚାହାନ୍ତି । ତେବେ ଏହି ବାହାର ବୁଲା ହିଁ ଏବେ ସର୍ବାଧିକ ବିପଦର କାରଣ ହୋଇଛି । କରୋନା ବିରୋଧରେ ଏହି ଲଢେଇକୁ କେବେ ଉହାନରେ ଲଢାଯାଉଛି ବୋଲି କୁହାଯାଉଥିଲା। କେବେ ପୁଣି ଦିଲ୍ଲୀ କିମ୍ବା ମୁମ୍ବାଇରେ ଏହି ରୋଗ ଦେଖାଯାଉଛି ବୋଲି କୁହାଯାଉଥିଲା । ମାତ୍ର ପ୍ରକୃତ କଥା ହେଉଛି ଯେ କରୋନା ମହାମାରୀ ଆପଣଙ୍କ ଘର ବାହାରେ ଅସ୍ତ୍ରଶସ୍ତ୍ରରେ ସଜିଲ ହୋଇ ଠିଆ ହୋଇଛି ଏବଂ ଆପଣଙ୍କ ସାମାନ୍ୟ ଅସର୍ତକତା ଆପଣଙ୍କୁ ଏହାର ମୁଁହ ଭିତରକୁ ଟାଣିନେବ । ଏଣୁ ବରିଷ୍ଠ ନାଗରିକମାନେ ଏ ନେଇ ଏବେଠାରୁ ସଚେତନ ହେବା ଆବଶ୍ୟକ ହୋଇ ପଡୁଛି । ଏହି ସମୟରେ ବରିଷ୍ଠ ନାଗରିକମାନେ ଘରୁ ଆଦୌ ବାହାରିବା ଉଚିତ୍ ନୁହେଁ । ସେହିପରି ବରିଷ୍ଠ ନାଗରିକମାନେ ଫୁଲତୋଳା ହେଉ କିମ୍ବା ବଜାର ସଉଦା କରିବା ହେଉ କୌଣସିବାହାନାରେ ବାହାରକୁ ନ ବାହାରିବା ଦରକାର । କେବଳ ଘରେ ରହି ନିଜର ଖଟ ଉପରେ ନିଜକୁ ଆବଦ୍ଧ କରିବାଦ୍ୱାରା ହିଁ ବରିଷ୍ଠ ନାଗରିକମାନେ ନିଜ ପ୍ରତି ସବୁଠୁ ଅଧିକ ନ୍ୟାୟ ଏବଂ ଦେଶ ପ୍ରତି ସବୁଠୁ ଅଧିକ କର୍ତ୍ତବ୍ୟ କରିପାରିବେ ।

ତେବେ ଯଦି ଆପଣ ଏକୁଟିଆ ଥାଆନ୍ତି ଆପଣ ଅନ୍ୟମାନଙ୍କୁ ଏଥିପାଇଁ ଅନୁରୋଧ କରିପାରିବେ । ଭିଡକୁ ଆଦୌ ନଯିବା ହିଁ ବର୍ତ୍ତମାନର ସବୁଠାରୁ ବଡ ଆବଶ୍ୟକତା । ଅବଶ୍ୟ ଘରେ ରହିବି ଆପଣ ନିଜକୁ ଅନେକ କାମରେ ବ୍ୟସ୍ତ ରଖିପାରିବେ ଯେମିତି ପୁରୁଣା ବହି ପଢିବା, ନାତି ନାତୁଣୀଙ୍କ ସହ ଖେଳିବା, ପୁରୁଣା ସିନେମା ଦେଖିବା ଆଦି । କରୋନା ସରିଲାପରେ ଆଉ ଥରେ ଏକ ନୂଆ ପୃଥିବୀର ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ପୁନଃବିନ୍ୟାସ ପାଇଁ ମୂଳଦୂଆ ପଡିବ ଏବଂ ଏଥିରେ ଯେ ଆପଣଙ୍କୁ ଯୋଗଦାନ ଦେବାର ଅଛି ଏକଥା ଆପଣ ଭୁଲିବା ଆବଶ୍ୟକ ନୁହେଁ । ଏଣୁ ଏଥିପାଇଁ ଆପଣଙ୍କୁ ଏ କରୋନା ବିରୋଧି ଲଢେଇରେ ଆପଣଙ୍କୁ ଯୋରଦାର ଯୋଗଦାନ କରିବାର ଅଛି ।

ବରିଷ୍ଠ ନାଗରିକଙ୍କୁ କରୋନାପରେ ମଧ୍ୟ ସର୍ବାଧିକ ସହାୟତା ଯୋଗାଇଦେଇ ହେବ । ଆମ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବରିଷ୍ଠ ନାଗରିକମାନଙ୍କୁ ଜେରିଆଟ୍ରିକ୍ କେୟାର ଯୋଗାଇଦେବାପାଇଁ ବିଶେଷ ସୁବିଧାନାହିଁ । ସେମାନଙ୍କୁ ମାନସିକ ସହାୟତା କିମ୍ବା ଚିକିତ୍ସାଗତ ଆର୍ଥିକ ସହାୟତା ମିଳିପାରେ ନାହିଁ । ଅଧିକାଂଶ ଇନସ୍ୟୁରନ୍ସ କମ୍ପାନୀ ବରିଷ୍ଠ ନାଗରିକମାନଙ୍କୁ ଚିକିତ୍ସା ସେବା ନିମନ୍ତେ ଅର୍ଥ ଯୋଗାଇବାକୁ ମନା କରିଥାଆନ୍ତି । ଡାକ୍ତରଖାନାରେ ମଧ୍ୟ ଏମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତା ବୁଝିବାପାଇଁ ଆବଶ୍ୟକୀୟ ଷ୍ଟାଫ ନଥାନ୍ତି । ଏପରି ସ୍ଥିତିରେ କରୋନା ପରେ ମଧ୍ୟ ଯେତେବେଳେ ଏହି ବରିଷ୍ଠ ନାଗରିକମାନଙ୍କୁ ସାଧାରଣ ଥଣ୍ଡା କିମ୍ବା ଜ୍ୱର ହେବ ସେମାନଙ୍କୁ ସେବା ଯୋଗାଇବା କଷ୍ଟକର ହେବ । ଲୋକଙ୍କ ମନରେ ଏମାନଙ୍କୁ ନେଇ ଭୟ ରହିବ ଏବଂ ଏହା ଯୋଗୁଁ ହିଁ ବରିଷ୍ଠ ନାଗରିକମାନଙ୍କୁ ଚିକିତ୍ସା ଯୋଗାଇବା ଆହୁରି ସମସ୍ୟାଯୁକ୍ତ ହୋଇ ପଡିବ । ତେବେ ଏପରି ସମୟରେ ଗୋଷ୍ଠୀକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ଆମ ଘରେ କିମ୍ବା ଆଖପାଖରେ ନିଶ୍ଚିତ ରୂପେ କେଉଁଠି ନା କେଉଁଠି ବରିଷ୍ଠ ନାଗରିକ ଥିବେ। ଏହି ନାଗରିକମାନଙ୍କୁ ମଧ୍ୟ ଆମେ ସହାୟତା କରିପାରିବା । ଯଦି ସେମାନଙ୍କୁ ଆମେ ଚିକିତ୍ସାଗତ ସହାୟତା ଦେବାର ଅଛି ତେବେ ଆମେ ମାସ୍କ ପିନ୍ଧି ହାତ ଧୋଇ ସେମାନଙ୍କ ପାଖକୁ ଯାଇପାରିବା। ମାତ୍ର ଯଦି ବ୍ୟକ୍ତି ଜଣଙ୍କ ଥଣ୍ଡା, ଜ୍ୱର କିମ୍ବା ନିଶ୍ୱାସ ପ୍ରଶ୍ୱାସନେବାରେ କଷ୍ଟ ଅନୁଭବ କରୁଛନ୍ତି ତେବେ ଆମେ ସେମାନଙ୍କ ପାଖକୁ ନଯାଇ ସରକାରଙ୍କ ଦ୍ୱାରା ପ୍ରଦତ୍ତ ହେଲ୍‌ଥ ହେଲ୍ପ ଲାଇନ ସହ ଯୋଗାଯୋଗ କରିପାରିବା । ଯେହେତୁ କରୋନା ସଂକ୍ରମଣର କୌଣସି ପ୍ରାକ ସୂଚନା ମିଳେନାହିଁ, ଏହା ପାଇଁ ଏ ଯାଏ କୌଣସି ପ୍ରତିଷେଧକ ବାହାରି ନାହିଁ ତେଣୁ କରୋନା ବିପକ୍ଷରେ ଆମର ଢିଲାପଣ ହିଁ ଆମର ଜୀବନ ନେବ । ଏହାକୁ ସମସ୍ତେ ଧ୍ୟାନ ରଖିବା ଆବଶ୍ୟକ।

ରୁଦ୍ର ପ୍ରସନ୍ନ ରଥ
ଧବଳଗିରି, ଯାଜପୁର ରୋଡ
୭୯୭୮୬୭୧୭୭୬

Related story