/odisha-reporter/media/media_files/2026/03/01/karachi-2026-03-01-15-19-47.jpg)
ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ମୃତ୍ୟୁ ପରେ ଅଶାନ୍ତ ହୋଇଯାଇଛି ପାକିସ୍ତାନ। ଏଠାରେ ଥିବା ଇରାନର ସମର୍ଥକମାନେ ରବିବାର କରାଚିସ୍ଥିତ ଆମେରିକାର ଦୂତାବାସ ଉପରେ ଆକ୍ରମଣ କରିଥିବା ବେଳେ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼ରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।
ଇରାନର ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ହତ୍ୟାର ପ୍ରତିବାଦ ତଥା ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି ଆଜି କରାଚିରେ ଶିଆ ମୁସ୍ଲିମ ସଂଗଠନଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଶହ ଶହ ବିକ୍ଷୋଭକାରୀ କରାଚି ସ୍ଥିତ ଆମେରିକାର ଦୂତାବାସ ସମ୍ମୁଖରେ ନାରାବାଜି କରିବା ସହିତ ଏହା ମଧ୍ୟକୁ ଧସେଇ ପଶିଥିଲେ। ଅନେକ ଯୁବ ବିକ୍ଷୋଭକାରୀ ଦୂତାବାସର ମୁଖ୍ୟ ଫାଟକ ଓ ପାଚେରି ଡେଇଁ ଦୂତାବାସ କୋଠା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ସେମାନେ ଦୂତାବାସ ଉପରକୁ ପଥର ମାଡ଼ କରିବା ସହ ଲାଠିରେ ପିଟି କାଚ ଝରକା ଗୁଡ଼ିକୁ ପିଟି ଭାଙ୍ଗି ଦେଇଥିଲେ। ଏପରିକି ତା’ ପରିସରରେ ସେମାନେ ନିଆଁ ମଧ୍ୟ ଲଗାଇ ଦେଇଥିଲେ।
ବିକ୍ଷୋଭକାରୀମାନେ ଦୂତାବାସ କୋଠା ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲେ। ସେମାନଙ୍କୁ ସେଠାରୁ ହଟାଇବା ପାଇଁ ସୁରକ୍ଷା କର୍ମଚାରୀମାନେ ଗୁଳି ଚଳାଇଥିଲେ। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ କରାଚି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କରାଚି ଭଳି ପାକିସ୍ତାନର ଲାହୋର ଓ ସ୍କର୍ଦୁ ସହରରେ ମଧ୍ୟ ହଜାର ହଜାର ଲୋକେ ଇରାନକୁ ସମର୍ଥନ କରି ଶୋଭାଯାତ୍ରା କରିଥିଲେ। ଇରାକର ରାଜଧାନୀ ବାଗ୍ଦାଦରେ ମଧ୍ୟ ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। ଖାମେନେଇଙ୍କ ମୃତ୍ୟୁରେ ଇରାକ ସରକାର ତିନି ଦିନିଆ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି।
ଶନିବାର ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲ୍ ଖାମେନେଇଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ, ଜ୍ୱାଇଁ, ବୋହୂ ଓ ନାତୁଣୀ ମଧ୍ୟ ନିହତ ହୋଇଛନ୍ତି। ସେହିପରି ଇରାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଅନେକ ଶୀର୍ଷ ଅଧିକାରୀଙ୍କର ମଧ୍ୟ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣରେ ମୃତ୍ୟୁ ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
