ସାଧାରଣତଃ ରୋଷେଇ କଲା ବେଳେ କିଛି ନା କିଛି ପୋଡି ଯାଇଥାଏ । ଖାଦ୍ୟ ପୋଡିଯିବା ପରେ ସେହି ବାସନକୁ ସଫା କରିବା କଷ୍ଟକର ହୋଇପଡେ । ସେହିପରି ଅଧିକ ଦିନ ହୋଇଗଲା ପରେ ଗ୍ୟାସ ଓ ଗ୍ୟାସ ବର୍ଣ୍ଣରରେ ମଧ୍ୟ କଳଙ୍କି ଲାଗିଯାଏ । ତେବେ ଗ୍ୟାସ ବର୍ଣ୍ଣର ଠାରୁ ଆରମ୍ଭ କରି ନନ୍ଷ୍ଟିକ ପ୍ୟାନ ହେଉ ଅବା ପ୍ରେସର କୁକର୍ ଏସବୁ ଘରକରଣ ସାମଗ୍ରୀକୁ ଅତି ସହଜରେ ସଫା କରାଯାଇପାରିବ । ଘରେ ଥିବା କିଛି ଜିନିଷକୁ ବ୍ୟବହାର କରି ଏସବୁ ସାମଗ୍ରୀକୁ ପଲିସ କରିହେବ । ତେବେ ଆସନ୍ତୁ ଜାଣିବା ଏ ବିଷୟରେ ।
ନନ୍-ଷ୍ଟିକ ପ୍ୟାନ୍: ନନ୍-ଷ୍ଟିକ ପ୍ୟାନ୍କୁ ସଫା କରିବା ପାଇଁ ଆଲୁମିନିୟମ ଫଏଲକୁ ମୋଡି ବାସନ ସଫା କରାଯାଉଥିବା ପାଉଡର ସହ ମିଶାଇ ସଫା କରନ୍ତୁ । ଏହାଦ୍ବାରା ବାସନରେ ଲାଗିଥିବା ଦାଗ ଖୁବ ସହଜରେ ଛାଡିଯିବ ।
ପ୍ରେସର କୁକର୍: ଯଦି ପ୍ରେସର କୁକର ପୋଡି ଯାଇଛି ତେବେ ସେଥିରେ ବେକିଂ ପାଉଡର ପକାଇ ସଫା କରନ୍ତୁ । ଶୁଖିଲା ପ୍ରେସର କୁକର ବେସ୍ ତଳେ ବେକିଂ ସୋଡା ପକାଇ ତାକୁ ଚାରିପଟେ ଲଗାଇ ଦିଅନ୍ତୁ । ଏହାପରେ ଏକ ସ୍ପଞ୍ଜ ମାଧ୍ୟମରେ ପ୍ରେସର କୁକରକୁ ସଫା କରନ୍ତୁ ।
ଗ୍ୟାସ୍ ବର୍ଣ୍ଣର: ଏକ ତୃତୀୟାଂଶ ଭିନେଗାର ଓ ଦୁଇ ତୃତୀୟାଂଶ ପାଣିକୁ ମିଶାଇ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ରଖନ୍ତୁ । ଏହା ପରେ ଗ୍ୟାସରେ ଛିଞ୍ଚନ୍ତୁ । ଏହାପରେ କିଛି ସମୟ ପାଇଁ ତାକୁ ଛାଡି ଦିଅନ୍ତୁ । ପରେ ଏକ ସ୍ପଞ୍ଜ ମାଧ୍ୟମରେ ଗ୍ୟାସ୍କୁ ସଫା କରିଦିଅନ୍ତୁ । ଏହାଦ୍ବାରା ଗ୍ୟାସ ଏବଂ ଗ୍ୟାସ ବର୍ଣ୍ଣର ପୁରାପୁରି ସଫା ହୋଇଯାଇଥାଏ ।
ଗ୍ରେଟର: ଗ୍ରେଟରରେ ଯଦି କୌଣସି ଜିନିଷ ଅଟକି ଯାଇଛି ତେବେ ତାକୁ ଶୁଖିଲା ଟୁଥବ୍ରଶ ସାହାଯ୍ୟରେ ସଫା କରନ୍ତୁ । ଏଥିସହ କିଛି ସମୟ ପାଇଁ ଗ୍ରେଟରକୁ ପାଣିରେ ଭିଜାଇ ରଖନ୍ତୁ । ଏହାଦ୍ବାରା ଗ୍ରେଟର ପୁରା ସଫା ହୋଇଯିବ ।