Advertisment

PakistanVSAfghanistan: ଆଫଗାନ ସେନାର ପ୍ରତିଆକ୍ରମଣରେ ପାକିସ୍ତାନର ୫୮ ଯବାନ ନିହତ

ପାକିସ୍ତାନ କରିଥିବା ଏୟାର ଷ୍ଟ୍ରାଇକର କଡ଼ା ଜବାବ ଦେଇଛି ଆଫଗାନିସ୍ତାନ। ପ୍ରତିଆକ୍ରମଣରେ ପାକିସ୍ତାନ ୫୮ ଜଣ ଯବାନ ନିହତ ହୋଇଛନ୍ତି। ୩୦ରୁ ଅଧିକ ଆହତ ହୋଇଛନ୍ତି। ଆଫଗାନ ସେନା ବି କ୍ଷତି ସହିଛି।

author-image
Jitendra Garnayak
Afghan Army

ତାଲିବାନ ଆକ୍ରମଣରେ ପାକ୍‌ ଘାଇଲା

ଗତ ସପ୍ତାହରେ ପାକିସ୍ତାନ କରିଥିବା ଏୟାର ଷ୍ଟ୍ରାଇକର କଡ଼ା ଜବାବ ଦେଇଛି ଆଫଗାନିସ୍ତାନ। ଶନିବାର ରାତିରେ ସୀମାରେ ଥିବା ପାକିସ୍ତାନର ଏକାଧିକ ପୋଷ୍ଟ ଉପରେ ଆକ୍ରମଣ କରିଥିଲା ଆଫଗାସ୍ତାନ ସେନା। ଏଥିରେ ୫୮ ଜଣ ପାକ୍‌ ଯବାନ ନିହତ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ଦାବି କରିଛି ଆଫଗାନିସ୍ତାନ। ଏହା ସହିତ ଆଉ କେବେ ଆକ୍ରମଣ ନ କରିବାକୁ କଡ଼ା ଚେତାବନୀ ଦେଇଛି।

Advertisment

ଆଫଗାନିସ୍ତାନର ତାଲିବାନ ସରକାରଙ୍କ ମୁଖପାତ୍ର ଜବୀହୁଲ୍ଲା ମୁଜାହିଦ କହିଛନ୍ତି, ଆଫଗାନିସ୍ତାନକୁ ଏହାର ସ୍ଥଳ ଓ ବାୟୁ ସୀମାକୁ ସୁରକ୍ଷିତ ରଖିବାର ସମସ୍ତ ଅଧିକାର ରହିଛି। କୌଣସି ଆକ୍ରମଣର ଜବାବ ବାକି ରଖାଯିବ ନାହିଁ। 

ଏହା ସହିତ ପାକିସ୍ତାନ ତା’ ମାଟିରୁ ଆଇଏସ୍‌ଆଇଏସ୍‌ ସଦସ୍ୟଙ୍କୁ ହଟାଇବାକୁ ଚେତାବନୀ ଦେଇଛି ଆଫଗାନିସ୍ତାନ। ମୁଖପାତ୍ର ଜବୀହୁଲ୍ଲା ମୁଜାହିଦ କହିଛନ୍ତି, ପାକିସ୍ତାନ ମାଟିରେ ଆଇଏସ୍‌ଆଇଏସ୍‌ର ଉପସ୍ଥିତି ରହିଥିଲେ ହେଁ ସେଠାକାର ସରକାର ଆଖି ବୁଜି ଦେଇଛନ୍ତି। ପାକିସ୍ତାନ ଆଇଏସ୍‌ଆଇଏସ୍‌ର ସଦସ୍ୟମାନଙ୍କୁ ତା’ ମାଟିରୁ ବାହାର କରିଦେବା ଉଚିତ୍। ସେମାନଙ୍କୁ ଧରି ପାକ୍‌ ସରକାର ଆମକୁ ହସ୍ତାନ୍ତର କରିଦେବା ଉଚିତ। ଆଇଏସ୍‌ଆଇଏସ୍‌ ଆଫଗାନିସ୍ତାନ ସମେତ ବିଶ୍ୱର ଅନେକ ଦେଶ ପାଇଁ ବିପଦ।

Advertisment

ସେ କହିଛନ୍ତି, ଆଫଗାନିସ୍ତାନ ମାଟିରେ ଆଇଏସଆଇଏସ୍‌ର ଆଉ ଉପସ୍ଥିତି ନାହିଁ। ଏଠାରୁ ସେମାନଙ୍କୁ ସଫା କରି ଦିଆଯାଇଛି। କିନ୍ତୁ ସେମାନେ ପଖତନଖ୍ୱାରେ ନୂଆ ଆଡ୍ଡାସ୍ଥଳୀ ପ୍ରତିଷ୍ଠା କରିଛନ୍ତି। ସେହି ଆଡ୍ଡାସ୍ଥଳୀଗୁଡ଼ିକରେ ନୂଆ ନିଯୁକ୍ତି ଦିଆଯାଉଛି। ଏହାର ନୂଆ ସଦସ୍ୟମାନଙ୍କୁ କରାଚୀ ଓ ଇସଲାମବାଦ ବିମାନ ବନ୍ଦର ଦେଇ ଏହି ଆଡ୍ଡାସ୍ଥଳୀଗୁଡ଼ିକୁ ପ୍ରଶିକ୍ଷଣ ଦେବା ପାଇଁ ନିଆଯାଉଛି। ଏମିତିକି ଆଫଗାନିସ୍ତାନ ଉପରେ କରାଯାଉଥିବା ଆକ୍ରମଣଗୁଡ଼ିକର ଯୋଜନା ଏହି ଆଡ୍ଡାସ୍ଥଳୀଗୁଡ଼ିକରେ ହେଉଛି। ଏନେଇ ଆମ ପାଖରେ ପ୍ରମାଣ ଅଛି। 

ତାଲିବାନ ସରକାରଙ୍କ ମୁଖପାତ୍ର ଜବୀହୁଲ୍ଲା ମୁଜାହିଦ କହିଛନ୍ତି ଯେ ଗତକାଲି ହୋଇଥିବା ପ୍ରତିଆକ୍ରମଣରେ ଆଫଗାନ ସେନା ମଧ୍ୟ କ୍ଷତି ସହିଛି। ଏହାର ୨୦ରୁ ଅଧିକ ଯବାନ ନିହତ ହୋଇଛନ୍ତି ବା ଆହତ ହୋଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ବେଳେ ପାକିସ୍ତାନ ସେନାର ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସେ କହିଛନ୍ତି। 
ପାକିସ୍ତାନକୁ ଚେତାବନୀ ଦେଇ ସେ କହିଛନ୍ତି ଯେ ଯିଏ ଆଫଗାନିସ୍ତାନ ଉପରେ ଖରାପ ନଜର ପକାଇବ, ତା’ର କଡ଼ା ଜବାବ ଦିଆଯିବ। ଗତକାଲିର ପ୍ରତିଆକ୍ରମଣକୁ କତାର ଓ ସାଉଦି ଆରବର ଅନୁରୋଧ କ୍ରମେ ପ୍ରତ୍ୟାହାର କରି ନିଆଯାଇଛି। 

ଗତ ଗୁରୁବାର ଆଫଗାନିସ୍ତାନରେ ତିନିଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏଥିରୁ ଦୁଇଟି କାବୁଲରେ ଓ ଗୋଟିଏ ପକତୀକାରେ ହୋଇଥିଲା। ଏହି ବିସ୍ଫୋରଣ ପାଇଁ ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନକୁ ଦାୟୀ କରିଥିଲେ। ପାକିସ୍ତାନ ଏୟାର ଷ୍ଟ୍ରାଇକ୍ କରିଥିଲା ବୋଲି ଆଫଗାନିସ୍ତାନ କହିଥିଲା। ତେବେ ପାକିସ୍ତାନ ଏଯାବତ ଏହି ଘଟଣା ନେଇ କିଛି କହି ନାହିଁ। କିନ୍ତୁ ଆଫଗାନିସ୍ତାନ ତା’ ମାଟିରେ ତେହରୀକ-ଏ-ତାଲିବାନ (ପାକିସ୍ତାନ ତାଲିବାନ ନାଁରେ ଜଣାଶୁଣା)କୁ ପ୍ରୋତ୍ସାହିତ ନ କରିବାକୁ ପାକିସ୍ତାନ କହିଛି। 

ଅନ୍ୟପକ୍ଷରେ ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ ନକଭୀ କହିଛନ୍ତି ଯେ କୌଣସି ପ୍ରକାର ଉତ୍ତେଜନା ବିନା ତାଲିବାନ ପକ୍ଷରୁ ସୀମାରେ ଥିବା ପାକ୍‌ ସେନାର ପୋଷ୍ଟଗୁଡ଼ିକ ଉପରେ ଆକ୍ରମଣ କରିଛି ଆଫଗାନିସ୍ତାନ। ସେମାନଙ୍କ ସେନା ପାକିସ୍ତାନର ସାଧାରଣ ଲୋକଙ୍କୁ ଗୁଳି କରିଛି। ଏହା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ। ପାକ୍‌ ସେନା ଏହି ଆକ୍ରମଣର କଡ଼ା ଜବାବ ଦେଇଛି। ଏଭଳି କାର୍ଯ୍ୟକୁ ଆଦୌ ସହ୍ୟ କରାଯିବ ନାହିଁ। ପାକ୍‌ ସେନା ସତର୍କ ରହିଛି। ଆଫଗାନିସ୍ତାନକୁ ଇଟାର ଜବାବ ପଥରରେ ଦିଆଯିବ।