ଆମ୍ବଟାକୁଆ ମୃତ୍ୟୁ କ’ଣ ସୂଚାଉଛି?

ଆଦିବାସୀ ପାଖରେ ଯଦି ମଜୁରୀ ବା କାମ ରହିବ ତେବେ ପରିବାରର ଉଭୟ ପୁରୁଷ ଓ ସ୍ତ୍ରୀ ଦିନଟିଏ କାମ କଲେ ଦୈନିକ ୭୦୦ରୁ ୮୦୦ ଟଙ୍କା ପାଇପାରିବେ। ତେଣୁ ଚାଉଳ କିଣିବା ପାଇଁ ସେମାନଙ୍କ ପାଖରେ ଯଦି ମଜୁରୀ ଅଛି ବା ନିଯୁକ୍ତି ଅଛି ତେବେ ଅସମୟରେ ମଧ୍ୟ କଦାପି ଆମ୍ବଟାକୁଆର ଜାଉ ବ୍ୟବହାର କରିବେ ନାହିଁ। ଅସଲ କଥା ହେଉଛି ରାଜ୍ୟର ବିକାଶ ସତ୍ତ୍ୱେ ଆଦିବାସୀମାନଙ୍କ ଭିତରେ ଜମିର ଅଭାବ ଓ ମଜୁରୀର ଅଭାବ ଯୋଗୁ ଅଭାବ, ଅନଟନ ଅବସ୍ଥା ସବୁବେଳେ ରହୁଛି।

Mango Kernel

  • Published: Wednesday, 06 November 2024
  • , Updated: 06 November 2024, 05:44 PM IST

ରବି ଦାସ

ଆମ୍ବଟାକୁଆର ଜାଉ ଖାଇ କନ୍ଧମାଳର ୨ ଜଣ ଆଦିବାସୀ ମହିଳା ମୃତ୍ୟୁବରଣ କରିବା ଓ ୬ ଜଣ ଗୁରୁତର ଭାବରେ ଅସୁସ୍ଥ ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଏକ ରାଜନୈତିକ ବିବାଦ ଓ ପରସ୍ପର ପ୍ରତି ଅଭିଯୋଗ ଜୋରଦାର ହୋଇଛି। କାରଣ ଯେଉଁ ୨ ଜଣ ଆଦିବାସୀ ମହିଳାଙ୍କର ମୃତ୍ୟୁ ହେଲା ସେମାନଙ୍କ ବୟସ ମାତ୍ର ୩୦ ଓ ୨୮ ବର୍ଷ। ସେମାନେ ଯେଉଁ ଖାଦ୍ୟ ଖାଇଥିଲେ ତାହା ବିଷ ହୋଇଯାଇଥିଲା ବୋଲି କୁହାଯିବା ପରେ ପୋଷ୍ଟ ମର୍ଟମ୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲା ଯେ, ହେପାଟାଇଟିସ୍ ହୋଇ ତାଙ୍କର ଯକୃତ ଖରାପ ହୋଇଗଲା।

ଏହି ଘଟଣାରେ ଯେକୌଣସି ଲୋକ ଉଦବେଗ ପ୍ରକାଶ କରିବା କଥା। କାରଣ ଓଡ଼ିଶାରେ ଆଦିବାସୀ ସମାଜରେ ଏହି ଆମ୍ବ ଟାକୁଆକୁ ଜାଉକରି ଖାଇବା ବହୁ ବର୍ଷ ହେଲା ଚାଲିଥିଲା। ଏହାକୁ ନେଇ ସେମାନଙ୍କର ଅନେକ ସମୟରେ ମୃତ୍ୟୁ ହୋଇଛି। ୧୯୮୦ ଦଶକ ଓ ୯୦ ଦଶକରେ ଏହିସବୁ ମୃତ୍ୟୁକୁ ସିଧାସଳଖ ଅନାହାର ମୃତ୍ୟୁ ଭାବରେ ବିରୋଧିମାନେ ଅଭିଯୋଗ କରୁଥିଲେ। ନବୀନ ପଟ୍ଟନାୟକ ଶାସନ ଆସିବା ପରେ ୨୦୦୧ରେ ରାୟଗଡ଼ା ଜିଲ୍ଲାରେ ଏହି ଆମ୍ବଟାକୁଆ ଖାଇ କାଶୀପୁର ଅଞ୍ଚଳରେ ପ୍ରାୟ ୨୪ ଜଣଙ୍କର ମୃତ୍ୟୁ ହେବା ଘଟଣା ଗଣମାଧ୍ୟମରେ ରାଜ୍ୟରେ ଓ ଦେଶରେ ଆଦିବାସୀମାନଙ୍କର ଅବସ୍ଥା ସମ୍ପର୍କରେ ଭୟାନକ ଚିତ୍ର ପଦାକୁ ଆସିଥିଲା। ଆଦିବାସୀମାନେ ପାରମ୍ପରିକ ଭାବେ ଏହା ଖାଇଥାନ୍ତି ବୋଲି ଯେଉଁମାନେ କହୁଛନ୍ତି ସେମାନେ ଏକଥା ମଧ୍ୟ ଭଲଭାବେ ଜାଣନ୍ତି ଯେ, କେବଳ କୌଣସି ଖାଦ୍ୟ ପଦାର୍ଥ ନଥିଲେ ତିରୋଟ ସମୟରେ ସେମାନେ ଆମ୍ବଟାକୁଆକୁ ଜାଉକରି ଖାଇଥାନ୍ତି।

ଆଦିବାସୀମାନଙ୍କର ଯେତେବେଳେ ଶିକ୍ଷା ଓ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା ଏବଂ ସେମାନେ ସମ୍ପୂର୍ଣ୍ଣ ଭାବରେ ବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକାର୍ଜନ କରୁଥିଲେ ସେତେବେଳେ ସେମାନେ ଭଲ ପୋଷାକଟିଏ ମଧ୍ୟ ପିନ୍ଧିପାରୁ ନଥିଲେ। କିନ୍ତୁ ସମୟ ବଦଳିଛି ଦେଶର ଓ ରାଜ୍ୟର ବିକାଶ ହୋଇଛି ବୋଲି କୁହାଯିବା ସହିତ ଆଦିବାସୀମାନେ ଧୀରେ ଧୀରେ ଶିକ୍ଷିତ ମଧ୍ୟ ହେଉଛନ୍ତି। ତେଣୁ ସେମାନେ ପୂର୍ବପରି ପୋଷାକ ପିନ୍ଧୁନାହାନ୍ତି। ଏପରିକି ମହିଳାମାନେ ଶାଢ଼ୀ ସହିତ ବ୍ଲାଉଜ୍ ପିନ୍ଧିବା ମଧ୍ୟ ଅଭ୍ୟାସ କଲେଣି। ତାହା ସତ୍ତ୍ୱେ ପୂର୍ବ ପରମ୍ପରା ଅନୁଯାଇ ଆମ୍ବଟାକୁଆ ଖାଇବା ସେମାନଙ୍କ ଅଭ୍ୟାସ ବୋଲି କହିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଅତି ଅଭାବ ନ ପଡ଼ିଲେ ସେମାନେ ଆମ୍ବଟାକୁଆ ଖାଇବାକୁ କଦାପି ନିଜଆଡୁ ଚାହିଁବେ ନାହିଁ। ପିଡିଏସ୍ ବ୍ୟବସ୍ଥାରେ ଲୋକମାନଙ୍କୁ ଚାଉଳ ଯୋଗାଣ ହେବା ସତ୍ତ୍ୱେ ତାହା ସେମାନଙ୍କର ଆବଶ୍ୟକତାକୁ ପୂରଣ କରିପାରେ ନାହିଁ।

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ୧୯୯୫ ପରେ ରାଜ୍ୟର ତପସିଲଭୁକ୍ତ ଅଞ୍ଚଳ ଅର୍ଥାତ୍ ଆଦିବାସୀ ଅଞ୍ଚଳରେ ପିଡିଏସ୍ ଚାଉଳ ୨ ଟଙ୍କାରେ ଦେବା ବ୍ୟବସ୍ଥା କରିଥିଲେ। କିନ୍ତୁ ସେହି ସରକାରର ଅବସାନ ପରେ ତାହା ବନ୍ଦ ହୋଇଯାଇଥିଲା। ୨୦୦୧ରେ ଆମ୍ବଟାକୁଆ ଖାଇ ୨୪ ଜଣଙ୍କର ମୃତ୍ୟୁ ହେବା ଘଟଣା ପରେ ରାଜ୍ୟ ସରକାର ୨୦୦୮ରେ ଯେତେବେଳେ ୨ ଟଙ୍କିଆ ଚାଉଳ ପିଡିଏସ ଜରିଆରେ ବିପିଏଲ୍ ଲୋକମାନଙ୍କୁ ପ୍ରଦାନ କଲେ ସେତେବେଳେ ପିଡିଏସ୍ ଚାଉଳ ଉଠାଇବା ଆଦିବାସୀଙ୍କ ପକ୍ଷରେ ସମ୍ଭବ ହେଲା। ଏହା ଭିତରେ ଜାତୀୟ ଖାଦ୍ୟସୁରକ୍ଷା ଆଇନରେ ରାଜ୍ୟର ପ୍ରାୟ ୩ ଚତୁର୍ଥାଂଶ ଲୋକଙ୍କୁ ଜଣପିଛା ମାସକୁ ୫ କେ.ଜି ହିସାବରେ ଚାଉଳ ଦିଆଯାଉଛି। ଯାହା ଏବେ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି। ୫ କିଲୋ ଚାଉଳରେ ଜଣେ ଆଦିବାସୀ ମାସେ ଚଳିବା ଯଥେଷ୍ଟ ନୁହେଁ। ସେହି ହିସାବରେ ଦେଖିଲେ ୫ କିଲୋ ଚାଉଳ ଯଦି ଜଣେ ବଜାରରୁ ବର୍ତ୍ତମାନ କିଣେ ତେବେ ତାହାର ମୂଲ୍ୟ ୧୮୦ ଟଙ୍କାରୁ କମ୍ ହେବ।

ଆଦିବାସୀ ପାଖରେ ଯଦି ମଜୁରୀ ବା କାମ ରହିବ ତେବେ ପରିବାରର ଉଭୟ ପୁରୁଷ ଓ ସ୍ତ୍ରୀ ଦିନଟିଏ କାମ କଲେ ଦୈନିକ ୭୦୦ରୁ ୮୦୦ ଟଙ୍କା ପାଇପାରିବେ। ତେଣୁ ଚାଉଳ କିଣିବା ପାଇଁ ସେମାନଙ୍କ ପାଖରେ ଯଦି ମଜୁରୀ ଅଛି ବା ନିଯୁକ୍ତି ଅଛି ତେବେ ଅସମୟରେ ମଧ୍ୟ କଦାପି ଆମ୍ବଟାକୁଆର ଜାଉ ବ୍ୟବହାର କରିବେ ନାହିଁ। ଅସଲ କଥା ହେଉଛି ରାଜ୍ୟର ବିକାଶ ସତ୍ତ୍ୱେ ଆଦିବାସୀମାନଙ୍କ ଭିତରେ ଜମିର ଅଭାବ ଓ ମଜୁରୀର ଅଭାବ ଯୋଗୁ ଅଭାବ, ଅନଟନ ଅବସ୍ଥା ସବୁବେଳେ ରହୁଛି। କନ୍ଧମାଳ ଘଟଣାରେ ସରକାରୀ ଚାଉଳ ଅକ୍ଟୋବର ମାସରେ ଦିଆ ନଯିବା ଯୋଗୁ ସେମାନେ ଆମ୍ବଟାକୁଆ ଖାଇଲେ ବୋଲି ସିଧାସଳଖ କହିଦେବା ଠିକ୍ ନୁହେଁ। ଚାଉଳ ଠିକ୍ ସମୟରେ ଦିଆଯାଇ ନାହିଁ। ତା’ଛଡ଼ା ସେମାନଙ୍କ ପାଖରେ ମଜୁରୀ ମଧ୍ୟ ନାହିଁ। ଏହି ଅସୁବିଧା ଦୂର କରିବା ପାଇଁ ମନରେଗା ଜରିଆରେ ପ୍ରତ୍ୟେକ ନିଯୁକ୍ତି ଚାହୁଁଥିବା ବ୍ୟକ୍ତିମାନଙ୍କୁ ବର୍ଷକୁ ୧୦୦ ଦିନର କାମଦେବା ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ତାହାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ତିରୋଟ ସମୟକୁ ଦେଖି କାହିଁକି କାର୍ଯ୍ୟକାରୀ କରିନାହାନ୍ତି ସେ ପ୍ରଶ୍ନ ପ୍ରଥମେ ଉଠିବା ଦରକାର।

କେଉଁ ଉପାୟରେ ଆମ୍ବଟାକୁଆ ଜାଉ ବିଷରେ ପରିଣତ ହେଲା, ତାହା ନେଇ ଆଲୋଚନା ଅପେକ୍ଷା ରାଜ୍ୟ ବିକାଶଲାଭ କରୁଥିବା ବେଳେ ଆଦିବାସୀମାନେ ଖାଇବାକୁ ନପାଇ ଆମ୍ବଟାକୁଆ ଖାଇବା ରାଜ୍ୟର ବିକାଶ ପଦ୍ଧତି ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଓଡ଼ିଶା ଭାରତର ଏପରି ଏକ ରାଜ୍ୟ ଯେଉଁଠାରେ ମୋଟ ଲୋକସଂଖ୍ୟାର ପ୍ରାୟ ୨୩ ଭାଗ ବା ୯୬ ଲକ୍ଷ ଆଦିବାସୀ ଅଛନ୍ତି। ଓଡ଼ିଶାର ମୋଟ୍ ଭୂ-ଭାଗର ପ୍ରାୟ ୪୪ ଭାଗ ଅଞ୍ଚଳ ତପସିଲଭୁକ୍ତ ଅଞ୍ଚଳ ଭାବରେ ସ୍ୱୀକୃତ ହୋଇଛି। ଓଡ଼ିଶାର ସମସ୍ତ ଖଣିଜ ସମ୍ପଦ ସେହି ଅଞ୍ଚଳରେ ରହିଛି। ଯେଉଁ ଖଣିଜ ସମ୍ପଦରୁ ଏବେ ଓଡ଼ିଶା ବିକଶିତ ହେଉଥିବା ନେଇ ଗର୍ବ କରାଯାଉଛି, ବାସ୍ତବିକ ସେହିସବୁ ଅଞ୍ଚଳରେ ଆଦିବାସୀମାନେ ହିଁ ଶହଶହ ବର୍ଷ ଧରି ଅଛନ୍ତି। କିନ୍ତୁ ରାଜ୍ୟର ଖଣିଜ ପଦାର୍ଥକୁ ନେଇ ବିକାଶର ବହୁ ଦୂରରେ ଆଦିବାସୀମାନେ ଏବେ ବି ରହିଛନ୍ତି। ଅଭାବ ଅନଟନ ଓ ନିଯୁକ୍ତିର ଅଭାବ ଯୋଗୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସବୁବେଳେ ପୁଷ୍ଟିହୀନତାର ଶିକାର। ତେଣୁ ଯେକୌଣସି ରୋଗ ସେମାନଙ୍କୁ ସହଜରେ ଗ୍ରାସକରେ। ଏପରିକି ଖଣିଜ କାରବାର ସହିତ କ୍ରମାଗତ ଜଙ୍ଗଲ ଧ୍ୱଂସ ଯୋଗୁ ସେମାନେ ଭଲ ପାନୀୟଜଳ ମଧ୍ୟ ପାଇବା ମୁସ୍କିଲ୍ ହୋଇଯାଇଛି। ସେମାନଙ୍କ ନଦୀ, ଝରଣା ସବୁ ପ୍ରଦୂଷିତ ହୋଇଯାଇଛି।

ନିକଟରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟକୁ ଦେଖିଲେ ରାଜ୍ୟର ଆଦିବାସୀମାନେ କେତେ ପରିମାଣରେ ଅପପୁଷ୍ଟି ବ୍ୟବସ୍ଥାର ଶିକାର ହୋଇଛନ୍ତି ତାହା ଜାଣିହେବ। ସେହି ରିପୋର୍ଟ ଅନୁସାରେ ୫ ବର୍ଷରୁ କମ୍ ବୟସର ଆଦିବାସୀ ଶିଶୁମାନଙ୍କ ଭିତରୁ ୩୪.୨ ଭାଗ ଅପପୁଷ୍ଟିର ଶିକାର ଫଳରେ ସେମାନଙ୍କର ଆବଶ୍ୟକ ସ୍ୱାସ୍ଥ୍ୟ ଅଭିବୃଦ୍ଧି ହୋଇପାରୁ ନାହିଁ। କନ୍ଧମାଳ ଜିଲ୍ଲାରେ ୧୫ରୁ ୪୯ ବର୍ଷ ବୟସର ମହିଳାମାନଙ୍କ ଭିତରୁ ଶତକଡ଼ା ୪୮.୯ ଭାଗ ରକ୍ତହୀନ ବା ଆନିମିକ୍। ଓଡ଼ିଶାରେ ସେହି ବୟସର ସବୁ ଆଦିବାସୀମାନଙ୍କ ଭିତରୁ ପ୍ରାୟ ୭୨ ଭାଗ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଆଫ୍ରିକାର ଘାନା ଓ ନାଇଜେରିଆ ଠାରୁ ମଧ୍ୟ ଖରାପ ବୋଲି ପୁଷ୍ଟି ସଂକ୍ରାନ୍ତରେ ଅଧ୍ୟୟନ କରୁଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି। ସେମାନଙ୍କ ଅବସ୍ଥା ସହିତ ୫ ବର୍ଷରୁ କମ୍ ଶିଶୁମାନଙ୍କର ଅବସ୍ଥାକୁ ଦେଖିଲେ ଓଡ଼ିଶାରେ ଆଦିବାସୀମାନଙ୍କ ଭିତରେ ରହିଥିବା ଅଭାବୀ ଅନଟନର ଚିତ୍ର ଅତି ସ୍ପଷ୍ଟ।

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ପକ୍ଷରୁ ହୋଇଥିବା ଅନୁଧ୍ୟାନ ଯେଉଁଥିରେ ୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ରାଜ୍ୟର ଆର୍ଥିକ ପ୍ରଗତିକୁ ଦେଖାଯାଇଛି ସେଥିରେ କୁହାଯାଇଛି ଯେ, ରାଜ୍ୟରେ ମୁଣ୍ଡପିଛା ଆୟ ଯାହାକି ୨୦୦୧ରେ ଜାତୀୟ ମୁଣ୍ଡପିଛା ଆୟର ଶତକଡ଼ା ୫୫.୮ ଭାଗ ଥିଲା ତାହା ବୃଦ୍ଧି ପାଇ ୨୦୨୩-୨୪ରେ ଶତକଡ଼ା ୮୮.୫ରେ ପହଁଚିଛି। ଓଡ଼ିଶାର ମୋଟ ଉତ୍ପାଦନ ଯାହାକି ଜାତୀୟ ଉତ୍ପାଦନର ଶତକଡ଼ା ୨.୩ ଭାଗ ଥିଲା ତାହା ବୃଦ୍ଧି ପାଇ ୨.୮ ଭାଗରେ ପହଁଚିଛି। ଅର୍ଥାତ୍ ରାଜ୍ୟର ଏହି ସମୟ ଭିତରେ ପ୍ରଗତି ଘଟିଛି। ହେଲେ ରାଜ୍ୟର ମୁଖ୍ୟ ଭାଗରେ ଥିବା ଆଦିବାସୀ ଓ ଯେଉଁମାନଙ୍କ ଅଂଚଳରୁ ଖଣିଜ ସମ୍ପଦ ଉତ୍ତୋଳିତ ହେଉଛି ସେମାନଙ୍କ ପ୍ରକୃତ ଅବସ୍ଥାରେ ସେପରି ପରିବର୍ତ୍ତନ ହୋଇନାହିଁ। ସେମାନେ ଅଭାବ ଅନଟନ ଭିତରେ ପୁଷ୍ଟିହୀନତା ଓ ରକ୍ତହୀନତାର ଶିକାର ହେଉଥିବାରୁ ଆମ୍ବଟାକୁଆ ଖାଇ ମୃତ୍ୟୁବରଣ କରୁଛନ୍ତି, ଯାହାକୁ ସେମାନଙ୍କର ପରମ୍ପରା ବୋଲି କୁହାଯାଉଛି।

ଫୋ- ୯୪୩୭୪୦୪୪୫୫

Related story