ନୂଆଦିଲ୍ଲୀ: ସମାନ ମନ୍ତ୍ରଣାଳୟ, କିନ୍ତୁ ମାତ୍ର ୩ ମାସ ବ୍ୟବଧାନରେ ଜାରି କରାଯାଇଥିବା ଡକ୍ୟୁମେଣ୍ଟରେ ଭିନ୍ନ ଭିନ୍ନ କଥା। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଭିନ୍ନ ଭିନ୍ନ ଡକ୍ୟୁମେଣ୍ଟରେ ଏନ୍ଆରସି ଏବଂ ଏନ୍ପିଆରକୁ ନେଇ ଅଲଗା ଅଲଗା ତଥ୍ୟ ଏବେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଗୋଟିକରେ ଉଲ୍ଲେଖ ରହିଛି ନ୍ୟାସନାଲ ପପୁଲେସନ୍ ରେଜିଷ୍ଟର ବା ଏନ୍ପିଆର ହେଉଛି ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ ବା ଏନ୍ଆରସିର ପ୍ରଥମ ପଦକ୍ଷେପ। କିନ୍ତୁ ଏହାପରେ ଜାରି କରାଯାଇଥିବା ଡକ୍ୟୁମେଣ୍ଟରେ ଲେଖାଯାଇଛି, ଏହି ଦୁଇ ତାଲିକାକୁ ଲିଙ୍କ କରିବାର ‘କୌଣସି ପ୍ରସ୍ତାବ ନାହିଁ’।
ଚଳିତ ବର୍ଷ ଅକ୍ଟୋବରରେ ପ୍ରଥମ ଡକ୍ୟୁମେଣ୍ଟ ଆସିଥିଲା। ଅନ୍ୟଟି ଏନ୍ପିଆର ଏବଂ ଏନ୍ଆରସିକୁ ନେଇ ବିରୋଧୀ ବିବାଦ କରିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ‘ଅଫ୍ ଦି ରେକର୍ଡ’ ଜାରି କରାଯାଇଥିଲା। କେନ୍ଦ୍ର ଏନ୍ପିଆରକୁ କ୍ୟାବିନେଟ୍ରେ ଅନୁମୋଦନ ଦେବାପରେ ବିରୋଧୀ କହିଥିଲେ, ଏହା ଏହା ଏକ ନୂଆ ଅବତାର ଯାହାକି ଗୋପନୀୟତାର ଅଧିକାରକୁ ଉଲ୍ଲଂଘନ କରିବ।
ପ୍ରଥମ ଡକ୍ୟୁମେଣ୍ଟଟି ଅକ୍ଟୋବର ମାସରେ ରିଲିଜ୍ ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ଥିଲା। ଏହାର ୧୫ତମ ଅଧ୍ୟାୟର ୨୭୩ତମ ପୃଷ୍ଠାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ଭାରତ ସରକାର ଏନ୍ପିଆର ନାମକ ଏକ ସ୍କିମ୍ ଆରମ୍ଭ କରିବାକୁ ଯାଉଛନ୍ତି, ଯେଉଁଥିରେ ସମସ୍ତ ନାଗରିକଙ୍କର ନିର୍ଦ୍ଦିଷ୍ଟ ସୂଚନା ସଂଗ୍ରହ କରାଯିବ। ଏହା”ନ୍ୟାସନାଲ ପପୁଲେସନ୍ ରେଜିଷ୍ଟର ବା ଏନ୍ପିଆର ହେଉଛି ନ୍ୟାସନାଲ ରେଜିଷ୍ଟର ଅଫ୍ ଇଣ୍ଡିଆନ୍ ସିଟିଜେନ୍ସ ବା ଏନ୍ଆରଆଇସିର ପ୍ରଥମ ପଦକ୍ଷେପ’ ବୋଲି ମଧ୍ୟ ଲେଖାଯାଇଛି।
କିନ୍ତୁ ସଦ୍ୟ ଜାରି ହୋଇଥିବା ମନ୍ତ୍ରଣାଳୟର ଏକ ଡକ୍ୟୁମେଣ୍ଟରେ ଏନ୍ପିଆରର ବ୍ୟବହାର ଏବଂ ଲାଭ ବିଷୟରେ ଲେଖାଯାଇଛି। ଏଥିରେ କୁହାଯାଇଛି, “ଏହା ପ୍ରତି ପରିବାର ଏବଂ ବ୍ୟକ୍ତିଙ୍କର ବିଶ୍ୱସନୀୟ ପଞ୍ଜିକା। ଏହା ଏକ ପଞ୍ଜିକା ଯେଉଁଥିରେ ନାଗରିକଙ୍କ ଠିକଣାର ସଂଯୋଗୀକରଣ କରାଯିବ ଯେପରିକି ଗାଁ ବା ସହର, ଜିଲ୍ଲା ଓ ରାଜ୍ୟ ଆଦି ରହି। ଏହା ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ ବୋଲି ମଧ୍ୟ ଲେଖାଯାଇଥିଲା।
ଏତିରେ ଲେଖାଯାଇଛି, ବର୍ତ୍ତମାନ ଏନ୍ପିଆର ତଥ୍ୟ ଭିତ୍ତିରେ ଏନ୍ଆରସି ପ୍ରସ୍ତୁତିର କୌଣସି ପ୍ରସ୍ତାବ ନାହିଁ। ତେବେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ବେଳେ ବାୟୋମେଟ୍ରିକ୍ ବା ଅନ୍ୟ ତଥ୍ୟ ନିଆଯିବନି ବୋଲି କୁହାଯାଇଛି। ଏନ୍ପିଆର ସହ ଜନ୍ମ ମୃତ୍ୟୁର ପଞ୍ଜିକରଣ ଲିଙ୍କ କରି ରିଅଲ ଟାଇମ୍ ପପୁଲେସନ୍ ବା ପ୍ରକୃତ ଜନସଂଖ୍ୟା ଆକଳନ କରାଯାଇପାରିବ। ଏହା ଫଳରେ ସ୍ୱଚ୍ଛ ଓ ପ୍ରଭାବୀ ସାମାଜିକ ସୁବିଦା ଦିଆଯାଇ ପାରିବ ଏବଂ ଜନହିତକର ସରକାରୀ ଯୋଜନା କରାଯାଇପାରିବ। ଏନ୍ପିଆର ତଥ୍ୟ ଆଧାରରେ ହିଁ ‘ସୋଶିଓ ଇକୋନୋମିକ୍ କାଷ୍ଟ ସେନ୍ସସ୍’ ବା ସାମାଜିକ ଅର୍ଥନୀତିକ ଜାତି ଜନସଂଖ୍ୟା ପ୍ରସ୍ତୁତି ହୋଇଥାଏ, ଯାହାକି ବିଭିନ୍ନ ହିତାଧିକାରୀଙ୍କ ନିର୍ଦ୍ଧାରଣ କରିଥାଏ।
ପରିବାର ଭିତ୍ତିକ ଏନ୍ପିଆର ତଥ୍ୟ ଭିତ୍ତିରେ ଆୟୁଷ୍ମାନ ଯୋଜନା, ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଲା ଯୋଜନା ଏବଂ ସୌଭାଗ୍ୟ ଯୋଜନା ଆଦି ହିତାଧିକାରୀ ବଛାଯାଏ। ଓଡ଼ିଶା ଭଳି କିଛି ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦିରେ ମଧ୍ୟ ଏହି ତଥ୍ୟ ବ୍ୟବହୃତ ହୁଏ।