ଛାଡନ୍ତୁ ଏ ୫ଟି ବଦଭ୍ୟାସ: ନହେଲେ ଡ୍ୟାମେଜ୍‌ ହୋଇଯିବ ଲିଭର୍‌

କର୍ମବହୁଳ ଜୀବନରେ ବହୁ ଲୋକ ନିଜ ସ୍ୱାସ୍ଥ୍ୟର ଯତ୍ନ ଠିକ୍‌ରେ ନେଇ ପାରି ନ ଥାନ୍ତି। ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଜାଣି ଜାଣି ନିଜ ସ୍ୱାସ୍ଥ୍ୟକୁ ହାନୀ ପହଞ୍ଚାଇଥାନ୍ତି। ଆମ ନିତିଦିନିଆ ଚାଲିଚଳନ, ଖାଦ୍ୟପେୟ ଓ ଅଭ୍ୟାସ ଆମ ଶରୀର ଉପରେ ପ୍ରଭାବ ପକାଇଥାଏ। ଏହା ଜାଣି ମଧ୍ୟ ଆମେ ଏମିତି କିଛି ଅଭ୍ୟାସ କରି ବସନ୍ତି ଯାହା ଆମ ପାଇଁ କ୍ଷତିକାରକ ହୋଇଥାଏ। ଯକୃତ (ଲିଭର୍) ହେଉଛି ଆମ ଶରୀରର ଏକ ମହତ୍ୱପୂର୍ଣ୍ଣ […]

liver

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 05:23 PM IST

କର୍ମବହୁଳ ଜୀବନରେ ବହୁ ଲୋକ ନିଜ ସ୍ୱାସ୍ଥ୍ୟର ଯତ୍ନ ଠିକ୍‌ରେ ନେଇ ପାରି ନ ଥାନ୍ତି। ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଜାଣି ଜାଣି ନିଜ ସ୍ୱାସ୍ଥ୍ୟକୁ ହାନୀ ପହଞ୍ଚାଇଥାନ୍ତି। ଆମ ନିତିଦିନିଆ ଚାଲିଚଳନ, ଖାଦ୍ୟପେୟ ଓ ଅଭ୍ୟାସ ଆମ ଶରୀର ଉପରେ ପ୍ରଭାବ ପକାଇଥାଏ। ଏହା ଜାଣି ମଧ୍ୟ ଆମେ ଏମିତି କିଛି ଅଭ୍ୟାସ କରି ବସନ୍ତି ଯାହା ଆମ ପାଇଁ କ୍ଷତିକାରକ ହୋଇଥାଏ। ଯକୃତ (ଲିଭର୍) ହେଉଛି ଆମ ଶରୀରର ଏକ ମହତ୍ୱପୂର୍ଣ୍ଣ ଅଂଶ। ଆସନ୍ତୁ ଜାଣିବା ଏପରି କିଛି ଅଭ୍ୟାସ ସମ୍ପର୍କରେ ଯାହା ଲିଭର୍‌କୁ କ୍ଷତି ପହଞ୍ଚାଇଥାଏ।

ଆଲକହଲ: ମଦ୍ୟପାନ ଲିଭର୍‌ ସମସ୍ୟା ପାଇଁ ଏକ ବଡ଼ କାରଣ। ଲିଭର୍‌ର କାମ ହେଲା ଶରୀରରେ ଥିବା ହାନୀକାରକ ତତ୍ତ୍ୱକୁ ନଷ୍ଟ କରିବା। ମଦ୍ୟପାନ ଦ୍ୱାରା ଶରୀରକୁ ଯେଉଁ ହାନୀକାରକ ତତ୍ତ୍ୱ ଯାଇଥାଏ ତାକୁ ନଷ୍ଟ କରିବାରେ ଲିଭର୍‌ ଅଧିକ ସମୟ ନେଇଥାଏ। ଫଳରେ ଶରୀରରେ ଥିବା ଅନ୍ୟ କ୍ଷତିକାରକ ତତ୍ତ୍ୱକୁ ଠିକରେ ନଷ୍ଟ କରି ପାରି ନ ଥାଏ। ଏହାଦ୍ୱାରା ଲିଭରରେ ସମସ୍ୟା ଦେଖା ଦେଇଥାଏ ଓ ରୋଗ ହେବାର ସମସ୍ୟା ବଢି ଯାଇଥାଏ।

ଔଷଧ: ସାଧାରଣରୁ ସାଧାରଣ ଶାରୀରିକ ସମସ୍ୟା ଅଛି ଯାହା ବିନା ଔଷଧରେ ଭଲ ହୋଇ ପାରିବ । ହେଲେ ଲୋକେ ଏଥିପାଇଁ ଅନାବଶ୍ୟକ ଔଷଧ ସେବନ କରିଥାନ୍ତି। ମାତ୍ରାଧିକ ଓ ଅନାବଶ୍ୟକ ଔଷଧ ସେବନ ଲିଭର୍‌ ଉପରେ ପ୍ରଭାବ ପକାଇଥାଏ। ମାତ୍ରାଧିକ ଔଷଧ ସେବନ ଯୋଗୁଁ ଲିଭର୍‌ ଫେଲ୍‌ ହେବାର ଆଶଙ୍କା ରହିଥାଏ। ବିଶେଷ କରି ଏସିଟାମିନୋଫେମ ପରି ଔଷଧ ଲିଭର୍‌ ପାଇଁ କ୍ଷତିକାରକ। ଏହା ବିନା ପ୍ରାସ୍‌କିପସନରେ ସହଜରେ ମିଳିଯାଇଥାଏ। ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଲିଭର୍‌ ଖରାପ ହୋଇପାରେ। ଏହାବାଦ୍‌ ହେଲଥ ସପ୍ଲିମେଣ୍ଟର ଅତ୍ୟଧିକ ବ୍ୟବହାର ଲିଭର୍‌ ଖରାପ କରିପାରେ।

ଧୂମପାନ: ଧୂମପାନ ଶରୀର ପ୍ରତି କ୍ଷତିକାରକ। ଏହା ସମସ୍ତ ଜଣନ୍ତି। ହେଲେ ସିଗେରାଟ୍‌ ଟାଣିବା ଅଭ୍ୟାସ୍‌ ବଦଳରେ ଫ୍ୟାସନ୍‌ରେ ପରିଣତ ହୋଇଗଲାଣି। ଲିଭର୍‌ର ସବୁଠାରୁ ବଡ଼ ଶତ୍ରୁ ହେଲା ଧୂମପାନ। ସିଗାରେଟ୍‌ରେ ଥିବା କେମିକାଲ ଅକ୍ସିଡେଟିବ ଟ୍ରେସ୍‌ ସୃଷ୍ଟି କରିବା ଓ ଫ୍ରି-ରେଡିକାଲ ପାଇଁ ଦାୟୀ। ଏହାଦ୍ୱାରା ଲିଭର୍‌ ଖରାପ ହୋଇଥାଏ।

ଅନିଦ୍ରା: ଅନିଦ୍ରା ଲିଭର୍‌ ଖରାପ ହେବାର ଅନ୍ୟ ଏକ କାରଣ। ଦିନସାରା କାମ କରି ରାତିରେ ଶୋଇବା ନିହାତି ଜରୁରୀ। ଶୋଇବା ସମୟରେ ଶରୀରରେ ଥିବା ହାନୀକାରକ ତତ୍ତ୍ୱ ନଷ୍ଟ କରିବା କାମରେ ଲିଭର୍‌ ଲାଗିଥାଏ। ହେଲେ ଅନିଦ୍ରା ହେବା ଦ୍ୱାରା ଏଥିରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ ଓ ଟ୍ରେସ୍‌ ବଢିଥାଏ। ଏଥିପାଇଁ ପ୍ରତିଦିନ ଅତି କମ୍‌ରେ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟବ।

ଖିଆପିଆ: ଭୁଲ ଡାଏଟ ଲିବର ଖରାପ ହେବାର ଅନ୍ୟତମ କାରଣ। ଇଆଡୁ ସିଆଡୁ ଖାଇବା ଅପେକ୍ଷା ନିଜ ଖାଇବା ଥାଳିରେ ଫଳ ଓ ପନିପରିବାକୁ ଗୁରୁତ୍ୱ ଦିଅନ୍ତୁ। ଏଥିରେ ପ୍ରଚୁର ପରିମାଣରେ ବିଟା କେରୋଟିନ, ଭିଟାମିନ-ସି, ଭିଟାମିନ-ଇ, ଜିଙ୍କ, ସେଲେନିୟମ ପରି ତତ୍ତ୍ୱ ରହିଥାଏ। ଏହା ଲିଭର୍‌କୁ ସୁସ୍ଥ ରଖାଥାଏ।

ଶରୀର ସୁସ୍ଥ ରହିଲେ ସବୁ କିଛି ଠିକ୍‌ ଚାଲେ। ସାମାନ୍ୟ ସଚେତନତା ଆମକୁ ରୋଗ ମୁକ୍ତ ରଖିବା ସହ ସୁସ୍ଥ ଜୀବନ ବିତାଇବାରେ ସହାୟକ ହୋଇଥାଏ। ଏପରି ବଦଭ୍ୟାସରୁ ଦୂରରେ ରୁହନ୍ତୁ ଓ ନିଜକୁ ସୁସ୍ଥ ରଖନ୍ତୁ।

Related story