ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ଶୀତ ଋତୁ ଆସିଲେ ଥଣ୍ଡା, ଜ୍ୱର ଓ କାଶ ସହ ଅନେକ ଲୋକ 'ନିମୋନିଆ'ରେ ଆକ୍ରାନ୍ତ ହୁଅନ୍ତି। 'ନିମୋନିଆ' ଏକ ସଂକ୍ରାମକ ରୋଗ ଏବଂ ଏଥିରେ ଆକ୍ରାନ୍ତ ହେବା ପରେ ଆପଣ ନିଜ ସ୍ୱାସ୍ଥ୍ୟର ସଠିକ୍ ଯତ୍ନ ନ ନେଲେ, ଏହା ଭୟାନକ ରୂପ ନେଇଥାଏ।
ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ଅଧିକ ମାତ୍ରାରେ 'ନିମୋନିଆ'ରେ ଆକ୍ରାନ୍ତ ହୋଇଥା'ନ୍ତି। ଯଦି ଆପଣ 'ନିମୋନିଆ'ରେ ପୀଡ଼ିତ, ତେବେ କିଛି ଘରୋଇ ଉପଚାର ଦ୍ୱାରା ଆପଣ ଏହି ରୋଗରୁ ଆରୋଗ୍ୟ ଲାଭ କରି ପାରିବେ।
ଏବେ ଆସନ୍ତୁ, 'ନିମୋନିଆ'ରୁ ସୁରକ୍ଷା ପାଇଁ ଘରୋଇ ଉପଚାରଗୁଡ଼ିକ ସମ୍ପର୍କରେ ଜାଣିବା
୧. ଆପଲ୍ ସାଇଡର୍ ଭିନେଗାର୍: ଆପଲ୍ ସାଇଡର୍ ଭିନେଗାର୍ରେ ଆଣ୍ଟି-ଇନ୍ଫ୍ଲାମୋଟାରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି-ଭାଇରାଲ୍ ଗୁଣ ରହିଛି। 'ନିମୋନିଆ' ପରି ରୋଗରୁ ଉପଶମ ପାଇଁ ଅଧା ଗ୍ଲାସ୍ ଗରମ ପାଣିରେ ଗୋଟିଏ ଚାମଚ ଆପଲ୍ ସାଇଡର୍ ଭିନେଗାର୍ ଓ ଗୋଟିଏ ଚାମଚ ମହୁ ମିଶାଇ ପିଅନ୍ତୁ।
୨. ରସୁଣ: ରସୁଣରେ ଥିବା ଏଲିସନ୍ରେ ପ୍ରଚୁର ମାତ୍ରାର ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି-ଫଙ୍ଗଲ୍ ଗୁଣ ରହିଛି। ଯଦି ଆପଣ ପ୍ରତିଦିନ ଦୁଇରୁ ତିନିଟି ରସୁଣ ଖାଇବେ ଓ ରସୁଣକୁ ବାଟି ଏହାର ପେଷ୍ଟ୍କୁ ଛାତିରେ ଲଗାଇବେ, ତେବେ ନିମୋନିଆରୁ ଅନେକାଂଶରେ ମୁକ୍ତି ପାଇପାରିବେ।
୩. ହଳଦୀ: ହଳଦୀରେ ପ୍ରଚୁର ପରିମାଣର କର୍କୁମିନ୍ ରହିଛି। ଏହା 'ନିମୋନିଆ'ରୁ ସୁରକ୍ଷା ଦିଏ। ଏଥିପାଇଁ କ୍ଷୀରରେ ହଳଦୀ ମିଶାଇ କିମ୍ୱା ହଳଦୀ ଚା’ ତିଆରି କରି ପିଅନ୍ତୁ।
୪. ପରିବା ଜୁସ୍: 'ନିମୋନିଆ' ହେବାର କାରଣ ହେଉଛି, ଶରୀରରେ ପାଣି ଓ ଭିଟାମିନ୍ର ଅଭାବ। ଏଥିପାଇଁ ଆପଣ ପରିବା ଜୁସ୍ କରି ପିଇବା ଦ୍ୱାରା ଏଥିରୁ ସୁରକ୍ଷା ମିଳିଥାଏ।