ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନେ ସାପ କାମୁଡ଼ିବାର ଆଶଙ୍କା ଅଧିକ ଥାଏ। ତେବେ ସାପ କାମୁଡ଼ିଲେ ସଙ୍ଗେ ସଙ୍ଗେ କ’ଣ କରାଯିବା ଉଚିତ୍, ସେ ନେଇ ବହୁତ ଲୋକ ସଚେତନ ନୁହନ୍ତି। ଏ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଭେଷଜ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ମହାନ୍ତି। କେଉଁ ସାପ କାମୁଡ଼ିଲେ କେଉଁ ଲକ୍ଷଣ ଦେଖାଯାଏ, ସାପ କାମୁଡ଼ିଲେ ପ୍ରଥମେ କ’ଣ କରିବେ ଓ ସାପ କାମୁଡ଼ିଲେ କେମିତି ଚିକିତ୍ସା କରାଯାଏ- ଏସବୁ ସଂପର୍କରେ ସେ ସୂଚନା ଦେଇଛନ୍ତି।
ତା’ହେଲେ ପ୍ରଥମେ ଆସନ୍ତୁ ଜାଣି ନେବା ନାଗ, ବୋଡ଼ା ଓ ଚିତି ସାପ କାମୁଡ଼ିବାର ଲକ୍ଷଣ କ’ଣ?
ନାଗସାପ କାମୁଡ଼ିବାର ଲକ୍ଷଣ
- ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବା
- କୋମାକୁ ଚାଲିଯିବା
- ଛୋଟ ଦାନ୍ତ ଦାଗ ଦେଖାଯିବା
- ଚୋଟ ବାଜିଥିବା ସ୍ଥାନରେ ଯନ୍ତ୍ରଣା ହେବା
- କାମୁଡ଼ି ଥିବା ସ୍ଥାନରେ ପୋଡ଼ିଲା ପରି ଲାଗିବା
- କାମୁଡ଼ିଥିବା ସ୍ଥାନ ଫୁଲିଯିବା
- ଚର୍ମର ରଙ୍ଗ ବଦଳିଯିବା
- ବାନ୍ତି ଲାଗିବା
- ଆଖିକୁ ଝାପ୍ସା ଦେଖାଯିବା
- ଆଖିପତା ପଡ଼ିଯିବା
- କଥାବାର୍ତ୍ତାରେ ସାମଞ୍ଜସ୍ୟ ନ ରହିବା
ବୋଡ଼ା ସାପ କାମୁଡ଼ିବାର ଲକ୍ଷଣ
- ରକ୍ତବାନ୍ତି ହେବା
- କାମୁଡ଼ିବା ସ୍ଥାନରେ ଫୋଟକା ଓ ବଧିରା ହୋଇଯିବା
- ପରିସ୍ରାରେ ରକ୍ତ ପଡ଼ିବା
- କଳାରଙ୍ଗର ଖଣ୍ଡ ଖଣ୍ଡ ରକ୍ତ ବାହାରିବା
ଚିତି ସାପ କାମୁଡ଼ିବାର ଲକ୍ଷଣ
- ଗଣ୍ଠି ଓ ପେଟରେ ଯନ୍ତ୍ରଣା ହେବା
- ସାପ ଦାନ୍ତ ଚିହ୍ନ ଜଣା ନପଡ଼ିବା
- କୌଣସି ଘା’ କିମ୍ୱା ଫୁଲା ଜଣା ନପଡ଼ିବା
କେଉଁ ସାପ କାମୁଡ଼ିଛି ବୋଲି ଜଣା ନପଡ଼ିଲେ କ’ଣ କରିବେ?
- ସାପକୁ ନ ମାରି ଏହାର ଫଟୋ ନେଇ ଡାକ୍ତରଙ୍କୁ ଦେଖାନ୍ତୁ
- ଯାହାଙ୍କୁ ସାପ କାମୁଡ଼ିଛି ତାଙ୍କୁ ଗୁଣିଆଙ୍କ ପାଖକୁ ନିଅନ୍ତୁ ନାହିଁ
- ଯେଉଁ ସ୍ଥାନରେ ସାପ କାମୁଡ଼ିଛି, ସେଠାରେ ପ୍ରାଥମିକ ଚିକିତ୍ସା କରନ୍ତୁ
ସାପ କାମୁଡ଼ିଲେ ପ୍ରଥମେ କ’ଣ କରିବା ଉଚିତ୍ ?
- କାମୁଡ଼ିଥିବା ବ୍ୟକ୍ତିଙ୍କୁ ଡରାନ୍ତୁ ନାହିଁ
- ଦେହରେ ପିନ୍ଧିଥିବା ଗହଣା ଓ ଚିପା ବସ୍ତ୍ରକୁ ଖୋଲି ଦିଅନ୍ତୁ
- କାମୁଡ଼ିଥିବା ସ୍ଥାନରେ କ୍ରେପ୍ ବା ବ୍ୟାଣ୍ଡେଜ୍ କରନ୍ତୁ
- ସଙ୍ଗେ ସଙ୍ଗେ ଡାକ୍ତରଖାନା ଯାଆନ୍ତୁ
- ରୋଗୀକୁ ଚାଲିବାକୁ ଦିଅନ୍ତୁ ନାହିଁ
- ହାତକୁ କାମୁଡ଼ିଥିଲେ ସାବୁନ ପାଣିରେ ଧୁଅନ୍ତୁ
- ଅଲଗା କୌଣସି ହର୍ବାଲ୍ ଜିନିଷ ସେହି ସ୍ଥାନରେ ଉପଯୋଗ କରନ୍ତୁ ନାହିଁ
- କାମୁଡ଼ିଥିବା ସ୍ଥାନରେ ଦଉଡ଼ି ବାନ୍ଧନ୍ତୁ ନାହିଁ
- ଯଦି ସାପ ମରିଯାଇଛି, ତେବେ ମଲାସାପକୁ ଡାକ୍ତରଙ୍କ ପାଖକୁ ନିଅନ୍ତୁ
ସାପ କାମୁଡ଼ିଲେ କ’ଣ କରିବେ ନାହିଁ?
- ସାପ କାମୁଡ଼ିଥିବା ସ୍ଥାନରେ ବରଫ ଲଗାନ୍ତୁ ନାହିଁ
- ଅଧିକ ଚଳପ୍ରଚଳ କରନ୍ତୁ ନାହିଁ
- ଝଡ଼ାଫୁଙ୍କା କରନ୍ତୁ ନାହିଁ
- ରକ୍ତ ବାହାରୁଥିଲେ ଏହାକୁ ଶୋଷନ୍ତୁ ନାହିଁ
- କାମୁଡ଼ିଥିବା ସ୍ଥାନକୁ କଟାକଟି କରନ୍ତୁ ନାହିଁ
- ନିଶାଯୁକ୍ତ ପାନୀୟ ପିଅନ୍ତୁ ନାହିଁ
- ଇଲେକ୍ଟ୍ରିକ୍ ଥେରାପି କରନ୍ତୁ ନାହିଁ
ସାପ କାମୁଡ଼ାର ଚିକିତ୍ସା ପଦ୍ଧତି କ’ଣ ?
- କାମୁଡ଼ିଥିବା ସ୍ଥାନରେ ପ୍ରାଥମିକ ଚିକିତ୍ସା କରାଯାଇ ରୋଗୀକୁ ପଲିଭାଲେଣ୍ଟ ଭ୍ୟାକସିନ୍ ଦିଆଯାଏ।
- ରକ୍ତ ଜମାଟ ବାନ୍ଧୁଛି କି ନାହିଁ ଜାଣିବା ପରେ ପରବର୍ତ୍ତୀ ଚିକିତ୍ସା କରାଯାଏ।