ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶାରୀରିକ ଦୁର୍ବଳତାରୁ ମୁକ୍ତି ପାଇଁ ବିଭିନ୍ନ ପ୍ରକାର ଫଳ ଖାଇବା ଉଚିତ୍। ଫଳରେ ପ୍ରାକୃତିକ ଭିଟାମିନ୍ ଏବଂ ଖଣିଜ ତତ୍ତ୍ୱ ଭରପୂର ଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରେ।
ଖଜୁରୀ ଏପରି ଏକ ଫଳ,ଯାହା ନିୟମିତ ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ୍ ବା ରକ୍ତ ବୃଦ୍ଧି ହୁଏ। ଖଜୁରୀରେ ମାଛ ଓ ମାଂସ ଠାରୁ ଅଧିକ ଶକ୍ତି ପ୍ରଦାନକାରୀ ତତ୍ତ୍ୱ ଭରପୂର ରହିଛି। ନିୟମିତ ଖଜୁରୀ ଖାଇବା ଦ୍ୱାରା ଶାରୀରିକ ଦୁର୍ବଳତା ମଧ୍ୟ ଦୂର ହୋଇଥାଏ।
ଖଜୁରୀ ସେବନ ଦ୍ୱାରା ଶରୀରକୁ ପ୍ରାକୃତିକ ଶର୍କରା ମିଳିଥାଏ। ୧୦୦ ଗ୍ରାମ ଖଜୁରୀରେ ପାଖାପାଖି ୮୫ ଗ୍ରାମ୍ ଶର୍କରା(Glucose) ଥାଏ। ଖଜୁରୀରେ କ୍ୟାଲ୍ସିୟମ୍, ଫସ୍ଫରସ୍, ଆଇରନ୍ ଏବଂ ଖଣିଜ ତତ୍ତ୍ୱ ଭରପୁର୍ ରହିଛି।
ଏବେ ଆସନ୍ତୁ, ଖଜୁରୀରେ ଥିବା ଅନ୍ୟ ଔଷଧୀୟ ଗୁଣ ସମ୍ପର୍କରେ ଜାଣିବା।
ହୃଦ୍ରୋଗୀଙ୍କ ପାଇଁ ଖଜୁରୀ ଏକ ବରଦାନ ସ୍ୱରୂପ। ଖଜୁରୀ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍ ଓ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।
ଖଜୁରୀ ନିୟମିତ ଖାଇଲେ ମସ୍ତିଷ୍କର ଦୁର୍ବଳତା ଦୂର ହୁଏ ଏବଂ ସ୍ମରଣ ଶକ୍ତି ବୃଦ୍ଧି ପାଏ।
ରାତିରେ ୧୦ଟି ଖଜୁରୀକୁ ପାଣିରେ ଭିଜାଇ ରଖନ୍ତୁ। ସକାଳୁ ଉଠି ଖାଲି ପେଟରେ ଖଜୁରୀ ସହ ସେହି ପାଣିକୁ ସେବନ କଲେ ଆଣ୍ଠୁଗଣ୍ଠି ବିନ୍ଧାରୁ ମୁକ୍ତି ମିଳିଥାଏ।
ଯେଉଁ ମହିଳାଙ୍କର ଶାରୀରିକ ଦୁର୍ବଳତା କାରଣରୁ ମାସିକ ଋତୁସ୍ରାବ ଅନିୟମିତ ହୋଇଥାଏ, ସେମାନେ ପ୍ରତିଦିନ ସକାଳେ ୫ଟି ଏବଂ ରାତିରେ ୫ଟି ଖଜୁରୀ ଖାଇଲେ ମାସିକ ଋତୁସ୍ରାବ ନିୟମିତ ହୋଇଥାଏ।
କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଭୋଗୁଥିଲେ ଖଜୁରୀ ଖାଆନ୍ତୁ। ଏଥିରେ ଥିବା ଫାଇବର୍ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରି ପେଟ ସଫା କରିଥାଏ।
ପରିସ୍ରାଜନିତ ସମସ୍ୟା ପାଇଁ ଖଜୁରୀ ପତ୍ର ରସ ସହ ମିଶ୍ରି ମିଶାଇ ସେବନ କଲେ, ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ନିୟମିତ ଖଜୁରୀ ଖାଇଲେ ଭୋକ କମ୍ ଲାଗିଥାଏ। ଫଳରେ ଶରୀରର ଓଜନ ନିୟନ୍ତ୍ରଣରେ ରହିଥାଏ।