କରୋନାରେ ସଂକ୍ରମିତ ହେବା ପରେ ଲୋକଙ୍କର ଶୁଙ୍ଘିବା ଶକ୍ତି ଚାଲି ଯାଇଥାଏ। ଶୁଙ୍ଘିବା ଓ ସ୍ୱାଦ ନବାରିବା ହିଁ କରୋନା ଚିହ୍ନଟ ହେବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଯଦି କୌଣସି ବ୍ୟକ୍ତିଙ୍କର ଶୁଙ୍ଘିବା ଶକ୍ତି ଚାଲିଯାଏ, ତାହେଲେ ସେହି ବ୍ୟକ୍ତି କରୋନା ପଜିଟିଭ୍ ହେବାର ସମ୍ଭାବନା ଅଧିକ। ତେବେ କରୋନାର ଅନ୍ୟ ଲକ୍ଷଣ ମଧ୍ୟ ରହିଛି, କିନ୍ତୁ ଶୁଙ୍ଘିବା ଶକ୍ତି ଚାଲିଯିବା ମୁଖ୍ୟ କାରଣ କୁହାଯାଉଛି।
କରୋନାରୁ ସୁସ୍ଥ ହୋଇଥିବା ଅନେକ ରୋଗୀଙ୍କଠାରେ ଦେଖିବାକୁ ମିଳିଛି ଯେ ସେମାନଙ୍କର ଶୁଙ୍ଘିବା ଶକ୍ତି ଆଉ ଫେରୁ ନାହିଁ। ସୁସ୍ଥ ହେବାର ମାସେ ପରେ ବି ସେମାନେ ଗନ୍ଧ ବାରି ପାରୁନାହାନ୍ତି। ତେବେ ଏଥିରୁ ଦୁଇଟି ରୋଗ ସାମ୍ନାକୁ ଆସିଥାଏ। ଗୋଟିଏ ହେଉଛି ପାରୋସ୍ମିିଆ, ଯେଉଁଥିରେ ଗନ୍ଧ ତ ଆସିବ, କିନ୍ତୁ କ’ଣ ଗନ୍ଧ ହୁଏ ଜଣା ପଡ଼େ ନାହିଁ। ଦ୍ୱିତୀୟଟି ହେଉଛି ଆନୋସ୍ମିିଆ, ଯେଉଁଥିରେ ବ୍ୟକ୍ତିଙ୍କୁ ଆଦୌ ଗନ୍ଧର ଆଭାସ ହୋଇନଥାଏ। କହିବାକୁ ଗଲେ ଗୋଟିଏ ପ୍ରକାରରେ ସେମାନଙ୍କର ଶୁଙ୍ଘିବା ଶକ୍ତି ପୂରା ଚାଲିଯାଇଥାଏ। ଆନୋସ୍ମିଆକୁ ମେଡିକାଲ ଭାଷାରେ ‘ସ୍ମେଲ୍ ବ୍ଲାଇଣ୍ଡେସ’ ମଧ୍ୟ କୁହାଯାଏ।
ପାରୋସ୍ମିଆ କ’ଣ: ସାରା ଦୁନିଆରେ ଭିନ୍ନ ଭିନ୍ନ ଅଧ୍ୟୟନରୁ ଜଣା ପଡ଼ିଛି ଯେ ଦୁଇଟି ଯାକ ଲକ୍ଷଣ କରୋନାରୁ ସୁସ୍ଥ ହେବା ପରେ ଦେଖା ଦେଇଛି। ପାରୋସ୍ମିଆରେ ଲୋକଙ୍କର ଶୁଙ୍ଘିବାର ସେନ୍ସ ବଦଳି ଯାଇଥାଏ। ଏଥିରେ ଲୋକଙ୍କୁ ଗନ୍ଧ ତ ହୋଇଥାଏ କିନ୍ତୁ ସେମାନେ କେଉଁ ଜିନିଷ ଶୁଙ୍ଘୁଛନ୍ତି, ତାହା ଜାଣି ପାରନ୍ତି ନାହିଁ। ନିଜ ଆଖାପାଖରେ ବାସନା କିମ୍ବା ଦୁର୍ଗନ୍ଧକୁ ମଧ୍ୟ ସେମାନେ ଠିକ୍ ଭାବେ ଅନୁଭୂତ କରିପାରନ୍ତି ନାହିଁ। ଏକ ସୁସ୍ଥ ବ୍ୟକ୍ତି ଶୁଙ୍ଘିକି କହିପାରିବ ଯେ ଆଖପାଖରେ କ’ଣ ରୋଷେଇ ହେଉଛି। ସୁସ୍ଥ ବ୍ୟକ୍ତି ଆହୁରି କହିପାରିବ ଯେ ଖାଦ୍ୟରେ କେଉଁ ଜିନିଷ ପ୍ରସ୍ତୁତ ହେଉଛି। କିନ୍ତୁ ଯେଉଁ ଲୋକ କରୋନା କାରଣରୁ ପାରୋସ୍ମିଆର ଶିକାର ହୁଅନ୍ତି, ସେମାନଙ୍କୁ ଗନ୍ଧ ତ ଆସିଥାଏ, କିନ୍ତୁ ଏହାର ଫରକ ଜାଣିପାରନ୍ତି ନାହିଁ। ସେମାନେ ସେ ଜିନିଷ ବିଷୟରେ ଠିକ୍ ଭାବେ କହିପାରନ୍ତି ନାହିଁ। ଗନ୍ଧକୁ ନେଇ ଗୋଟିଏ ପ୍ରକାରରେ ଦ୍ୱନ୍ଦ୍ୱ ଭଳି ସ୍ଥିତି ଉପୁଜିଥାଏ।
କେମିତି କରିବେ ଉପଚାର: ଯେହେତୁ ପାରୋସ୍ମିଆରେ ଶୁଙ୍ଘିବା ଶକ୍ତି ପୂରା ଯାଇନଥାଏ, ତେଣୁ ଏହାର ଉପଚାର କରିବାର ଅଧିକ ସମ୍ଭାବନା ରହିଛି। ଚିକିତ୍ସା ପଦ୍ଧତି ଦ୍ୱାରା ଏହାକୁ ଠିକ୍ କରାଯାଇପାରିବ। ଡାକ୍ତର ଏଥିପାଇଁ ଜିଙ୍କ, ଭିଟାମିନ୍-ଏ ଓ ଆଣ୍ଟିବାୟୋଟିକ୍ ଖାଇବାକୁ ପରାମର୍ଶ ଦିଅନ୍ତି। ତେବେ ଅଭ୍ୟାସ କରିବା ଦ୍ୱାରା ମଧ୍ୟ ଏହି ରୋଗକୁ ଭଲ କରିହେବ। ପ୍ରତିଦିନ ସକାଳେ ରୋଗୀଙ୍କୁ ଚାରୋଟି ଭିନ୍ନ ଭିନ୍ନ ସେଣ୍ଟ ଶୁଙ୍ଘିବାକୁ ଦିଆଯିବା ଦରକାର। ଏହା ପରେ ଅଭ୍ୟାସ ମାଧ୍ୟମରେ ମନକୁ କ’ଣ ଗନ୍ଧ ହେଉଛି, ତାହା ଜାଣିବାକୁ ପଡ଼ିବ। ଏହା ସମ୍ପୂର୍ଣ୍ଣ ଭାବେ ମସ୍ତିଷ୍କର ଟ୍ରେନିଂ ହୋଇଥାଏ।
ଆନୋସ୍ମିଆ କ’ଣ: ଆନୋସ୍ମିଆରେ ଗନ୍ଧ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବେ ଚାଲିଯାଇଥାଏ। ଗନ୍ଧ ଚାଲିଯିବା ଅସ୍ଥାୟୀ କିମ୍ବା ସବୁଦିନ ପାଇଁ ମଧ୍ୟ ହୋଇପାରେ। କରୋନାର ଗୁରୁତର ରୋଗୀଙ୍କ ଠାରେ ଏଭଳି ଦେଖିବାକୁ ମିଳୁଛି ଏବଂ ସେମାନଙ୍କର ଶୁଙ୍ଘିବା ଶକ୍ତି ସବୁଦିନ ପାଇଁ ଚାଲିଯାଉଛି। ଅନେକ ସମୟରେ କିଛି ଲୋକଙ୍କ ମସ୍ତିଷ୍କର ଶିରା ଭିତରେ ମଧ୍ୟ ଏହା ଥିବା ଅଭିଯୋଗ ଆସିଥାଏ। ଯେପରିକି ବ୍ରେନ୍ ଟ୍ୟୁମର୍ କିମ୍ବା ହେଡ୍ ଟ୍ରମା ଯଦି ହୋଇଥିବ, ତାହେଲେ ଏହା ଆନୋସ୍ମିଆ ହୋଇପାରେ ବୋଲି କହିପାରିବା। ଏବେ କରୋନା ରୋଗୀଙ୍କ ଭିତରେ ଆନୋସ୍ମିଆ ହେଉଥିବା ଦେଖିବାକୁ ମିଳୁଛି। କରୋନାରୁ ସୁସ୍ଥ ହେଉଥିବା ଲୋକ ଶୁଙ୍ଘିବାର ଶକ୍ତି ହରାଇ ବସୁଛନ୍ତି। ଆନୋସ୍ମିଆର ଶିକାର ହେବା ପରେ ଲୋକେ ସ୍ୱାଦ ବାରିପାରନ୍ତି ନାହିଁ। ଖାଦ୍ୟ ଖାଇବା ସମୟରେ ସେମାନେ ଏହାର ସ୍ୱାଦ ଜାଣିପାରିବେ ନାହିଁ। ଯେହେତୁ ଆନୋସ୍ମିଆରେ ଆକ୍ରାନ୍ତ ଲୋକେ ଶୁଙ୍ଘିବା ଓ ସ୍ୱାଦ ବାରିବାର ଆନନ୍ଦ ନେଇପାରନ୍ତି ନାହିଁ, ତେଣୁ ସେମାେନ ଡିପ୍ରେସନକୁ ମଧ୍ୟ ଯାଇପାରନ୍ତି ।
କେମିତି କରିବେ ଚିକିତ୍ସା: ଆନୋସ୍ମିଆ ରୋଗରୁ ରକ୍ଷା ପାଇବା ପାଇଁ ନାକର ଅଭ୍ୟାସ ଓ ଧ୍ୟାନ କରିବା ସର୍ବୋତ୍ତମ ଉପାୟ। ନାକର ଅଭ୍ୟାସ କରିବା ଅର୍ଥ କିଛି ନା କିଛି ଶୁଙ୍ଘି ଏହାକୁ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡ଼ିବ। ଧ୍ୟାନ କରିବାର ଅର୍ଥ ହେଉଛି ଯେ କୌଣସି ଜିନିଷର ବାସ୍ନା କିପରି ତାହା ଧ୍ୟାନକୁ ଆଣିବାକୁ ପଡ଼ିବ। ଏହାଛଡ଼ା ଅଲଗା ଅଲଗା ଗନ୍ଧକୁ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରୟାସ କରିବା ଦରକାର। ଏହି ଉପାୟ ନିଶ୍ଚୟ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ଏଥିପାଇଁ ଡିଙ୍କଜେଷ୍ଟେଟସ୍, ଆଣ୍ଟି ହିଷ୍ଟାମିନ୍, ଷ୍ଟେରଏଡ୍ ଓ ନାଜାଲ୍ ସ୍ପ୍ରେ ନେବାକୁ ପରାମର୍ଶ ଦିଆଯାଇଥାଏ। ବ୍ୟାକ୍ଟେରିଆର ଇନଫେକସନ୍ ଥିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିବାୟୋଟିକ୍ସ ନେଇପାରିବେ। ଯେଉଁସବୁ ଜିନିଷରେ ଆଲର୍ଜି ଅଛି, ସେଥିରୁ ଦୂରେଇ ରହିବା ଦରକାର। ଧୁମ୍ରପାନ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।