Advertisment

Masood Azhar: ଆଝାରର ‘ସ୍ୱର୍ଗ’ ଦାବି ଓ ଜୈଶର ମହିଳା ବ୍ରିଗେଡକୁ ‘ପୁରୁଷ’ ଚେତାବନୀ

ବ୍ରିଗେଡରେ ସାମିଲ ହେଉଥିବା ମହିଳା କୌଣସି ଅଜଣା ପୁରୁଷଙ୍କ ସହ ଫୋନ କିମ୍ବା ମେସେଜରେ କଥା ହେବେ ନାହିଁ। ସେମାନେ କେବଳ ନିଜର ସ୍ୱାମୀ କିମ୍ବା ନିକଟ ସମ୍ପର୍କୀୟ ସହ କଥା ହୋଇପାରିବେ।

author-image
Hemant Lenka
Masood

ମସୁଦ ଆଝାର

ଜୈଶ-ଇ-ମହମ୍ମଦର ଶତ୍ରୁମାନେ ‘ହିନ୍ଦୁ ମହିଳାମାନଙ୍କୁ ସେନାରେ’ ଭର୍ତ୍ତି କରୁଛନ୍ତି। ଜୈଶର ନୂଆ ମହିଳା ବ୍ରିଗେଡ ଜମାତ ଉଲ ମୁମିନାତର ଲକ୍ଷ୍ୟ ହେଲା ଏହାର କାଉଣ୍ଟର କରିବ। ଏଭଳି କିଛି କହିଛି ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଜୈଶର ମୁଖିଆ ମସୁଦ ଆଝାର।

Advertisment

ଭାରରତୀୟ ସେନାର ଅପରେସନ ସିନ୍ଦୂରରେ ଛିନଛତ୍ର ହୋଇ ଯାଇଥିବା ଜୈଶ କେମିତି ତା’ର ପ୍ରଥମ ମହିଳା ବ୍ରିଗେଡ ଖୋଲିଛି, ତା’ର ରିପୋର୍ଟ କିଛି ଦିନ ତଳେ ପ୍ରକାଶ ପାଇଥିଲା। ମିଳିତ ଜାତିସଂଘ ଦ୍ୱାରା ଆତଙ୍କୀ ସଂଗଠନର ଟ୍ୟାଗ୍‌ ପାଇଥିବା ଜୈଶ ପକ୍ଷରୁ ଜମାତ ଉଲ ମୁମିନାତ ନାଁରେ ପ୍ରଥମ ମହିଳା ୟୁନିଟ ତିଆରି କରାଯାଇଛି। ଏବେ ଆଝାର ସେମାନଙ୍କୁ କେମିତି ପ୍ରଭାବିତ କରୁଛି, ତା’ର ତଥ୍ୟ ସାମ୍ନାକୁ ଆସିଛି। 

ସାମ୍ନାକୁ ଆସିଥିବା ୨୧ ମିନିଟର ଅଡିଓ ରେକର୍ଡିଂ କ୍ଲିପରେ ଆଝାର(Masood Azhar) କହିଛି ଯେ ଶତ୍ରୁମାନେ ହିନ୍ଦୁ ମହିଳାମାନଙ୍କୁ ସେନାରେ ଭର୍ତ୍ତି କରୁଛନ୍ତି। ଜମାତ ଉଲ ମୁମିନାତ ଏହାକୁ କାଉଣ୍ଟର କରିବ। ସେହିପରି ଜୈଶର ଶତ୍ରୁମାନେ ଆମ ବିରୋଧରେ ମହିଳା ସାମ୍ବାଦିକମାନଙ୍କୁ ଉପସ୍ଥାପନ କରୁଛନ୍ତି। ତେଣୁ ସେମାନଙ୍କ ସହ ପ୍ରତିଯୋଗିତା ଓ ଲଢ଼େଇ କରିବା ପାଇଁ ଜୈଶ ମଧ୍ୟ ମହିଳାମାନଙ୍କୁ ନିୟୋଜିତ କରିଛି।” 

Advertisment

କୁହାଯାଉଛି ଯେ ବାହାବଲପୁରରେ ଥିବା ମର୍କଜ ଉସମାନ ଓ ଅଲୀରେ ଆଝାର ଏପରି ଭାଷଣ ଦେଇଛି। ଏଥିସହ ମହିଳା ବ୍ରିଗେଡର ତାଲିମ, ଶିକ୍ଷାଦାନ ଓ ଜୈଶର ନୂଆ ଶାଖା ଅଧିନରେ କେମିତି ମହିଳାଙ୍କୁ ମୁତୟନ କରାଯିବ, ତା’ର ବ୍ଲୁପ୍ରିଣ୍ଟ ଆଝାର ପ୍ରସ୍ତୁତ କରିଛି।

ଆଝାର କହିଛି ଯେ ଜୈଶର ପୁରୁଷ ସଦସ୍ୟଙ୍କ ଭଳି ମହିଳା ସଂଗଠନର ସଦସ୍ୟଙ୍କୁ ସାମନ ତାଲିମ ଦିଆଯିବ। ଜୈଶର ପୁରୁଷ ସଦସ୍ୟମାନଙ୍କୁ ୧୫ ଦିନିଆ ଦୌରା-ଇ-ତାରବୈତ କୋର୍ସ କରିବାକୁ ପଡ଼ିଥାଏ। ସମାନ ଢଙ୍ଗରେ ଜମାତ ଉଲ ମୁମିନତାରେ ସାମିଲ ହେଉଥିବା ମହିଳାମାନଙ୍କୁ ମଧ୍ୟ ଦୌରା-ଇ-ତସ୍କିୟାର ଶିକ୍ଷା ଦିଆଯିବ। ଏହି ତାଲିମ ଶିବିର ମର୍କଜ ଉସମାନ ଓ ଅଲୀରେ ହେବ ବୋଲି ଆଝାର କହିଛି। 

ଜୈଶ ପ୍ରଥମ ପର୍ଯ୍ୟାୟ ତାଲିମ ହେଉଛି ଦୌରା-ଇ-ତାରବୈତ। ଏହା ଅଧୀନରେ ସଦସ୍ୟମାନଙ୍କୁ ମୌଳବାଦୀ ଚିନ୍ତାରେ ପ୍ରଭାବିତ କରାଯାଏ। ସେମାନଙ୍କୁ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ କଲେ ସ୍ୱଗପ୍ରାପ୍ତୀ ହୋଇଥାଏ ବୋଲି ବୁଝାଯାଏ। ଏବେ ମହିଳାମାନଙ୍କୁ ମଧ୍ୟ ଆଝାର ସ୍ୱର୍ଗପ୍ରାପ୍ତୀର ପ୍ରତିଶ୍ରୁତି ଦେଇଛି। 

ଆଝାର କହିଛି ଯେ ଯେଉଁ ମହିଳାମାନେ ଜମାତ ଉଲ ମୁମିନାତରେ ସାମିଲ ହେବେ, ସେମାନେ ମୃତ୍ୟୁ ପରେ ସିଧାସଳଖ ସ୍ୱର୍ଗକୁ ଯିବେ। ପ୍ରଥମ ପର୍ଯ୍ୟାୟ କୋର୍ସକୁ ଶେଷ କରୁଥିବା ମହିଳାମାନେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିବେ। ଏହାର ନାଁ ଦୌରା-ଆୟାତ ଉଲ ନିଶା। ଏହି ପର୍ଯ୍ୟାୟରେ ଇସଲାମରେ ମହିଳାମାନଙ୍କୁ କେମିତି ଜିହାଦ କରିବାକୁ କୁହାଯାଇଛି, ସେ ସମ୍ପର୍କରେ ଅବଗତ କରାଯିବ। 

ଆଝାର ଘୋଷଣା କରିଛି ଯେ ଜମାତ ଉଲ ମୁମିନତାର ଶାଖା ପାକିସ୍ତାନ(Pakistan)ର ପ୍ରତିଟି ଜିଲ୍ଲାରେ ଖୋଲିବ ଓ ପ୍ରତିଟି ବ୍ରାଞ୍ଚର ନେତୃତ୍ୱ ଜଣେ ମୁନ୍ତାଜିମା ବା ମ୍ୟାନେଜର ନେବ। ତା’ ଉପରେ ମହିଳାଙ୍କ ନିଯୁକ୍ତି ଦାୟିତ୍ୱ ରହିବ। ସଂଗଠନରେ ସାମିଲ ହେବାକୁ ଥିବା ମହିଳାମାନଙ୍କ ପାଇଁ ଜୈଶ କଠୋର ନିୟମ ମଧ୍ୟ ପ୍ରଣୟନ କରିଛି।

ବ୍ରିଗେଡରେ ସାମିଲ ହେଉଥିବା ମହିଳା କୌଣସି ଅଜଣା ପୁରୁଷଙ୍କ ସହ ଫୋନ କିମ୍ବା ମେସେଜରେ କଥା ହେବେ ନାହିଁ। ସେମାନେ କେବଳ ନିଜର ସ୍ୱାମୀ କିମ୍ବା ନିକଟ ସମ୍ପର୍କୀୟ ସହ କଥା ହୋଇପାରିବେ। 

ଆଝାର ତା’ର ଭାଷଣରେ କହିଛି ଯେ ଭାରତୀୟ ସେନାର ଏନକାଉଣ୍ଟରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟ ୪ରୁ ୫ ଜଣ ମହିଳା ସଂଗଠନରେ ସାମିଲ ହୋଇଛନ୍ତି। ଏଥିସହ ସେ ସମସ୍ତ ମହିଳା ସଦସ୍ୟଙ୍କୁ ‘ଏ ମୁସଲମାନ ବେହେନା’ ବହି ପଢ଼ିବାକୁ ମଧ୍ୟ କହିଛି। 

ସଂଗଠନରେ ସାମିଲ ହୋଇଥିବା ମହିଳାଙ୍କୁ ୪୦ ମିନିଟ ଧରି ଜିହାଦ ଓ ଇସଲାମ ସମ୍ପର୍କରେ ବୁଝାଯିବ। ଆଝାରର ଦୁଇ ଭଉଣୀ ସାଦିୟା ଆଝାର ଓ ସମୈରା ଆଝାର ମିଳିତ ଭାବେ ମହିଳାମାନଙ୍କୁ ଜମାତ ଉଲ ମୁମିନାତରେ ସାମିଲ ହେବାକୁ ବୁଝାଇବେ। ଜାମାତର ସବୁ ଦାୟିତ୍ୱ ମସଦୁ ଆଝାର ତା’ର ସାନ ଭଉଣୀ ସାଦିୟା ଆଝାରକୁ ଦେଇଛି। 

ଆଝାର ସଂଗଠନ ଚଳାଇବାକୁ ଚାନ୍ଦା ସଂଗ୍ରହ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛି। ମହିଳାଙ୍କ ପାଇଁ ଅନଲାଇନ ଜିହାଦୀ କୋର୍ସ ଆରମ୍ଭ କରାଯିବା ସହ ଏହାର ଫି’ ୫୦୦ ପାକିସ୍ତାନ ମୁଦ୍ରା ବା ଭାରତୀୟ ମୁଦ୍ରାରେ ୧୫୬ ଟଙ୍କା ରହିଛି।

କୋର୍ସରେ ସାମିଲ ହେଉଥିବା ପ୍ରତିଟି ମହିଳା ୧୫୬ ଟଙ୍କା ଦେବେ ଓ ସେମାନଙ୍କୁ ଅନଲାଇନରେ ଗୋଟିଏ ଫର୍ମ ମଧ୍ୟ ପୂରଣ କରିବାକୁ ପଡ଼ିବ। 

ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନା ବାହାବଲପୁରରେ ଥିବା ଜୈଶ ମୁଖ୍ୟାଳୟକୁ ଉଡ଼ାଇ ଦେଇଥିଲା। ଏଥିରେ ମସୁଦ ଆଝାର ପରିବାରର ଅନେକ ସଦସ୍ୟ ନିହତ ହୋଇଥିଲେ।

ନିହତଙ୍କ ମଧ୍ୟରେ ସାଦିୟାର ସ୍ୱାମୀ ୟୁସୁଫ ଆଝାର ମଧ୍ୟ ରହିଥିଲା। ଏବେ ସାଦିୟା ନେତୃତ୍ୱରେ ଜୈଶ ତା’ର ମହିଳା ବିଗ୍ରେଡ ଆରମ୍ଭ କରିଛି। ଏପ୍ରିଲ ୨୨ ପହଲଗାମ ନରସଂହାରରେ ସାମିଲ ଥିବା ଉମର ଫାରୁକର ପତ୍ନୀ ଆଫ୍ରୀ ଫାରୁକ ମଧ୍ୟ ମହିଳା ବ୍ରିଗେଡରେ ରହିଛି।

jaish Pakistan Masood Azhar