ପିକ୍‌ନିକ୍‌ ଯିବାକୁ ପ୍ଲାନ୍ କରୁଛନ୍ତି କି? ଥରଟିଏ ଯାଆନ୍ତୁ ‘ମୁର୍ଗା ମହାଦେବ’

ଭୁବନେଶ୍ୱର (କୃତାର୍ଥ ସାରଥୀ ସାମନ୍ତରାୟ): ବର୍ତ୍ତମାନ ପିକ୍‌ନିକ୍‌ ସିଜିନ୍। କେହିକେହି ସାଙ୍ଗସାଥୀଙ୍କ ସହ ପସନ୍ଦର ସ୍ଥାନ ବୁଲି ସାରିଲେଣି। କେତେକ ଏ ପର୍ଯ୍ୟନ୍ତ ଯାଇନାହାନ୍ତି। କେଉଁଠିକୁ ଯିବେ ଭାବି ବିଭିନ୍ନ ପର୍ଯ୍ୟଟନ ସ୍ଥଳର ତାଲିକା ଧରି ବସିଛନ୍ତି। ଯଦି ଆପଣ କେଉଁ ସ୍ଥାନକୁ ଯିବେ ସ୍ଥିର କରିପାରୁ ନାହାନ୍ତି, ତେବେ ଜାଣନ୍ତୁ ଏମିତି ଏକ ସୌନ୍ଦର୍ଯ୍ୟଭରା ସ୍ଥାନ ବିଷୟରେ, ଯେଉଁଠିକୁ ଥରେ ଗଲେ ବାରମ୍ବାର ଯିବାକୁ ମନ ଟାଣିବ। ଏହି ମନୋରମ ସ୍ଥାନଟି ରହିଛି କେନ୍ଦୁଝର ଜିଲ୍ଲାରେ। […]

murga

Manoranjan Sial
  • Published: Friday, 28 December 2018
  • , Updated: 28 December 2018, 02:18 PM IST

ଭୁବନେଶ୍ୱର (କୃତାର୍ଥ ସାରଥୀ ସାମନ୍ତରାୟ): ବର୍ତ୍ତମାନ ପିକ୍‌ନିକ୍‌ ସିଜିନ୍। କେହିକେହି ସାଙ୍ଗସାଥୀଙ୍କ ସହ ପସନ୍ଦର ସ୍ଥାନ ବୁଲି ସାରିଲେଣି। କେତେକ ଏ ପର୍ଯ୍ୟନ୍ତ ଯାଇନାହାନ୍ତି। କେଉଁଠିକୁ ଯିବେ ଭାବି ବିଭିନ୍ନ ପର୍ଯ୍ୟଟନ ସ୍ଥଳର ତାଲିକା ଧରି ବସିଛନ୍ତି। ଯଦି ଆପଣ କେଉଁ ସ୍ଥାନକୁ ଯିବେ ସ୍ଥିର କରିପାରୁ ନାହାନ୍ତି, ତେବେ ଜାଣନ୍ତୁ ଏମିତି ଏକ ସୌନ୍ଦର୍ଯ୍ୟଭରା ସ୍ଥାନ ବିଷୟରେ, ଯେଉଁଠିକୁ ଥରେ ଗଲେ ବାରମ୍ବାର ଯିବାକୁ ମନ ଟାଣିବ।

ଏହି ମନୋରମ ସ୍ଥାନଟି ରହିଛି କେନ୍ଦୁଝର ଜିଲ୍ଲାରେ। ଯାହା କି ‘ମୁର୍ଗା ମହାଦେବ’ ନାଁରେ ବେଶ୍ ଖ୍ୟାତି ଅର୍ଜନ କରିଛି। ଏହାର ସୌନ୍ଦର୍ଯ୍ୟ ଶହଶହ ଦେଶୀବିଦେଶୀ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣିଥାଏ। ଏଠାକୁ ଆସି ଜଳପ୍ରପାତରେ ଗାଧୋଇବା ସହ ମହାଦେବ ଧବଳେଶ୍ୱରଙ୍କ ଦର୍ଶନ ଓ ସେଲ୍‌ଫି ଜୋନ୍‌ରେ ଫଟୋ ଉଠାଇବାର ମଜା କିଏ ବା ହାତଛଡ଼ା କରିବାକୁ ଚହିଁବ। ଏବେ ଅଧିକ କିଛି ଜାଣନ୍ତୁ ଏହି ସ୍ଥାନଟି ସଂପର୍କରେ।

୨୦ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝରରୁ ରାଇଁସୁଆଁ, ପଦ୍ମପୁର, ଝୁରା, ରିମୁଳି ଦେଇ ବିଲେଇପଦା ଯିବାକୁ ହେବ। ବିଲେଇପଦାରୁ ମୃଗା ମହାଦେବ ହେଉଛି ମାତ୍ର ୭ କିଲୋମିଟର। ହେଲେ ଏହିଠାରୁ ଖଣିଖାଦାନ ଅଞ୍ଚଳ ଆରମ୍ଭ ହେଉଥିବାରୁ, ଯିବାବେଳେ ଟିକେ ଧ୍ୟାନ ରଖିବାକୁ ପଡ଼ିବ। ତେବେ ଯେତେବେଳେ ଆପଣ ମୃଗା ମହାଦେବରେ ପହଞ୍ଚି ଯିବେ, ମାତ୍ର ଗୋଟିଏ ଝଲକ୍‌ରେ ଆପଣଙ୍କ ଯାତ୍ରାର କଷ୍ଟ ଲାଘବ ହୋଇଯିବା ପରି ଲାଗିବ।

ପ୍ରକୃତିର ବିସ୍ମୟ

ମୃଗା ମହାଦେବରେ ପହଞ୍ଚିବା ପରେ ଆପଣଙ୍କୁ ଲାଗିବ ପ୍ରକୃତିର କୌଣସି ବିସ୍ମୟକର ସ୍ଥାନରେ ଆପଣ ପହଞ୍ଚି ଯାଇଛନ୍ତି। ନଜରରେ ପଡ଼ିବ ପାହାଡ଼ ଖୋଲରୁ ୩ରୁ ୪ଟି ଧାରରେ ଝରି ପଡ଼ୁଥିବା ମୃଗାନାଳର ଜଳଧାରା। ଠାକୁରାଣୀ ପାହାଡ଼ରୁ ବାହାରିଥିବା ଏହି ଝରଣା ଏଠାରେ ଏକ ଜଳପ୍ରପାତ ସୃଷ୍ଟି କରିଛି। ଆଉ ତଳେ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଛି ଏକ ପବିତ୍ର କୁଣ୍ଡ। ଜଳପ୍ରପାତଟି ଛୋଟ ହେଲେ ବି ଏହାର ସୌନ୍ଦର୍ଯ୍ୟ ମନ୍ତ୍ରମୁଗ୍ଧକର।

ଗାଧୋଇବାର ମଜା

ଏଠାକୁ ଆସୁଥିବା ପର୍ଯ୍ୟଟକ ଜଳପ୍ରପାତରେ ଗାଧୋଇବାର ସୁଯୋଗକୁ ହାତଛଡ଼ା କରିବାକୁ କେବେବି ଚାହିଁ ନଥାନ୍ତି। ଜଳପ୍ରପାତର ତଳ ମୁଣ୍ଡରେ ଛିଡ଼ା ହୋଇ ଜଳସ୍ରୋତରେ ନିଜକୁ ହଜାଇ ଦେଇଥାନ୍ତି। ମଜାମସ୍ତି ସାଙ୍ଗକୁ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜଳପ୍ରପାତର ଜଳଧାରରେ ଗାଧୋଇବା ପରେ ସତେ ଯେମିତି ଲାଗିଥାଏ, ମନର ସବୁ ଚିନ୍ତା ଓ ପୀଡ଼ା ଦୂର ହୋଇଯାଇଥାଏ।

ସେଲ୍‌ଫି ମଜା

କେବଳ ଗାଧୋଇବାରେ ଏଠାରେ ମଜା ସରି ନଥାଏ। ଏପରି ସ୍ଥାନକୁ ଆସି ଯଦି ଫଟୋ ନ ଉଠାଇବେ ତେବେ ସବୁ ମଜାମସ୍ତି ଫିକା ପଡ଼ିଯିବ ନିଶ୍ଚିତ। ତେବେ ବ୍ୟସ୍ତ ହେବାର କିଛି ନାହିଁ। ଏଠାରେ ଫଟୋ ଉଠାଇ ଉଠାଇ ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜେଇ ଦେଇପାରିବେ। ଜଳପ୍ରପାତରେ ଗାଧୁଆଠାରୁ ଆରମ୍ଭ କରି, ଝରଣାର ଜଳଧାରା ଓ ସବୁଜ ବନାନୀରେ ଫଟୋ ଉଠାଇବାର ମଜା ନେଇପାରିବେ। ଏହାସହ ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ବ୍ୟାରିକେଡ଼ ପାଖରେ ଛିଡ଼ା ହୋଇ ଆପଣ ଜଳପ୍ରପାତ ସହ ସେଲ୍‌ଫି ମଧ୍ୟ ନେଇପାରିବେ। ଯାହା ‘ମୁର୍ଗା ମହାଦେବ’ ପର୍ଯ୍ୟଟନ ସ୍ଥଳରେ ସେଲଫି ଜୋନ୍‌ ଭାବେ ବେଶ ପରିଚିତ।

ଯଦି ଆପଣ କ୍ୟାମେରା ନେଇନାହାନ୍ତି କିମ୍ବା କୌଣସି କାରଣରୁ ଏହା ଆପଣଙ୍କ କାମରେ ଲାଗିଲା ନାହିଁ, ତେବେ ଦୁଃଖ କରିବାର କିଛି ନାହିଁ। ଏଠାରେ ଫଟୋ ଉଠାଇବାର ବ୍ୟବସ୍ଥା ମଧ୍ୟ ରହିଛି। ମାତ୍ର ୩୦ ଟଙ୍କା ଖର୍ଚ୍ଚ କରି ଏହି ମନୋରମ ସ୍ଥାନ ସହ ଫଟୋ ଉଠାଇ ପାରିବେ।

କେମିତି ହେଲା ଏମିତି ନାମକରଣ?

ଏ ସ୍ଥାନର ନାମ ‘ମୁର୍ଗା ମହାଦେବ’ ହେବା ପଛରେ ଏକାଧିକ କଥା ଶୁଣିବାକୁ ମିଳିଥାଏ। ଜଳପ୍ରପାତ ନିକଟରେ ବାବା ଧବଳେଶ୍ୱରଙ୍କ ମନ୍ଦିର ରହିଛି। ଏହି ମନ୍ଦିରକୁ ନେଇ ସୁନ୍ଦର ଲୋକକଥାଟିଏ ରହିଛି। ଲୋକକଥା ଅନୁସାରେ, ପୂର୍ବରୁ ଏହି ଅଞ୍ଚଳଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଶିକାର କରିବାକୁ ଆସିଥିବା ଅଙ୍ଗଦ ଦେହୁରୀ ହିଂସ୍ରଜନ୍ତୁଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଜୀବନ ବଞ୍ଚାଇବାକୁ ସେ ଏକ ଗଛ ଉପରକୁ ଚଢ଼ି ଯାଇଥିଲେ। ତେବେ ପୂରା ରାତି ଅନିଦ୍ରା ରହିବାକୁ ସେ ଗଛର ପତ୍ର ଗୋଟେ ଗୋଟେ କରି ଛିଣ୍ଡାଇ ତଳକୁ ପକାଇଥିଲେ। ହେଲେ ସେ ଜାଣି ନଥିଲେ, ସେ ଚଢ଼ି ଯାଇଥିବା ଗଛଟି ଥିଲା ଏକ ବେଲବୃକ୍ଷ ଓ ତଳେ ଥିଲା ବାବା ଧବଳେଶ୍ୱରଙ୍କ ଆସ୍ଥାନ। ରାତି ଅନିଦ୍ରା ହୋଇ ଏପରି ଅଜଣା ପୂଜା କରିଥିବାରୁ ଅଙ୍ଗଦଙ୍କ ଉପରେ ସନ୍ତୁଷ୍ଟ ମହାଦେବ ତାଙ୍କ ଜୀବନ ରକ୍ଷା କରିଥିଲେ। ସେବେଠାରୁ ଅଙ୍ଗଦ ସବୁଦିନ ସେଠାକୁ ଯାଇ ମହାଦେବଙ୍କ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ। ଏହା ଜାଣିବା ପରେ ଗାଁ ଲୋକେ ସେଠାରେ ମନ୍ଦିର ସ୍ଥାପନା କରିଥିଲେ।

ତେବେ ମୁର୍ଗା ମହାଦେବ ନାମକରଣ ହେବା ପଛରେ ଅନ୍ୟଏକ ଲୋକକଥା ରହିଛି। ପୂର୍ବରୁ ଉକ୍ତ ଜଙ୍ଗଲଟି ‘ମୁର୍ଗା’ ନାମକ ଏକ ଜଙ୍ଗଲି ଗଛରେ ପରିପୂର୍ଣ୍ଣ ଥିଲା। ଏହାସହ ପାଖରେ ଥିବା ଗାଁର ନାଁ ମୁର୍ଗା ଥିଲା। ଏହି କାରଣରୁ ମନ୍ଦିରର ନାଁ ‘ମୁର୍ଗା ମହାଦେବ’ ହୋଇଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି।

ପିକ୍‌ନିକ୍‌ ଋତୁ ବ୍ୟତୀତ ଶିବରାତ୍ରୀ ଓ ମକର ସଂକ୍ରାନ୍ତିରେ ମଧ୍ୟ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ। ଏହି ଦୁଇ ପର୍ବ ବେଶ ଧୂମଧାମରେ ଏଠାରେ ପାଳନ କରାଯାଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଠାରେ ଥିବା ଶିବଲିଙ୍ଗର ରଙ୍ଗ ପ୍ରତି ପକ୍ଷରେ ବଦଳୁଥାଏ ବୋଲି ସ୍ଥାନୀୟ ଲୋକେ କହିଥାନ୍ତି। ଏଠାରେ ଏବେବି ଦେହୁରୀମାନେ ମହାଦେବଙ୍କ ପୂଜା କରୁଛନ୍ତି।

Related story