କଫି ସ୍ୱାସ୍ଥ୍ୟ ପାଇଁ ହିତକର, ଏ କଥା ସମସ୍ତେ ଜାଣନ୍ତି। ଏବେ ଏକ ସର୍ଭେରୁ ଜଣାପଡିଛି ଯେ, ନିୟମିତ ୩ରୁ ୪ କପ୍ କଫି ପିଉଥିବା ବ୍ୟକ୍ତି ଅଧିକ ଦିନ ବଞ୍ଚିଥାନ୍ତି। ଆମେରିକୀୟ ଗବେଷକମାନଙ୍କ ମତରେ, କଫି ପିଇବା ଦ୍ୱାରା ହୃଦରୋଗ, କ୍ୟାନସର, ଡାଏବେଟିସ୍, ଶ୍ୱାସ ଓ କିଡନୀ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ଜଣିଷକୁ ସୁସ୍ଥ ରଖିଥାଏ।
ଦକ୍ଷିଣ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଆମେରକୀୟ ଗବେଷକମାନେ କରିଥିବା ସର୍ଭେରୁ ଏହା ଜଣାପଡିଛି। ୧ ଲକ୍ଷ ୮୦ ହଜାର ଲୋକଙ୍କ ଉପରେ ଏହି ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟରେ କୁହାଯାଇଛି, ପ୍ରତିଦିନ ଡିକ୍ୟାଫିନେଟେଡ୍ (କ୍ୟାଫିନ କଢା ଯାଇଥିବା) କଫି ପିଉଥିବା ବ୍ୟକ୍ତି ସାଧାରଣ ଲୋକଙ୍କଠାରୁ ଅଧିକ ଦିନ ବଞ୍ଚିଥାନ୍ତି।
ୟୁନିଭର୍ସିଟି ଅଫ୍ କେମ୍ବ୍ରିଜର ପ୍ରଫେସର ସାର୍ ଡେଭିଡ୍ ସ୍ପିଗଲହାଲ୍ଟରଙ୍କ କହିବା କଥା ହେଲା, ପ୍ରତିଦିନ ଏକ କପ୍ କଫି ପିଉଥିବା ପୁରୁଷ ଅଧିକ ୩ ମାସ ବଞ୍ଚିଥାନ୍ତି। ସେହିପରି ମହିଳାମାନେ ୧ ମାସ ଅଧିକ ବଞ୍ଚିଥାନ୍ତି। ଅନ୍ୟପକ୍ଷରେ କିଛି ବିଶେଷଜ୍ଞଙ୍କ କହିବା କଥା ହେଲା, କଫି ପିଇଲେ ଆୟୂଷ ବଢିବାର କୌଣସି ଠୋସ୍ ପ୍ରମାଣ ନାହିଁ। କଫି ପିଉଥିବା ବ୍ୟକ୍ତିଙ୍କ ଜୀବନଶୈଳୀ ସେମାନଙ୍କ ଆୟୂଷ ବୃଦ୍ଧିର କାରଣ ମଧ୍ୟ ହୋଇଥାଇ ପାରେ।