Advertisment

ପେଜର ପରେ ୱାକି-ଟକି ବିସ୍ଫୋରଣ: ୯ ମୃତ, ୩୦୦ରୁ ଅଧିକ ଆହତ

ଗତକାଲି ପେଜର ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮୦୦ରୁ ଅଧିକ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Walki Talki

Walki Talki

Advertisment

ପୂରା ଲେବାନନରେ ଗତକାଲି ହଜାରେରୁ ଅଧିକ ପେଜର ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହେବା ସହିତ ୨୮୦୦ରୁ ଅଧିକ ଆହତ ହୋଇଥିବା ବେଳେ ଆଜି ୱାକି-ଟକି ବିସ୍ଫୋରଣ ଘଟିଛି। ଆମେରିକା ଓ ୟୁରୋପୀୟ ଦେଶ ଦ୍ୱାରା ଆତଙ୍କବାଦୀ ସଂଗଠନର ମାନ୍ୟତା ପାଇଥିବା ହେଜବୁଲ୍ଲାର ସଦସ୍ୟମାନେ ବ୍ୟବହାର କରୁଥିବା ୱାକି-ଟକିରେ ବିସ୍ଫୋରଣ ହୋଇଛି। ସେମାନଙ୍କର ଦବଦବା ଥିବା ଲେବାନନର ରାଜଧାନୀ ବେରୁଟ୍‌ ସହିତ ଦକ୍ଷିଣ ଲେବାନନରେ ଘଟିଛି ଏହି ଘଟଣା।

Advertisment

ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ତେବେ କେତେ ପରିମାଣରେ ୱାକି-ଟକି ବିସ୍ଫୋରଣ ଘଟିଥିବା ସ୍ପଷ୍ଟ ହୋଇପାରି ନାହିଁ। ସେହିପରି ସୂଚନା ଆସିଛି ଯେ ପୂର୍ବ ଲେବାନନର କିଛି ସ୍ଥାନରେ ଲ୍ୟାଣ୍ଡଲାଇନ ଟେଲିଫୋନ୍‌ ବିସ୍ଫୋରଣ ମଧ୍ୟ ଘଟିଛି। ସୂଚନା ଅନୁଯାୟୀ, ଯେଉଁ ସମୟରେ ପେଜରଗୁଡ଼ିକୁ କିଣା ଯାଇଥିଲା, ସେହି ସମୟରେ ୱାକି-ଟକିଗୁଡ଼ିକୁ ମଧ୍ୟ କିଣାଯାଇଥିଲା।

ରଏଟର ଦେଇଥିବା ଖବର ଅନୁଯାୟୀ, ଆଜି ଘଟିଥିବା ୱାକି-ଟକି ବିସ୍ଫୋରଣ ମଧ୍ୟରୁ ଅତି କମ୍‌ରେ ଗୋଟିଏ ଏକ ଅନ୍ତିମ ସଂସ୍କାର ସ୍ଥଳରେ ଘଟିଥିଲା। ଗତକାଲି ପେଜର ବିସ୍ଫୋରଣରେ ମରିଥିବା କିଛି ଲୋକଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ୱାକି-ଟକି ବିସ୍ଫୋରଣ ହୋଇଥିଲା। ହେଜବୁଲ୍ଲା ପକ୍ଷରୁ ଏହି ଅନ୍ତିମ ସଂସ୍କାର କରାଯାଉଥିଲା।

Advertisment

ହେଜବୁଲ୍ଲାର ସଦସ୍ୟମାନେ ପେଜର ବ୍ୟବହାର କରନ୍ତି। ଏହା ସେମାନଙ୍କର ଯୋଗାଯୋଗ ଯନ୍ତ୍ର। ଗତବର୍ଷ ଅକ୍ଟୋବରରେ ଗାଜା ଯୁଦ୍ଧ ଆରମ୍ଭ ହେବା ପରେ ହେଜବୁଲ୍ଲା ତା’ର ସଦସ୍ୟମାନଙ୍କୁ ମୋବାଇଲ ଫୋନ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ମୋବାଇଲ ଫୋନ୍ ବଦଳରେ ପେଜର ବ୍ୟବହାର କରିବାକୁ ସେମାନଙ୍କୁ କୁହାଯାଇଥିଲା। ଇସ୍ରାଏଲ୍ ଯେପରି ସେମାନଙ୍କ ଲୋକେସନ ଠାବ କରି ନପାରିବ ଓ ସେମାନଙ୍କ ସୁରକ୍ଷା ବଳୟ ଭେଦ ନ କରିପାରିବ, ସେଥିପାଇଁ ଏହି ବ୍ୟବସ୍ଥା ଆପଣାଇଥିଲା ହେଜବୁଲ୍ଲା। ପେଜର ବିସ୍ଫୋରଣ ପାଇଁ ହେଜବୁଲ୍ଲା ଇସ୍ରାଏଲକୁ ଦାୟୀ କରିଛି। ୫ ମାସ ତଳେ ହେଜବୁଲ୍ଲା ୱାକି-ଟକିଜ୍ କିଣିଥିଲା। ସେତେବେଳେ ପେଜର ମଧ୍ୟ କିଣିଥିଲା। ତେବେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ କୌଶଳକ୍ରମେ ନିର୍ମାଣ ସମୟରେ ହିଁ ପେଜରଗୁଡ଼ିକରେ ୩ ଗ୍ରାମ ଲେଖାଏଁ ବିସ୍ଫୋରକ ଭର୍ତ୍ତି କରି ଦେଇଥିଲା ବୋଲି ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ପେଜର ଗୁଡ଼ିକ ତାଇୱାନର ଗୋଲ୍ଡ ଆପୋଲୋ କଂପାନୀ ନିର୍ମାଣ କରିଥିଲା ବୋଲି ଖବର ଆସିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି କଂପାନୀ କର୍ତ୍ତୃପକ୍ଷ। ଗୋଲ୍ଡ ଆପୋଲୋ ପକ୍ଷରୁ କୁହାଯାଇଛି ଯେ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରେ ଥିବା ଏକ କଂପାନୀ ବିଏସି ଆବଶ୍ୟକ ଲାଇସେନ୍ସ ପାଇ ଏହି ପେଜରଗୁଡ଼ିକୁ ତିଆରି କରିଥିଲା। ପେଜର ବିସ୍ଫୋରଣ ନେଇ ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ହେଜବୁଲ୍ଲା ପ୍ରସ୍ତୁତ ହେଉଥିବା ବେଳେ ଇସ୍ରାଏଲ ସେନା ଏ ବିଷୟରେ କିଛି କହିବାକୁ ମନା କରି ଦେଇଛି। ଇରାନ ସମର୍ଥତ ହେଜବୁଲ୍ଲା କହିଛି ଯେ ସେମାନେ ହମାସକୁ ସମର୍ଥନ ଦେବା ଜାରି ରଖିବ। ଆଉ ପେଜର ଗଣହତ୍ୟାର ପ୍ରତିଶୋଧ ଅବଶ୍ୟ ନିଆଯିବ। ସେଥିପାଇଁ ଇସ୍ରାଏଲ ପ୍ରସ୍ତୁତ ଥାଉ।

Pager Blasts
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe