Advertisment

ଶ୍ରୀମନ୍ଦିରରେ ବାଂଲାଦେଶୀ ପଶିଲା ପରେ ଚେତିଲା ପ୍ରଶାସନ

ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନର ଏତଲା ଆଧାରରେ ମନ୍ଦିର ଭିତରକୁ ଯାଇଥିବା ୪ ଜଣ ଓ ପରିକ୍ରମା ମାର୍ଗରେ ବୁଲୁଥିବା ସେମାନଙ୍କ ସାଙ୍ଗରେ ଆସିଥିବା ସାଥୀଙ୍କୁ ମିଶାଇ ମୋଟ୍ ୯ଜଣଙ୍କ ପାସପୋର୍ଟ ସିଜ୍ କରାଯାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Puri

Puri

ଶ୍ରୀମନ୍ଦିର ଭିତରେ କୌଣସି ଅଣହିନ୍ଦୁ ପ୍ରବେଶ କରିପାରିବେ ନାହିଁ। ଏହା ସତ୍ତ୍ୱେ ଅଣହିନ୍ଦୁ ମାନେ ଶ୍ରୀମନ୍ଦିର ଭିତରେ ପଶିଗଲେ। ଏହାକୁ ନେଇ ହୋ-ହଲ୍ଲା ହେବା ପରେ ଚେତିଛି ଶ୍ରୀମନ୍ଦିର ପ୍ରଶାସନ। ଯାଞ୍ଚକୁ କଡ଼ିକଡ଼ି କରିଛି। ଏଥିସହ ଏସି କରିଡ଼ରଠୁ ସବୁ ଚେକିଂ ପଏଣ୍ଟ ଓ ମନ୍ଦିର ପ୍ରବେଶ ଦ୍ୱାରରେ ‘କେବଳ ହିନ୍ଦୁଙ୍କୁ ପ୍ରବେଶ ଅନୁମତି’ ନେଇ ବଡ଼ ବଡ଼ ସାନ୍‌ ବୋର୍ଡ ଲେଖିବା ପାଇଁ ନିଷ୍ପତ୍ତି ନେଇଛି।

Advertisment

ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପଶିଲେ ୪ ଜଣ ବାଂଲାଦେଶୀ। ସେମାନେ ଗର୍ଭଗୃହକୁ ଯାଇ ଜଗା ଦର୍ଶନ କରିବା ସହିତ ଆନନ୍ଦ ବଜାରରୁ ଅବଢ଼ା ଧରି ଫେରୁଥିଲେ। ରବିବାର ସନ୍ଧ୍ୟା ବେଳେ ଏ ଘଟଣା ଖାଲି ଯେ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛି ତା’ନୁହେଁ, ଶ୍ରୀମନ୍ଦିର ସୁରକ୍ଷା ପ୍ରତି ମଧ୍ୟ ଲଗାଇଛି ବିରାଟ ପ୍ରଶ୍ନ ଚିହ୍ନ? କିଛି ସେବାୟତ ଏହି ଅଣହିନ୍ଦୁମାନଙ୍କୁ ଦେଖି ହଲ୍ଲାପଟ୍ଟା କରିବା ପରେ ତୁରନ୍ତ ସେମାନଙ୍କୁ ସିଂହଦ୍ୱାର ଥାନାକୁ ନେଇଯାଇଥିଲେ। ତା’ପରେ ସେମାନଙ୍କୁ ଯାଞ୍ଚ କରାଯାଇଥିଲା।

ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନର ଏତଲା ଆଧାରରେ ମନ୍ଦିର ଭିତରକୁ ଯାଇଥିବା ୪ ଜଣ ଓ ପରିକ୍ରମା ମାର୍ଗରେ ବୁଲୁଥିବା ସେମାନଙ୍କ ସାଙ୍ଗରେ ଆସିଥିବା ସାଥୀଙ୍କୁ ମିଶାଇ ମୋଟ୍ ୯ଜଣଙ୍କ ପାସପୋର୍ଟ ସିଜ୍ କରାଯାଇଛି। ତା’ର ଅବଧୀ ଓ ବୈଧତା ଯାଞ୍ଚ ଚାଲିଛି। କେଉଁ ଉଦ୍ଦେଶ୍ୟ ନେଇ ସେମାନେ ଓଡ଼ିଶା ଆସିଥିଲେ? ପୂର୍ବରୁ ଭାରତର ଅନ୍ୟ କେଉଁ କେଉଁ ସ୍ଥାନକୁ ଯାଇଥିଲେ କି? ଆଗରୁ କେତେଥର ଭାରତ ଆସିଥିଲେ? ସେ ସବୁ ଦିଗକୁ ଗୁରୁତର ସହ ନେଇ ଖୋଳତାଡ଼ ଚଳାଇଛି ବୋଲି ଏସ୍‌ପି କହିଛନ୍ତି।

Advertisment

“ଜଗନ୍ନାଥ ମନ୍ଦିରକୁ କେବଳ ହିନ୍ଦୁମାନେ ଯାଇ ପାରିବେ। ଅନ୍ୟ ଧର୍ମର ଲୋକମାନେ ପ୍ରବେଶ କରିପାରିବେ ନାହିଁ।” ସିଂହଦ୍ୱାର ଆଗରେ ଲାଗିଥିବା କେଉଁ ମନ୍ଧାତା ଅମଳର ସୂଚନା ଫଳକରେ ଏହା ଲେଖା ଯାଇଛି। ହେଲେ ତା’ ଅବସ୍ଥା ଏମିତି ଯେ, କ’ଣ ଲେଖାଅଛି ଭଲକରି ଦିଶୁନି। ତା’ସହ ଅନ୍ୟ କେଉଁଠି ମଧ୍ୟ ଏଭଳି ସୂଚନା ଫଳକଟିଏ ଲଗାଯାଇନି। ତେଣୁ ଏହାକୁ ନେଇ ବେଶୀ କ୍ଷୁବ୍ଧ ହୋଇଛନ୍ତି ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବାୟତ। ସଫା ସଫା କହିଛନ୍ତି, ଜଗନ୍ନାଥ ମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ କଡ଼ା ନିୟମ ଆସୁ। ଦରକାର ପଡ଼ିଲେ ଟେମ୍ପୁଲ ଆକ୍ଟରେ ପରିବର୍ତ୍ତନ କରାଯାଉ। ସବୁ ଚେକିଂ ପଏଣ୍ଟରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଥିବା ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଉ।

ସେପଟେ ରବିବାର ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ଆଜି ଚେତିଛି। ଉନ୍ନୟନ ପ୍ରଶାସକ ପ୍ରଦୀପ କୁମାର ସାହୁ କହିଛନ୍ତି, ଭବିଷ୍ୟତରେ ଯେପରି ଏଭଳି ଅଘଟଣ ଆଉ ନଘଟେ, ସେଥିପାଇଁ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସୂତ୍ର କାଢ଼ିବୁ। ଭକ୍ତଙ୍କୁ ଯାଞ୍ଚ ପାଇଁ ଏସଓପି କରାଯିବ। ଏସି କରିଡ଼ରଠୁ ସବୁ ଚେକିଂ ପଏଣ୍ଟ ଓ ମନ୍ଦିର ପ୍ରବେଶ ଦ୍ୱାରରେ କେବଳ ହିନ୍ଦୁଙ୍କୁ ପ୍ରବେଶ ଅନୁମତି ଲେଖାଥିବା ବଡ଼ ବଡ଼ ସାଇନବୋର୍ଡ ଲଗାଇବୁ।

ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନୂଆ ନୁହେଁ। ଯଦିଓ ପାଶ୍ଚାତ୍ୟ ଦେଶ ନାଗରିକଙ୍କୁ ଚିହ୍ନଟ ସହଜ ହେଉଛି। ହେଲେ ବାଂଲାଦେଶ ଭଳି ଭାରତର ଅନ୍ୟ ପଡ଼ୋଶୀ ଦେଶର ନାଗରିକ ହୁଅନ୍ତୁ କି ଦେଶ ଭିତରର ଭିନ୍ନ ସଂପ୍ରଦାୟ ଲୋକଙ୍କୁ ଚିହ୍ନିବାଟା ସହଜ ହେଉନି। ଯେହେତୁ ଶ୍ରୀମନ୍ଦିର ଆତଙ୍କବାଦୀ ଟାର୍ଗେଟରୁ ବାଦ ପଡ଼ିନି, ତେଣୁ ତାକୁ ନେଇ ବଢିଛି ଚିନ୍ତା।

Puri Shreemandir Puri Sri Jagannath Lord Jagannath